ନିମ୍ନ ମାନର ବିହନ ପାଇଁ ଚିନ୍ତାରେ ଧାନ ଚାଷୀ,ତଳି ରୋଇବାର ୧୫ ଦିନରେ ଥୋଡ଼ ଧରିଲା ଧାନ

ବୋଲଗଡ଼,୧୧/୯ (ସୁଶାନ୍ତ କୁମାର ପ୍ରଧାନ): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅସରଳା ପଞ୍ଚାୟତରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ। କଳାପଥର ବଜାରରେ ଥିବା ରାମନାଥ ଫର୍ଟିଲାଇଜର ଦୋକାନରୁ ଅଧିକ ଦାମ୍ ଦେଇ ଆଣିଥିବା କାବେରୀ ୫୦୧ ଧାନ ବିହନ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି।ଅସରଳା ଗ୍ରାମର ଚାଷୀ ସନ୍ତୋଷ କୁମାର ମହାପାତ୍ର କଳାପଥର ବଜାରସ୍ଥ ରାମନାଥ ଫର୍ଟିଲାଇଜରରୁ ଏକ ଏକର ପାଇଁ କେଜି କାବେରୀ ୫୦୧ ବିହନକୁ ୧୦୫୦ ଟଙ୍କାରେ କିଣିଥିଲେ। ଦୋକାନୀ ଏହା ୧୩୦ ଦିନିଆ ଅମଳ ବୋଲି କହିଥିଲେ। କିନ୍ତୁ ଧାନ ତଳି ରୁଆର ମାତ୍ର ୧୫ ଦିନ ମଧ୍ୟରେ ହିଁ ଧାନ ଗଛ ମାତ୍ର ୧ ଫୁଟ୍ ବଢି ଗର୍ଭ (କେଣ୍ଡା) ଧରି ନେଇଛି। ସାଧାରଣତଃ ଏହି କିସମ ୯୦-୧୦୦ ଦିନରେ ଗର୍ଭ ଧରିବା କଥା। ଅସମୟରେ ଗର୍ଭ ଧରିବା ଫଳରେ ଗଛର ବୃଦ୍ଧି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଭୁକ୍ତ ଭୋଗୀ ଚାଷୀ ସନ୍ତୋଷ କୁମାର ମହାପାତ୍ର କହିଛନ୍ତି, “ଭଲ ଧାନ ଅମଳ ଲକ୍ଷରେ ବିଶୁଦ୍ଧ ବିହନ ବୋଲି ବେସରକାରୀ ଦୋକାନରୁ ଆଣିଥିଲି। ଏବେ ମୁଁ ଧାନ ଅମଳ କିପରି କରିବି ?”
ସେହିପରି ଯୁବ ଚାଷୀ ଭାସ୍କର ବରାଡ କହିଛନ୍ତି, “ଏକର ପ୍ରତି ୧୦୫୦ ଟଙ୍କା ଦେଇ ବିହନ ଆଣିଲୁ। ଏବେ ବିଲ ସାରା ଧାନ ବାମନ ହେଇଗଲା। ଦୋକାନୀ କହୁଛି କମ୍ପାନୀ ଦାୟୀ। ଆମେ କୁଆଡେ ଯିବୁ ?”ଏ ନେଇ ଅସରଳା ଆଖପାଖ ଅଞ୍ଚଳର ଅନେକ ଚାଷୀ ପ୍ରଭାବିତ ହୋଇଥିବା ଜଣାପଡିଛି। ଚାଷୀମାନେ ତୁରନ୍ତ ନିମ୍ନମାନ ବିହନ ବିକ୍ରି କରୁଥିବା ରାମନାଥ ଫର୍ଟିଲାଇଜର ବିରୁଦ୍ଧରେ ପ୍ରଶାସନ ଓ କୃଷି ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ କ୍ଷତିପୂରଣ ଦାବି କରିଛନ୍ତି।
(ଉପାନ୍ତ ଖବର)
