ଆନ୍ତଃ ଜିଲ୍ଲା ପେନସନ ଅଦାଲତ:୪ ଜିଲ୍ଲାରୁ ୫ ଶହରୁ ଉର୍ଦ୍ଧ୍ୱ ଅଭିଯୋଗ ଶୁଣାଣିରେ ନେଲେ ଭାଗ

ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ):ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଓ ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଆନୁକୂଲ୍ୟରେ ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ସହଯୋଗରେ ଆନ୍ତଃ ଜିଲ୍ଲା ପେନସନ ଅଦାଲତ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ପେନସନ ଅଦାଲତରେ ସମ୍ବଲପୁର,ବରଗଡ଼, ଦେଓଗଡ଼ ଓ ଝାରସୁଗୁଡା ଜିଲ୍ଲାର ପାଞ୍ଚ ଶହରୁ ଅଧିକ ପେନସନ ଓ ଭବିଷ୍ୟନିଧି ମଞ୍ଜୁରକର୍ତ୍ତା ଏବଂ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅବସରକାଳୀନ ବକେୟା ପ୍ରାପ୍ୟ ଅଭିଯୋଗ ଶୁଣାଣିରେ ଭାଗ ନେଇଥିଲେ l ଏହି ପେନସନ ଅଦାଲତରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ), ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦେଶକ ଶ୍ରୀ ନିହାର ରଞ୍ଜନ ଦାଶ, ପେନସନ ଓ ଭବିଷ୍ୟନିଧି ଉପ ମହାଲେଖାକାର ଶ୍ରୀ ସଞ୍ଜୟ କୁମାର,ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଟର ଅତିରିକ୍ତ ସଚିବ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ,ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦଭୂଷଣ(ଭା.ପ୍ର.ସେ),ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ କୁମାର ଭୋଇ,ଉପ ଲେଖା ନିୟନ୍ତ୍ରକ,ଉପ ନିର୍ଦ୍ଦେଶକ ଶ୍ରୀ ଅସିତ କୁମାର ପାଣି, ବରିଷ୍ଠ ଲେଖା ଅଧିକାରୀ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ଶ୍ରୀ ସୁଦାମ ସେଠୀ ଯୋଗ ଦେଇଥିଲେ l ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସମ୍ବଲପୁର ଜିଲ୍ଲାର ଅବସରପ୍ରାପ୍ତ କର୍ମଚାରୀଙ୍କ ଅବସରକାଳୀନ ବକେୟା ପ୍ରାପ୍ୟ ଯେପରି ତୁରନ୍ତ ସମାଧାନ କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ l ଉପ ମହାଲେଖାକାର ସଞ୍ଜୟ କୁମାର ଅବସର ନେବାକୁ ଥିବା କର୍ମଚାରୀମାନଙ୍କର ଅବସରକାଳୀନ ପ୍ରାପ୍ୟ ଆବେଦନପତ୍ର ଏଜି କାର୍ଯ୍ୟାଳୟକୁ ଅବସର ପୂର୍ବରୁ ପଠାଇବାକୁ ସବୁ ଜିଲ୍ଲାର ପେନସନ ମଞ୍ଜୁରକର୍ତ୍ତାଙ୍କୁ ଅନୁରୋଧ ଜଣାଇଥିଲେ, ଯାହାଫଳରେ ଅବସରପ୍ରାପ୍ତ କର୍ମଚାରୀ ଅବସର ନେଲାପରେ ସେମାନଙ୍କର ପେନସନ, ଗ୍ରାଚୁଇଟି ଓ ଭବିଷ୍ୟନିଧି ପ୍ରାପ୍ୟ ପ୍ରଦାନ କରାଯାଇ ପାରିବ l ନିର୍ଦେଶକ ଶ୍ରୀ ଦାଶ ରାଜ୍ୟ ସରକାର ଅବସର ପ୍ରାପ୍ତ କର୍ମଚାରୀଙ୍କ ଅବସରକାଳୀନ ଦେୟ ଯେପରି ତୁରନ୍ତ ଫଇସଲା ହୋଇପାରିବ ସେଥିପ୍ରତି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ଓ ଯେଉଁ ଅଧିକାରୀମାନେ ଏହି ଲକ୍ଷ୍ୟରୁ ବିଚ୍ୟୁତ ହେବେ ସରକାର ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚାଇ ଦେଇଥିଲେ l ପ୍ରାରମ୍ଭରେ ଏଜି କାର୍ଯ୍ୟାଳୟ ପକ୍ଷରୁ ଏହି ଚାରୋଟି ଜିଲ୍ଲାରେ ବିଭିନ୍ନ କାରଣ ପାଇଁ ଅଟକି ଥିବା ପେନସନ, ଗ୍ରାଚୁଇଟି ଓ ଭବିଷ୍ୟନିଧି ଓ ଏହାର ସମାଧାନ ପାଇଁ ପିପିଟି ମାଧ୍ୟମରେ ଦର୍ଶାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସହକାରୀ ଲେଖା ଅଧିକାରୀ ମନିଷ କୁମାର, ସୌମ୍ୟ ରଞ୍ଜନ ମହାରଣା, ପୁରୁଷୋତ୍ତମ ବଳ, ଜାମି ସଞ୍ଜୟ କୁମାର, କୌଶିକ କୁମାର କବି ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ପରିଚାଳନା କରିଥିଲେ l ଏହି ଅବସରରେ ଓଡିଶା ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ପେନସନ ସମ୍ୱନ୍ଧୀୟ ଅଭିଯୋଗ ଶୁଣାଣି କରାଯାଇଥିଲା l ସୂଚନା ଅନୁଯାୟୀ ପେନସନ ସମ୍ୱନ୍ଧୀୟ ଅଭିଯୋଗ ଶୁଣାଣି ଠାରେ ୨୧୭ ଟି ପେନସନ ସମ୍ୱନ୍ଧୀୟ ଅଭିଯୋଗ, ୨୬୯ ଟି ସାଧାରଣ ପ୍ରୋଭିଡେଣ୍ଟ୍ ପାଣ୍ଠି ସମ୍ୱନ୍ଧୀୟ ଅଭିଯୋଗ, ୮୧ ଜିପିଏଫ ଆରବି ଅଭିଯୋଗ ପ୍ରାପ୍ତ ହୋଇଥିଲା।