November 23, 2024

ଚଳିତ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି(ଆରମ୍ଭ ହେବ ଚାରି ବର୍ଷର ସ୍ନାତକ କୋର୍ସ)

Share

 

 

ବ୍ରହ୍ମପୁର(ନୁରୁଲ ମଲ୍ଲିକ)ଉଚ୍ଚଶିକ୍ଷା କ୍ଷେତ୍ରରେ ଚଳିତ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି ।

ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ଓଡିଶାରେ ଚାରି ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ର ମାନଙ୍କୁ ସାର୍ଟିଫିକେଟ୍, ଡିପ୍ଲୋମା, ଡିଗ୍ରି, ଏବଂ ଡିଗ୍ରି ଅନର୍ସ ପ୍ରଦାନ କରାଯିବ। ୟୁଜିସି ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମୱାର୍କ ଆଧାରରେ ରାଜ୍ୟ ସ୍ତରୀୟ କ୍ରେଡିଟ୍ ଫ୍ରେମ୍‌ୱାର୍କ ପ୍ରସ୍ତୁତ ହୋଇଅଛି ଏବଂ ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯାଇଛି ।

କମ୍ୟୁନିଟି ସର୍ଭିସ୍ ଓ ଏକ୍ସଟ୍ରା କରିକୁଲାର ଏକ୍ଟିଭିଟି,ଏନସିସି, ଏନଏସଏସ, ଇତ୍ୟାଦି ପାଇଁ ମଧ୍ୟ କ୍ରେଡିଟ ପ୍ରଦାନ କରାଯିବ। ଏତଦ୍ୱାରା ଛାତ୍ରଛାତ୍ରୀ ମାନେ ନିଜ ସ୍ୱେଚ୍ଛାରେ ତାଙ୍କର ବିଷୟ ଗୁଡିକ ଚୟନ କରି ଏକାଧିକ ଥର ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରବେଶ ଓ ପ୍ରସ୍ଥାନ ସହିତ ସାତ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସକୁ ପୂର୍ଣ୍ଣ କରିପାରିବେ।

ଏଥିପାଇଁ ବର୍ତ୍ତମାନରେ ୪୦ଟି ସ୍ନାତକ ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ୍ ସିଲାବସ୍ ସହିତ ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ୧୧୨ ଟି ମଲ୍ଟି ଡିସିପ୍ଲିନାରୀ ପାଠ୍ୟକ୍ରମ, ୧୪ଟି ଧନ୍ଦାମୂଳକ ପାଠ୍ୟକ୍ରମ, ୫୬ଟି ମୂଲ୍ୟ ଯୁକ୍ତ ପାଠ୍ୟକ୍ରମ ଏବଂ ୮୪ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ଅନୁମୋଦନ କରାଯାଇଛି। ଏହାଦ୍ୱାରା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକ ନୂତନ ସିଲାବସ୍ ଓ କ୍ରେଡିଟ୍ ଫ୍ରେମ୍‌ୱାର୍କ ଅନୁଯାୟୀ ଜାତୀୟ ଶିକ୍ଷାନୀତି ଲାଗୁ କରିପାରିବେ ।