ଗଜପତି:- ଜିଲ୍ଲା ସ୍ତରୀୟ “ବେଟି ବଚାଓ ବେଟି ପଢ଼ାଓ” ଅନଲାଇନ୍ ସାଇବର ସେଫ୍ଟି କାର୍ଯ୍ୟକ୍ରମ – ୧୬ ଦିନିଆ ଅଭିଯାନ ସମାପନୀ ଓ ମାନବାଧିକାର ଦିବସ ଉଦ୍ଯାପନା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ସ୍ତରୀୟ “ବେଟି ବଚାଓ ବେଟି ପଢାଓ” ସମେତ ଅନଲାଇନ୍ ସାଇବର ସେଫ୍ଟି ସଚେତନତା କାର୍ଯ୍ୟକ୍ରମ ଏବଂ ୧୬ ଦିନିଆ ଲିଙ୍ଗଭିତ୍ତିକ ହିଂସା ବିରୋଧୀ ଅଭିଯାନ ଓ ମାନବାଧିକାର ଦିବସ ଉଦ୍ଯାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜତିନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥିରୂପେ ଯୋଗଦେଇ “ବେଟି ବଚାଓ ବେଟି ପଢ଼ାଓ ଅଭିଯାନ , କନ୍ୟାଶିଶୁ ସଶକ୍ତିକରଣ, ଏବଂ ବର୍ତ୍ତମାନ ସମାଜରେ ସାଇବର ସୁରକ୍ଷା ଓ ସଚେତନତାର ଆବଶ୍ୟକତା ବିଷୟରେ ସାରଗର୍ଭକ ଉପଦେଶ ଦେଇଥିଲେ।
କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ମହାପାତ୍ର ,
ପାରଳାଖେମୁଣ୍ଡି ଆଦର୍ଶ ଥାନାର ଇନ୍ସପେକ୍ଟର ଇନଚାର୍ଜ ଶ୍ରୀ ପ୍ରଶାନ୍ତ ଭୂପତି,
ସାଇବର ରିସୋର୍ସ ପର୍ସନ୍ ଶ୍ରୀ ସଞ୍ଜୟ ପାଢ଼ୀ ଓ ଶ୍ରୀ ଗୋପାଳ ପାଢ଼ୀ
ବନ୍ଧନ ବ୍ୟାଙ୍କ ମ୍ୟାନେଜର , ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡିଏସଡବ୍ଲ୍ୟୁ: କାର୍ଯ୍ୟାଳୟର ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସମସ୍ତ ଅତିଥିମାନେ ସାଇବର ସୁରକ୍ଷା ପାଇଁ ୫ଟି ମହତ୍ୱପୂର୍ଣ୍ଣ ସଚେତନତା ବିନ୍ଦୁ (୧)- କ୍ୟୁ:ଆର: କୋଡ଼ ସ୍କାମରୁ ସାବଧାନ ରୁହନ୍ତୁ । କୌଣସି ପେମେଣ୍ଟ୍ ଗ୍ରହଣ କରିବା ପାଇଁ ଆପଣଙ୍କୁ କୌଣସି QR କ୍ୟୁ:ଆର: କୋଡ଼ ସ୍କାନ୍ କରିବାକୁ ପଡ଼ିବ ନାହିଁ । ଯଦି କେହି ଆପଣଙ୍କୁ ଟଙ୍କା ପଠାଇବା ପାଇଁ କ୍ୟୁ:ଆର୍: କୋଡ଼ ସ୍କାନ୍ କରିବାକୁ କୁହେ , ତେବେ ଜାଣନ୍ତୁ ଯେ , ଏହା ଏକ ଠକେଇ । କ୍ୟୁ:ଆର: କୋଡ଼ କେବଳ ଟଙ୍କା ପଠାଇବା ପାଇଁ ବ୍ୟବହୃତ ହୋଇଥାଏ । ସେହିଭଳି
(୨):- ଲୋନ୍ ଆପ୍ ଠକେଇରୁ ଦୂରେଇ ରୁହନ୍ତୁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ଅନୁମୋଦିତ ନ ଥିବା ଅନେକ ବେଆଇନ ଲୋନ୍ ଆପ୍ ଅଛି। ଏହି ଆପ୍ ମାଧ୍ୟମରେ ଲୋନ୍ ନିଅନ୍ତୁ ନାହିଁ। ଏମାନେ ଅଧିକ ସୁଧ ନେବା ସହିତ ଆପଣଙ୍କ ତଥ୍ୟ ଚୋରି କରି ବ୍ଲାକମେଲ୍ କରିପାରନ୍ତି।
(୩):- ସରକାରୀ ଯୋଜନାର ନକଲି ମେସେଜ୍ , ସରକାରୀ ଯୋଜନା-(ଯେପରିକି ମାଗଣା ଲାପଟପ୍ , ସ୍କୁଟି , କିମ୍ବା ଆବାସ ଯୋଜନା) ନାଁରେ ଆସୁଥିବା ମିଥ୍ୟା ଏସ:ଏମ:ଏସ: କିମ୍ବା ୱାଟସ-ଆପ ମେସେଜ୍ ଉପରେ ବିଶ୍ୱାସ କରନ୍ତୁ ନାହିଁ। ସବୁବେଳେ ସରକାରୀ ୱେବସାଇଟ୍ ଯାଞ୍ଚ କରନ୍ତୁ।
