September 21, 2024

ଆକାଶ ରେ ଆଉ ଉଡ଼ୁ ନାହିଁ ପକ୍ଷୀ*     *ବିଲରେ ଦିଶୁନି ମାଛ* ..

Share

*ଆକାଶ ରେ ଆଉ ଉଡ଼ୁ ନାହିଁ ପକ୍ଷୀ*

*ବିଲରେ ଦିଶୁନି ମାଛ*

*ଗାଁ ଗୋହିରୀ ରେ ବଗ ବସୁନାହିଁ*

*ଚାରିଆଡ଼େ ଖାଲି ମିଛ।*

 

*ସାରୁ ବୁଦା ମୂଳେ ବେଙ୍ଗ ରାବୁ ନାହିଁ*

**କୋଇଲି ଗାଉନି ଗୀତ*

*ଗାଁ ରାସ୍ତା ଆଉ କାଦୁଅ ହେଉନି*

*ଭିକାରୀ ମାଗୁନି ଭାତ।*

 

*ଗାଁ ଖଳାରେ ବି ବେଙ୍ଗଳା ପଡ଼ୁନି*

*ଶୁଭୁନି ଶଗଡ଼ ଶବ୍ଦ*

*ଗୁହାଳ ରେ ଆଉ ଗାଈ ଦିଶୁନାହିଁ*

*ନାହାନ୍ତି ଆଉ ବଳଦ।*

 

*ଚୁଲି ରନ୍ଧା ଏବେ ସପନ ହେଲାଣି*

*ନାହିଁ ବିରିଡାଲି ବାସ୍ନା*

*ଚୂନା ମାଛ ଆଉ ହାଟରେ ମିଳୁନି*

*ନାହିଁ ସେ ପୁରୁଣା ଜ୍ୟୋତ୍ସ୍ନା।*

 

*ଚଉଁରା ମୁରୁଜ ଉଭେଇ ଗଲାଣି*

*ମଥାରେ ନାହିଁ ସିନ୍ଦୁର*

*ଋତୁଚକ୍ର ଏବେ ଓଲଟି ଗଲାଣି*

*ଚାରିଆଡ଼େ ହାହାକାର।*

 

*ଗାଈଆଳ ଟୋକା ଗାଉନାହିଁ ଗୀତ*

*ନାହିଁ ସେ ଶାରଦ ଧାନ*

*ଗାଁ ଗଡ଼ିଆରେ କଇଁ ଫୁଟୁନାହିଁ*

*ଭାଗବତ ଟୁଙ୍ଗୀ ଶୁନ୍ୟ।*

 

*ଗାଁ ଗଣ୍ଡା ହେଲା କୋଠା ମାଳମାଳ*

*ମଦରେ ହୋଇଲେ ଭୋଳ*

*ପୋଖରୀ ରେ ଆଉ ପଦ୍ମ ଫୁଟୁନାହିଁ*

*ଦିଶୁନାହିଁ ଆଉ ଚାଳ।*

 

*ଗାଁ ବିଲରେ ସେ କ୍ଷେତ ବଢ଼ୁନାହିଁ*

*ଉଡ଼ୁ ନାହିଁ ଶଙ୍ଖ ଚିଲ*

*ଡେଙ୍ଗା ତାଳଗଛ ଉଜୁଡ଼ି ଗଲାଣି*

*ନାହିଁ ସେ ଶାଗୁଣା ପଲ।*

 

*ଗାଁ ଖଳାରେ ବି ବଦାଡ଼ି ବସୁନି*

*କାହିଁ ପୂର୍ବ ଓଷାବ୍ରତ*

*ଚାଳ ଉପରେ ବି କୁଆ ରାବୁନାହିଁ*

*ନାହିଁ ସେ ପଖାଳ ଭାତ।*

 

*ବର୍ଷାଦିନେ ଆଉ ନଦୀ ବଢ଼ୁନାହିଁ*

*ନାହିଁ ସେ ପୁରୁଣା ଶୀତ*

*ବଂଶୀଖଡ଼ା ଏବେ ସପନ ହେଲାଣି*

*କାହିଁ ସେ ସଇ ସଂଗାତ।*

 

*ଗାଁ ପଡ଼ିଆରେ କନ୍ଦୁକ ପଡ଼ୁନି*

*ନାହିଁ ସେ ସଞ୍ଜ ଗୋଧୂଳି*

*ଦାଣ୍ଡ ବାରଣ୍ଡା ରେ ପ୍ରାର୍ଥନା ଶୁଭୁନି*

*କାହିଁ ସେ ଘିଅ ଦୀପାଳି।*

 

*ଭଜନ ଜଣାଣ ଆଉ ସଂକୀର୍ତ୍ତନ*

*ବେସୁରା ସବୁ ହେଲାଣି*

*ଭାବମୂର୍ତ୍ତି ଏଠି ବଦଳି ଗଲାଣି*

*ଶାନ୍ତି ଉଭେଇ ଗଲାଣି।*

 

*ଅସୁରୁଣୀ ଗପ କିଏବା କହିବ*

*ଟିଭି ରେ ସମସ୍ତେ ବାଇ*

*ବାଇ ଚଢ଼େଇର ବସା ଦିଶୁନାହିଁ*

*ସବୁଆଡ଼େ ହାଇଁ ପାଇଁ।*

 

