ବୁଗୁଡ଼ା ମଦନ ମୋହନ ଛକ ଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ହେବ ଡିଭାଇଡର ବ୍ୟବସ୍ଥା
ବୁଗୁଡ଼ା : ତା ୧୧/୦୪/୨୩ : ବାଲିପଦର ଠାରୁ ବୁଗୁଡ଼ା ଦେଇ କରସିଙ୍ଗି ପର୍ଯ୍ୟନ୍ତ ଦୀର୍ଘ ୩୫ କିଲୋମିଟର ରାସ୍ତାର ପ୍ରଶସ୍ଥିକରଣ ଓ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଭରଚୁଆଲ ମୋଡ଼ରେ ଶିଳାନ୍ୟାସ କରିଥିବା ବେଳେ ଆଜି ବୁଗୁଡ଼ା ମଦନ ମୋହନ ଛକଠାରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏହି ଶିଳାର ଲୋକାର୍ପଣ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅମୀୟ ମିଶ୍ର, ବୁଗୁଡ଼ା ସହକାରୀ ଯନ୍ତ୍ରୀ ରମେଶ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ରାସ୍ତା ପାଇଁ ତିରିଶି କୋଟି ଟଙ୍କା ବ୍ୟୟ ବରାଦ ହୋଇଛି l ପୂର୍ବରୁ ଏହି ରାସ୍ତା ୭ ମିଟର ଚଉଡ଼ା ଥିବା ବେଳେ ବର୍ତ୍ତମାନ ଏହାର ଓସାର ଦଶ ମିଟର ହେବ ଏବଂ ରାସ୍ତା ଓସାର ପାଇଁ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫରମର ଓ ଗଛ ଆଦି ହଟାଇବା ପାଇଁ ମଧ୍ୟ ଅତିରିକ୍ତ ଅର୍ଥ ବ୍ୟବସ୍ଥା ହୋଇଥିବା ଜଣା ପଡିଛି l ତିରିଶି କୋଟି ଅଟକଳ ମଧ୍ୟରେ ବୁଗୁଡ଼ା ମଦନ ମୋହନ ଛକ ଠାରୁ ବଡଶଙ୍ଖ ପର୍ଯ୍ୟନ୍ତ ଡିଭାଇଡର ବ୍ୟବସ୍ଥା ରହିଥିବା ପୂର୍ତ୍ତ ବିଭାଗ ସୂଚନା ଦେଇଛି l