September 11, 2026

ଗଜପତି:- ଜାତୀୟ ପୁରସ୍କାରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ

IMG-20260910-WA0043
Share

ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଗଜପତି ଜିଲ୍ଲାପାଳଙ୍କ ବାସ ଭବନରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଜାତୀୟ ପୁରସ୍କାର ପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁଙ୍କୁ ସମ୍ମାନିତ କରିଛନ୍ତି ।

ସମ୍ମାନିତ କରିବା ପରେ ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ , ଗଜପତି ଜିଲ୍ଲାର ଶିକ୍ଷାର ବିକାଶ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ଶିକ୍ଷାର ଉନ୍ନତି ଓ ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ କିଛି ଗୁରୁ ମନ୍ତ୍ର ଦେବା ସହ ସମସ୍ତ ପ୍ରଧାନ ଶିକ୍ଷକ- ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହଯୋଗ କାମନା କରିଥିଲେ l

ମୁଖ୍ୟତଃ ମୌଳିକ ସାକ୍ଷରତା, ଶିକ୍ଷଣ ଫଳାଫଳ, ବିଦ୍ୟାଳୟ ସୁରକ୍ଷା, ପଠନ ଅଭ୍ୟାସର ଓ ଡ୍ରପଆଉଟ୍ ରୋକିବା କ୍ଷେତ୍ରରେ ଅଭିନବ ପ୍ରୟାସ ପାଇଁ ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁଙ୍କୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି ।

ଶିକ୍ଷା ପ୍ରଶାସନକୁ ସୁଦୃଢ଼ କରିବା ଏବଂ ବିଦ୍ୟାଳୟ ଶିକ୍ଷାର ଗୁଣବତ୍ତା ଉନ୍ନତ କରିବାରେ ଅଭିନବ ପଦକ୍ଷେପ ଏବଂ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ୍’ (NIEPA) ଦ୍ୱାରା ଓଡ଼ିଶାର ସାତ ଜଣ ଶିକ୍ଷା ଅଧିକାରୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରା ଯାଇଥିବା ବେଳେ ସେଥିରେ ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ସାହୁ ଅନ୍ୟତମ।

ନୂଆଦିଲ୍ଲୀରେ NIEPA (ନିପା) ଦ୍ୱାରା ଆୟୋଜିତ ଶିକ୍ଷା ପ୍ରଶାସନରେ ନବସୃଜନ ଏବଂ ଉତ୍ତମ ଅଭ୍ୟାସ ପୁରସ୍କାର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଜାତୀୟ ମାନ୍ୟତା ଶିକ୍ଷା ପ୍ରଶାସକ ମାନଙ୍କ ଦ୍ୱାରା ଶିକ୍ଷଣ ଫଳାଫଳକୁ ଉନ୍ନତ କରିବା, ବିଦ୍ୟାଳୟ ସୁରକ୍ଷାକୁ ପ୍ରୋତ୍ସାହିତ କରିବା, ଡ୍ରପ ଆଉଟ୍ କୁ ରୋକିବା ଏବଂ ଶିକ୍ଷାଗତ ସେବା ପ୍ରଦାନକୁ ସୁଦୃଢ଼ କରିବା ପାଇଁ ଗ୍ରହଣ କରାଯାଇଥିବା ଅଭିନବ ଅଭ୍ୟାସକୁ ସ୍ୱୀକୃତି ଦେଇଥାଏ ।

ଗଜପତିର ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ମାୟାଧର ସାହୁଙ୍କୁ “ପ୍ରୟାସ @ ସୁପର 30 ଗଜପତି” ପାଇଁ ସମ୍ମାନିତ କରାଯାଇଥିଲା, ଯାହା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍କର୍ଷତା ହାସଲ କରିବା ଏବଂ ଉଚ୍ଚଶିକ୍ଷା ହାସଲ କରିବା ପାଇଁ ଶୈକ୍ଷିକ ସହାୟତା ଏବଂ ସୁଯୋଗ ପ୍ରଦାନ କରୁଥିବା ପଦକ୍ଷେପ ।

ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ସାହୁଙ୍କ ଏହି ସଫଳତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ସାହୁଙ୍କ ଏହି ଜାତୀୟ ମାନ୍ୟତା ଗଜପତି ଜିଲ୍ଲା ପାଇଁ ଗର୍ବର ବିଷୟ ଏବଂ ଏହା ବିଦ୍ୟାଳୟ ଶିକ୍ଷା ପ୍ରଶାସନକୁ ସୁଦୃଢ଼ କରିବା ସମେତ ନବସୃଜନକୁ ପ୍ରୋତ୍ସାହିତ କରିବ ଏବଂ ଉନ୍ନତ ଶିକ୍ଷାଗତ ଫଳାଫଳ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାର ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରିବାରେ ନିଶ୍ଚିତ ଭାବେ ସହାୟକ ହେବ ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————