*ଶାସନ ଟା ଏବେ ଶ୍ରୀହୀନ ଦିଶୁଛି*

*ଶାଶୁ ପିନ୍ଧୁଛି ନାଇଟି*

*ଶାଗ ପଖାଳ ଯେ ଚୁଲିକି ଗଲାଣି*

*ସମସ୍ତେ ଚାଲିଲେ ବିୟୁଟି।*

 

*ଡାକ ପିଅନ ଟି ଚିଠି ଆଣୁନାହିଁ*

*ମୋବାଇଲ ହେଲା କାଳ*

*ବାଟରେ ଘାଟରେ ଡିସ୍କୋଡ୍ୟାନ୍ସ ଚାଲେ*

*ସଂଗୀତ ରେ ନାହିଁ ତାଳ।*

 

*ବାରମାସ ରେ ଯେ ତେରପର୍ବ ଏଠି*

*ସାତ ସପନ ହେଲାଣି*

*ସଜ ମାଛରେ ବି ପୋକ ପଡ଼ିଯାଏ*

*ମାୟାରେ ବାୟା ହେଲେଣି।*

 

*ବିଲରେ କେଉଁଠି ହଳ ଦିଶୁନାହିଁ*

*ନାହିଁ ସେ ହଳିଆ ଭାଇ*

*ଘର ପଛପଟେ ଢିଙ୍କି କୁଟୁ ନାହିଁ*

*ସବୁ ଗଲାଣି ଉଭେଇ।*

 

*ରୋଗ ବ୍ୟାଧି ଏବେ ପ୍ରବଳ ମାତିଛି*

*ତା’ପାଇଁ ଔଷଧ ନାହିଁ*

*ଏଡ୍ସ ପ୍ରେସର କ୍ୟାନ୍ସର ଡାଇବେଟିସ୍*

*ଯାଉଛି ଜୀବନ ନେଇ।*

 

*ନାହିଁ ଚାଟଶାଳୀ ଗାଁ ମୁଣ୍ଡେ ଆଉ*

*ନାହିଁ ସେ କାଳି କଲମ* *ବେତାର ଯନ୍ତ୍ରର ବିଲୋପ ହେଲାଣି*

*ଯୁବ ବାଣୀ କାର୍ଯ୍ୟକ୍ରମ।*

 

*ଗାଁ ମୁଣ୍ଡେ ଆଉ ବସୁନାହିଁ ହାଟ*

*ଚାଷୀ ବୁଜୁନାହିଁ ବାଡ଼*

*ଦଳର ମୁଖିଆ ଶିକ୍ଷା ଦେଉଥିବା*

*ଦିଶୁନି ବୁଢ଼ା ମାଙ୍କଡ଼।*

 

*ପୁରାଣ ଶାସ୍ତ୍ରରେ ମନ ବଳୁନାହିଁ*

*ପାଲା ଯେ ଟାହି ଟାପରା*

*ଯାତ୍ରା ଦୃଶ୍ୟପଟ୍ଟ ବଦଳି ଗଲାଣି*

*କଳାରେ କଳଙ୍କ ଭରା।*

 

*କାଳିଆ ପାଖରେ ମନ ଆଉ ନାହିଁ*

*ବାବାଜୀ ପଛରେ ବାଇ*

*ବ୍ରାହ୍ମଣ ପାଠୁଆ ହୋଇଲେ କି ହେବ*

*ମନ୍ତ୍ର ପାଠ ଜାଣୁ ନାହିଁ।*

 

*ଘାଟତୁଠ କୁ ତ ବାରିକ ଆସୁନି*

*ରଜକ ଦେଉନି ପାଣି*

*ରାଇଜ ଯାକର ଯେତେକ ନିୟମ*

*ସବୁ ବଦଳି ଗଲାଣି।*

 

*ଏକାଠି ବସିବା ଏକାଠି ଖାଇବା*

*ପରିବାର ମଧ୍ୟେ ନାହିଁ*

*ସୁନ୍ଦର ସମ୍ପର୍କ ଦୂରେଇ ଗଲାଣି*

*କଳିଯୁଗ ଦ୍ୱାହି ଦେଇ।*

 

*ଜୀବନ ର ମାନେ ସଂସାର ଜଞ୍ଜାଳ*

*ସମସ୍ତଙ୍କୁ ଥିଲା ଜଣା*

*କୃତ୍ରିମ ଜୀବନ ଜୀଇଁବାକୁ ଏଠି*

*ଲାଗୁଛି ଭାରି ଯନ୍ତ୍ରଣା।*

 

*ଜୀବନଟା ଏଠି ମରୁଭୂମି ଲାଗେ*

*ମିଛ ମରୀଚିକା ଭଳି*

*ଦି ଦିନ ଦୁନିଆ ଏହି ସଂସାର କୁ*

*ତଥାପି ପାରୁନି ଭୁଲି।*

 

*ସବୁଜ ସୁନ୍ଦର ସୁନାର ପୃଥିବୀ*

*ଚିତ୍ର ବଦଳି ଗଲାଣି*

*ବିଚିତ୍ର ଦୁନିଆ ଜୀବଜଗତ କୁ*

*ନର୍କ କୁ ଠେଲି ଦେଲେଣି।*

🙏🏾