May 18, 2024

ସମ୍ବଲପୁରର ବରପୁତ୍ର ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ର ସାମାଜିକ ଓ ରାଜନୈତିକ ନେତୃତ୍ୱର ଥିଲେ ଅନନ୍ୟ ପରିଚୟ – ଧର୍ମେନ୍ଦ୍ର ପ୍ରଧାନ…

Share

 

ସମ୍ବଲପୁର,:ସମ୍ବଲପୁରର ବରପୁତ୍ର ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ସାମାଜିକ ଓ ରାଜନୈତିକ ନେତୃତ୍ୱର ଅନନ୍ୟ ପରିଚୟ ଥିଲେ ବୋଲି ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ମହାପୁରୁଷଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ସେ କହିଛନ୍ତି ଯେ ପୂଜ୍ୟ ବାପୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରାବସ୍ଥାରୁ ଦେଶମାତୃକାର ସେବା ପାଇଁ ପଣ୍ଡିତ ଲକ୍ଷ୍ମୀନାରାୟଣ ଥିଲେ ପ୍ରତିବଦ୍ଧ । ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ର ସମାବେଶୀ ସମାଜର କଳ୍ପନା କରିଥିଲେ । ତାଙ୍କର ଭାଷା ସାହିତ୍ୟ ପ୍ରତି ଅନୁରାଗ ଓ ବିକାଶ ପାଇଁ ଥିଲା ପ୍ରତିବଦ୍ଧତା । ଅସ୍ମିତା ଏବଂ ସ୍ୱାଭିମାନର ବ୍ରତୀ ନେଇ ଥିବା ତାଙ୍କର ପ୍ରାସଙ୍ଗିକ ବିଚାର ଗୁଡିକ ସମାଜ ପାଇଁ ପଥେୟ ହେଉ । ବିଶେଷତଃ ବର୍ତ୍ତମାନର ସାମାଜିକ ଓ ରାଜନୈତିକ ଯୁବପିଢି ଏବଂ କାର୍ଯ୍ୟକର୍ତ୍ତା ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ସମ୍ୱଲପୁର ମାଟି ହେଉଛି ଅନନ୍ୟ ମାଟି । ଏହି ମାଟି ବୀର ସୁରେନ୍ଦ୍ରଙ୍କ ଲଢେଇର ମାଟି । ଏଇ ମାଟି ପୁଣି ମାଧୋ ସିଂହଙ୍କ ଶହୀଦ ହେବାର ମାଟି ଏବଂ କୁଦୋପାଲି ଠାରେ ସହିଦ ହୋଇଥିବା ଶହୀଦ ମାନଙ୍କ ସଂଘର୍ଷର ମାଟି । ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ର ଥିଲେ ସେହି ସ୍ଵାଭିମାନୀ ଶହୀଦ ମାନଙ୍କ ଦ୍ଵାରା ଏବଂ ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀଙ୍କ ଦ୍ଵାରା କରାଯାଇଥିବା ସ୍ଵାଧୀନତା ଯଜ୍ଞର ସମିଧ କାଠ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।(ରାଜାରାମ ଷଡଙ୍ଗୀ )