ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲରେ ମନୋଜ ଦାସ ପାଠାଗାର ଉଦ୍ଘାଟିତ
ହାଟଡିହି ତା ୧୦/୯(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେରୁଣପଦୀସ୍ଥିତ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲରେ ନୂତନ ଭାବେ ପ୍ରତିଷ୍ଠିତ ମନୋଜ ଦାସ ପାଠାଗାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ସ୍କୁଲର ପ୍ରତିଷ୍ଠାତା ଡା. ପ୍ରଦୀପ ସେଠୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦ୍ଘାଟନୀ ସମାରୋହରେ ଓଡ଼ିଆ ଚଳଚ୍ଚିତ୍ର ତାରକା ଶ୍ରୀ ବାବୁସାନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠାଗାରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ବାବୁସାନ କହିଥିଲେ ଯେ, ଏହି ପାଠାଗାର ମାଧ୍ୟମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ପାଠ୍ୟ ପୁସ୍ତକ ପଢ଼ିବା ଓ ଜ୍ଞାନ ଆହରଣ କରିବାର ସୁଯୋଗ ପାଇପାରିବେ। ଏହି କାର୍ଯ୍ୟକ୍ରମରେ ଡା. ପ୍ରଶାନ୍ତ ନାୟକ, ଶ୍ରୀ ପଙ୍କଜ ଅରୋରା, ଶ୍ରୀ ସନ୍ତୋଷ ରାଉତ, ପ୍ରଧାନଶିକ୍ଷକ ଶ୍ରୀ ମିଲନ ବ୍ୟାନାର୍ଜୀ, ପ୍ରଶାସକ ଶ୍ରୀମତୀ ସୁମନ ଗୁପ୍ତା ଏବଂ ମୁଖ୍ୟ ଇଞ୍ଜିନିୟର ଶ୍ରୀ ରାଧାକାନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ। ୟୁଜିଆଇଏସ (UGIS) ଛାତ୍ରୀ ଅନୁଷ୍କା ମହାନ୍ତି ଏବଂ ସାଇ ସ୍ୱପ୍ନିଲ ନନ୍ଦ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଗ୍ରାମାଞ୍ଚଳରେ ଏପରି ଏକ ସୁନ୍ଦର ବିଦ୍ୟାଳୟ ସ୍ଥାପନ କରି ଗ୍ରାମାଞ୍ଚଳର ଅନେକ ଅଭାବୀ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ବିଶ୍ୱସ୍ତରୀୟ ଗୁଣାତ୍ମକ ଶିକ୍ଷା ପାଇବାର ସୁଯୋଗ ଦେଇଥିବାରୁ ଡା. ପ୍ରଦୀପ ସେଠୀଙ୍କ ପ୍ରୟାସକୁ ଉପସ୍ଥିତ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ମୁଖ୍ୟ ଅତିଥି ଶ୍ରୀ ବାବୁସାନଙ୍କ ସହ ଏକ ଆକର୍ଷଣୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଉତ୍ସବରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।