(୪):-ସୋସିଆଲ୍ ମିଡିଆ ଆକାଉଣ୍ଟର ସୁରକ୍ଷା ନିଜ ଫେସବୁକ୍ , ଇନଷ୍ଟାଗ୍ରାମ , କିମ୍ବା ଅନ୍ୟାନ୍ୟ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରାଇଭେସି ସେଟିଙ୍ଗସ’କୁ ମଜବୁତ କରନ୍ତୁ। ଆପଣଙ୍କ ପୋଷ୍ଟ କେବଳ ଆପଣଙ୍କ ବନ୍ଧୁମାନେ ଦେଖିବା ଭଳି ସେଟିଙ୍ଗସ୍ କରନ୍ତୁ।
(୫):- ଏଟିଏମ:/ୟୁ:ପି:ଆଇ: ପିନ୍ ଗୋପନୀୟ ରଖନ୍ତୁ , କେବେ ବି କାହା ସହିତ ଆପଣଙ୍କର ଏ:ଟି:ଏମ:-ପିନ୍ , ୟୁପିଆଇ: ପିନ୍ କିମ୍ବା ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ପାସୱାର୍ଡ ସେୟାର୍ କରନ୍ତୁ ନାହିଁ। ବ୍ୟାଙ୍କ କର୍ମଚାରୀ କେବେବି ଆପଣଙ୍କଠାରୁ ଏହି ସୂଚନା ମାଗନ୍ତି ନାହିଁ।
ମହିଳା–ଶିଶୁ ସୁରକ୍ଷା , ସାଇବର ବୁଲିଙ୍ଗ୍ , ଅନଲାଇନ୍ ଠକେଇ ରୋକଥାମ ଓ “ବେଟି ବଚାଓ ବେଟି ପଢ଼ାଓ” ଅଭିଯାନର ଗୁରୁତ୍ୱ ବିଷୟରେ ମୂଲ୍ୟବାନ ମତ ପ୍ରକାଶ କରିଥିଲେ ।
ଆଇ:ଏସ:ଆର:ଡି: ୱାନ-ଷ୍ଟପ୍ କେନ୍ଦ୍ରର କେନ୍ଦ୍ର ପ୍ରସାଶିକା ଶ୍ରୀମତୀ ସୁନୀତା ରଥ କେନ୍ଦ୍ରକୁ ଆସିଥିବା ସାଇବର କ୍ରାଇମ୍ କେସ’ର ଏକ ଉଦାହରଣ ଦେଇ କିପରି ସାଇବର ସୁରକ୍ଷା କରାଯାଇ ପାରିବ , ସେହି ବିଷୟରେ ବୁଝାଇଥିଲେ ।
ଶ୍ରୀମତୀ ଶିବାନୀ ପାଣିଗ୍ରାହୀ ମାନବାଧିକାର ଦିବସର ମୂଲ୍ୟବୋଧ ଓ ସମତା–ନ୍ୟାୟ ପ୍ରତି ନାଗରିକଙ୍କ ଦାୟିତ୍ୱ ବିଷୟରେ ଆଲୋଚନା କରିଥିଲେ।
ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ୧୬ ଦିନିଆ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ କରା ଯାଇଥିବା ଅଭିଯାନର ସଫଳତା ଉଲ୍ଲେଖ କରି ଆଇଏସଆରଡି: ୱାନ-ଷ୍ଟପ ସେଣ୍ଟର୍ ଓ ଜିଲ୍ଲା ପ୍ରଶାସନ’ଙ୍କ ସହଯୋଗର ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମହାରାଜା ବାଳକ ହାଇସ୍କୁଲ୍ , ମହେନ୍ଦ୍ରଗିରି ହାଇସ୍କୁଲ୍ , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ମହିଳା ଜୁନିୟର କଲେଜ୍ , ଉତ୍କଳ ବାଳାଶ୍ରମର ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦ, ଆଙ୍ଗନୱାଡ଼ି କର୍ମୀ , ସୁପରଭାଇଜର , ପ୍ରୋଗ୍ରାମ୍ ଅଫିସର , ସିଡିପିଓ: ଗଣ , ଶକ୍ତି ସଦନ , ୱାନ-ଷ୍ଟପ ସେଣ୍ଟର , ଡିଏଚ୍ଇଡବ୍ଲ୍ୟୁ: , ଡିଏସଡବ୍ଲ୍ୟୁଓ: ଏବଂ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଉତ୍କଳ ବାଳଶ୍ରମର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଇବର ସୁରକ୍ଷା ଉପରେ ଏକ ରୋଲ ପ୍ଲେ କରା ଯାଇଥିଲା ।
ଆଜିର ଉଦ୍ୟମ ଜିଲ୍ଲାବାସୀଙ୍କ ମଧ୍ୟରେ ସାଇବର ସୁରକ୍ଷା , ନାରୀ–ଶିଶୁ ସଶକ୍ତିକରଣ , ଏବଂ ମାନବାଧିକାର ସଚେତନତା ବିଷୟରେ ଦୃଢ଼ ବାର୍ତ୍ତା ପହଞ୍ଚାଇ—ନିରାପଦ , ସଚେତନ ଓ ଶୃଙ୍ଖଳିତ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————
