ମା’ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା ପାଳିତ।
ମା’ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା ପାଳିତ। ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ)କଳାହାଣ୍ଡି ଇତିହାସ ଅନେକ ପୁରୁଣା। ଏଥିସହ ଏହାର ପରମ୍ପରା ଗୁଡିକ ମଧ୍ୟ ସେତିକି ପୁରୁଣା। କେଉଁ ପୁରାତନ ଯୁଗରୁ ଆଜିପର୍ଯ୍ୟନ୍ତ ବିଭିନ୍ନ ସମୟରେ ବିଭିନ୍ନ ନାମରେ ଯେପରିକି କାନ୍ତର, ମହାକାନ୍ତର, ଟିଟିଲକା ଜନପଦ, ଅଟବିଭୂମି, ଚକ୍ରକୋଟ, କମଳମଣ୍ଡଳ, କାରୁଣ୍ଡ ଓ ଶେଷରେ କଳାହାଣ୍ଡି ନାମରେ ବିଭିନ୍ନ ସମୟରେ ବିଭିନ୍ନ ରାଜବଂଶଙ୍କ ଦ୍ୱାରା ଶାସିତ ହୋଇ ନିଜର ସ୍ଥିତି ଜାହିର କରିଆସିଛି। ଏହି ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡିରେ ବିଭିନ୍ନ ରାଜବଂଶ ମାନଙ୍କ ଦ୍ୱାରା ଅନେକ ଦେବୀ ମନ୍ଦିରମାନ ସ୍ଥାପିତ ହୋଇଛି। ଏମାନଙ୍କ ମଧ୍ୟରେ ମା’ମାଣିକେଶ୍ବରୀ ମୁଖ୍ୟ ଦେବୀ ଅଟନ୍ତି। ମା’ମାଣିକେଶ୍ବରୀ ହେଉଛନ୍ତି କଳାହାଣ୍ଡିର ଇସ୍ତାଦେବୀ। ମା’ମାଣିକେଶ୍ବରୀଙ୍କ ନାମ ମାଣିକ୍ୟ ଶବ୍ଦରୁ ଆସିଛି। ସମ୍ପୂର୍ଣ କଳାହାଣ୍ଡି ଜିଲ୍ଲା ବିଭିନ୍ନ ରତ୍ନ ଓ ଉପରତ୍ନରେ ଭରପୁର। ଏଠାରେ ମୁଖ୍ୟତଃ ମାଣିକ୍ୟ ରତ୍ନ ବହୁଳ ମାତ୍ରାରେ ମିଳେ। ଏହାର ବର୍ଣନା ପାଣିନୀ, ଚାଣକ୍ୟ ଆଦିଙ୍କ ଦ୍ୱାରା ଲିଖିତ ପୁସ୍ତକରେ ମଧ୍ୟ ଦେଖିବାକୁ ମିଳେ। ଏହି ମାଣିକ୍ୟ ଆଦି ରତ୍ନ ଗୁଡିକର ଦେବୀ ଭାବରେ ମା’ମାଣିକେଶ୍ବରୀ ପୂଜିତ।ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ପ୍ରାୟ ୩ ଶହଟି ସ୍ଥାନରେ ମା ମାଣିକେଶ୍ବରୀ ପୂଜିତ। ଏଥିମଧ୍ୟରୁ ଭବାନୀପାଟଣାସ୍ଥିଥ ମା’ମାଣିକେଶ୍ବରୀ ମନ୍ଦିର ମୁଖ୍ୟ। ଏହି ମନ୍ଦିରରେ ପୂଜିତ ଦେବୀ ବର୍ଷକୁ ଥରେ ତାଙ୍କର ଭକ୍ତମାନଙ୍କୁ ଛତ୍ର ଆକାରରେ ପ୍ରତ୍ୟକ୍ଷ ଦର୍ଶନ ଦେଇଥାନ୍ତି। ଏହି ପର୍ବକୁ ଛତର ଯାତ୍ରା କୁହାଯାଏ। ମା’ଙ୍କ ଛତ୍ର ମାନେ ଏକ ବାଉଁଶ ନଳା ଉପରେ କଳା କନା ଢଙ୍କା ହୋଇଥାଏ ଓ ଏହା ଉପରେ ରୌପ୍ୟ ନିର୍ମିତ ଏକ ଯନ୍ତ୍ର