ଧର୍ମଗଡ଼ ସହରରେ ଡାକ୍ତରଙ୍କ ଘରେ ଡକାୟତି

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା,ଧର୍ମଗଡ ସହରରେ ଲଗାତାର ଚୋରି ଡକାୟତି ଆଦି ଘଟଣା ଘଟିଚାଲିଥିବାବେଳେ, ଗତ ବିଳମ୍ବିତ ରାତିରେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଅଜିତ କୁମାର ଦାସଙ୍କ ଘରେ ଡକାୟତି ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତି ପ୍ରାୟ ୧ ଘଣ୍ଟା ସମୟରେ ଡା. ଦାସଙ୍କ ଘରେ ଡକାୟତ ମାନେ ଆସି କବାଟ ବାଡେଇଥିଲେ। ଡା. ଦାସ କୌଣସି ରୋଗୀ ଆସିଥିବେ ଭାବି କବାଟ ଖୋଲିଥିଲେ। କିନ୍ତୁ କବାଟ ଖୋଲିବା ମାତ୍ରେ ସଙ୍ଗେ ସଙ୍ଗେ କଳା ମୁଖା ପିନ୍ଧିଥିବା ଚାରି ଜଣ ଡକାୟତ ଘର ଭିତରେ ଧସେଇ ପସିବା ସହ ବନ୍ଧୁକ ଦେଖାଇ ଡା. ଦାସଙ୍କୁ କାବୁ କରି ଗାମୁଛା ଓ ପେଣ୍ଟ ସାହାଯ୍ୟରେ ତାଙ୍କର ହାତ ଗୋଡ ବାନ୍ଧିଦେବା ସହ ମୁହଁରେ ସେଲୋ ଟେପ ଲଗାଇ ପୂଜା ଘର ଭିତରେ ଭରିଦେଇଥିଲେ। ଏଥିମଧ୍ୟରେ ଡା. ଦାସ ମଧ୍ୟ ସାହାସ ଦେଖାଇ ଜଣେ ଡକାୟତ ଠାରୁ ବନ୍ଧୁକ ଛଡ଼ାଇ ଫାୟାର କରିବାପାଇଁ ଚେଷ୍ଟା କରିଥିଲେ। କିନ୍ତୁ ବନ୍ଧୁକଟି ନଫୁଟିବାରୁ ଡାକ୍ତର ଜାଣିବାକୁ ପାଇଥିଲେ ଯେ’ବନ୍ଧୁକଟି ନକଲି ଥିଲା। ଏହାପରେ ଡା. ଦାସଙ୍କୁ ପୂଜଘର ଭିତରେ ତିନି ଜଣ ଡକାୟତ ଜଗି ରହିଥିବାବେଳେ, ଜଣେ ଡକାୟତ ଡା. ଦାସଙ୍କ ବେଡ଼ ରୁମରେ ଥିବା ଆଲମାରି ଖୋଲି ନଗଦ ୮O ହଜାର ଟଙ୍କା, ପ୍ରାୟ ୫୪ ଗ୍ରାମର ସୁନା ଚେନ ଓ ମୁଦି ତଥା ଡାକ୍ତରଙ୍କ ମନିପର୍ସରେ ଥିବା ନଗଦ ୨ ହଜାର ଟଙ୍କା ଧରି ଡକାୟତ ମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ। ଏହାପରେ ଏହି ଘଟଣାକୁ ନେଇ ଧର୍ମଗଡ଼ ପୋଲିସକୁ ସୂଚନା ଦିଆଯିବା ପରେ, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଥିବାବେଳେ,ବର୍ତ୍ତମାନ ପର୍ଯ୍ୟନ୍ତ ଡକାୟତ ମାନଙ୍କର ବିଷୟରେ କୌଣସି ଟେର ପାଇ ପାରିନାହିଁ। ସୂଚନା ଥାଉକି ଡା. ଦାସଙ୍କ ସରକାରୀ କ୍ୱାର୍ଟରଟି ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ ବାସଭାବନର ଅତି ନିକଟରେ ଅବସ୍ଥିତ। ଏହା ସତ୍ତ୍ୱେ ଅତି ସହଜରେ ଏଭଳି ଡକାୟତି ଘଟଣା ଘଟିଯିବା ନେଇ ଧର୍ମଗଡ଼ ସହରବାସୀଙ୍କ ମନରେ ପୋଲିସ ବିଭାଗର ଦାୟିତ୍ୱ ଓ କାର୍ଯ୍ୟକଳାପ ଉପରେ ଘୋର ଆସନ୍ତୋଷ ଜାତ ହେବାସହ ପ୍ରଶ୍ନବାଚି ସୃଷ୍ଟି କରିଛି।
