ଉମରକୋଟରେ ଆଡ଼ମ୍ବର ସହ ପାଳିତ ହେଲା ‘ହର ଘର ତ୍ରିରଙ୍ଗା’ ଅଭିଯାନ
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଓ ଏହାର ଆଖପାଖ ଅଞ୍ଚଳରେ “ହର ଘର ତ୍ରିରଙ୍ଗା” ଅଭିଯାନ ଅତ୍ୟନ୍ତ ଉତ୍ସାହ ଓ ଆଡ଼ମ୍ବର ସହିତ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଜେପି ରାଜ୍ୟ ଉପସଭାପତି ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢୀ, ସାଂସଦ ପ୍ରତିନିଧି ରାମ ନାୟକ, ବରିଷ୍ଠ ଓକିଲ ତପନ ଦେବନାଥ, କାଉନସିଲର କନକଲତା ନାୟକ, ପୈରପରିଷ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ମେହେର ଯୋଗଦେଇଥିଲେ।ଅନେକଙ୍କ ହାତରେ ଛୋଟ ଛୋଟ ଜାତୀୟ ପତାକା ଥିବା ବେଳେ ୫୦୦ ଫୁଟର ବିଶାଳତ୍ରିରଙ୍ଗା ପତାକା ମଧ୍ଯ ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲା। ସ୍ୱାଧୀନତା ଦିବସ ଅବସରରେ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରବାସୀ ସ୍ୱତଃସ୍ଫୂର୍ତ୍ତ ଭାବେ ଅଂଶଗ୍ରହଣ କରିଥିଲେ।ସହରର ପ୍ରତ୍ୟେକ ଘର, ଦୋକାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଜାତୀୟ ପତାକା ଶୋଭା ପାଇଥିଲା। ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସାମାଜିକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ସ୍ଥାନୀୟ ବୁଦ୍ଧିଜୀବୀ ଓ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ଏକ ବିଶାଳ ‘ତ୍ରିରଙ୍ଗା ଶୋଭାଯାତ୍ରା’ ଆୟୋଜିତ ହୋଇଥିଲା। ଦୁଃଖ ର ବିଷୟ ଗୋପବନ୍ଧୁ ଛକ ଠାରେ ଥିବା ଗୋପବନ୍ଧୁ ପ୍ରତିମୂର୍ତ୍ତି ଠାରେ ରେ ପ୍ରଶାସନ କି ରାଜନେତା ଫୁଲମାଳ ପକାଇବା ଭୁଲିଗଲେ । ପରେ ପୈରପରିଷଦ ର ସଫେଇ କର୍ମଚାରୀ ମାନେ ପ୍ରତିମୂର୍ତ୍ତି ଠାରେ ଫୁଲମାଳ ପକାଇଥିଲେ ।ଏହି ପଦଯାତ୍ରା ଡିଏନକେ ପ୍ୟାରେଡ ପଡିଆ ଠାରୁ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ପରିକ୍ରମା କରିବା ସହ “ଭାରତ ମାତା କି ଜୟ” ଓ “ବନ୍ଦେ ମାତରମ୍” ଧ୍ୱନିରେ ଗଗନ ପବନ କମ୍ପିତ ହୋଇଉଠିଥିଲା। ଜାତୀୟ ପତାକା ହେଉଛି ଆମ ଗର୍ବ ଓ ଗୌରବର ପ୍ରତୀକ। ‘ହର ଘର ତ୍ରିରଙ୍ଗା’ ଅଭିଯାନ ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମ, ଏକତା ଓ ସାମ୍ପ୍ରଦାୟିକ ସଦ୍ଭାବନାକୁ ଅଧିକ ସୁଦୃଢ଼ କରିପାରିଛି ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କୁ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ସଚେତନ କରାଯାଇଥିଲା। ସମଗ୍ର ଉମରକୋଟ ସହର ଦେଶପ୍ରେମର ଆବେଗରେ ଆନ୍ଦୋଳିତ ହୋଇଉଠିଥିବା ଦେଖିବାକୁ ମିଳିଥିଲା।