ତନ୍ତ୍ର ଵିଧିମତେ ସ୍ଥାପିତ ହୋଇଥାଏ। ପ୍ରତିବର୍ଷ ଦଶହରା ସମୟରେ ମହାଷ୍ଟମୀ ଦିନ ମଧ୍ୟ ରାତ୍ରରେ ମା’ ତାଙ୍କ ମନ୍ଦିରରୁ ବାହାରି ସେଠାରୁ ପ୍ରାୟ ୩ କି. ମି ଦୂରରେ ଅବସ୍ଥିତ ଜେନାଖାଲ ନାମକ ସ୍ଥାନକୁ ଯାଆନ୍ତି। ସେଠାରେ ତନ୍ତ୍ର ବିଧିରେ ବିଭିନ୍ନ ପୂଜାପାଠ କରାଯାଇ ମନ୍ତ୍ରବଳି ଜରିଆରେ ବୋଦା ବଳି ଦିଆଯାଏ। ଏହାପରେ ନବମୀ ତିଥି ଲାଗିଗଲେ ମା’ସେଠାରୁ ବିଜେ କରନ୍ତି ନିଜ ବାସସ୍ଥାନ ଅଭିମୁଖେ। ଏହି ସମୟରେ ମା’ଙ୍କୁ ସନ୍ତୁଷ୍ଟ କରିବାପାଇଁ ବିଶ୍ୱପ୍ରସିଦ୍ଧ ବୀର ବାଦ୍ୟ ଘୁମୁରା ସହ ଢୋଲ ଓ ଶହ ଶହ ଘଣ୍ଟ ଆଦି ବାଦ୍ୟ ବିଭିନ୍ନ ସଂଗଠନ ତରଫରୁ ପରିବେଷଣ କରାଯାଏ। ଏଥିସହ ଜେନାଖାଲ ଠାରୁ ମା’ଙ୍କ ମନ୍ଦିର ଆସିବା ମଧ୍ୟରେ ସମ୍ପୂର୍ଣ ରାଜରାସ୍ତା ପଶୁବଳୀ ଦ୍ୱାରା ରକ୍ତରଂଜିତ ହୋଇଯାଏ। ଏହି ପ୍ରସିଦ୍ଧ ଛତର ଯାତ୍ରାରେ ପ୍ରାୟ ପଚାଶ ହଜାରରୁ ଉର୍ଦ୍ଧ ପଶୁ ଓ ପକ୍ଷୀଙ୍କ ବଳି ଦିଆଯାଇଥାଏ।ଆଉ କିଛି ଭକ୍ତ ଶ୍ରଦ୍ଧାରେ ପାରା ଉଡାଇଥାନ୍ତି। ଏହି ପ୍ରସିଦ୍ଧ ଯାତ୍ରା ଦେଖିବା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହିତ ସୁଦୂର ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ଭକ୍ତଗଣ ହଜାର ହଜାର ସଂଖ୍ୟାରେ ଆସିଥାନ୍ତି। ଆଜି ମଧ୍ୟ ମହାଆଡମ୍ବରରେ ଭବାନୀପାଟଣାରେ ପବିତ୍ର ଛତର ଯାତ୍ରା ପାଳିତ ହୋଇଛି। ଗତକାଲି ମହାଷ୍ଟମୀରେ ଅର୍ଦ୍ଧରାତ୍ରରେ ମା’ ଜେନାଖାଲକୁ ଗଲେ ଓ ମହାନବମୀ ଲାଗିଲା ପରେ ମା’ ଝୁମି ଝୁମି ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ନିଜ ମନ୍ଦିରକୁ ଦିବା ପ୍ରାୟ 11.45ରେ ପ୍ରତ୍ୟାବର୍ତନ କଲେ। ଶ୍ରଦ୍ଧାଳୁମାନେ ମା’ଙ୍କ ଠାରେ ହଜାର ହଜାର ସଂଖ୍ୟାରେ ବୋଦା, କୁକୁଡ଼ା, ପାରା ଆଦି ବଳି ଅର୍ପଣ କଲେ। ସମଗ୍ର ରାଜ ରାସ୍ତାରେ ରକ୍ତର ସୁଅ ଛୁଟିଥିଲା। ମା’ମନ୍ଦିରରେ ପହଁଚିଲା ପରେ ସେଠାରେ ମା’ଙ୍କ ଓ ପାର୍ଶ୍ୱ ଦେବତା ବୁଢାରଜା(ଭୈରବ, ଯାହାଙ୍କ ମନ୍ଦିର ଦ୍ୱାର ବର୍ଷକୁ ଗୋଟେ ଦିନ ଖୋଲାଯାଏ )ଙ୍କ ପୂଜାର୍ଚନା କରାଯାଇଥିଲା।