ହର ଘର ତ୍ରିରଙ୍ଗା ଅଭିଯାନ ଅବସରରେ କୋରାପୁଟରେ ବିଶାଳ ରାଲି, ବନ୍ଦେ ମାତରମ ନାରାରେ ଗୁଞ୍ଜିଲା ସହର

କୋରାପୁଟ, ୧୦/୮/୨୦୨୬: ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ଚାଲିଥିବା ‘ହର ଘର ତ୍ରିରଙ୍ଗା-୨୦୨୬’ ଅଭିଯାନର ଅଂଶ ସ୍ୱରୂପ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସୋମବାର ସକାଳ ୮ଟାରେ ଏକ ବିଶାଳ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା ଏବଂ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଯୋଗ ଦେଇଥିଲେ। ପୋଲିସ ପ୍ୟାରେଡ୍ ପଡ଼ିଆରୁ ଆରମ୍ଭ ହୋଇ ରାଲିଟି କ୍ରୀଡା କଂପ୍ଲେକ୍ସରେ ଶେଷ ହେଲା। ରାଲି ଆରମ୍ଭରେ ସମ୍ମିଳିତ ଭାବରେ ବନ୍ଦେ ମାତରମ ଏବଂ ରାଲି ଶେଷ ହେବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ତ୍ରିରଙ୍ଗା ପ୍ରତି ସମ୍ମାନ ଓ ଜାତୀୟ ଏକତାର ବାର୍ତ୍ତା ପ୍ରଚାର କରିବା ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ରାଲି ସମୟରେ ସମଗ୍ର ସହର ଦେଶଭକ୍ତିମୟ ସ୍ଲୋଗାନ ଏବଂ ଜୟ ହିନ୍ଦ ଧ୍ୱନିରେ କମ୍ପି ଉଠିଥିଲା।
ଏହି ରାଲିରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ ମୁଦୁଲି, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବେଣୁଧର ଶବର, ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତି ସୁଧା ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଜାନି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର,ନବରଙ୍ଗ ପୂର ସାଂସଦ ପ୍ରତିନିଧି ରାମେଶ୍ୱେର ଜେନାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦାନ କରିଥିଲେ ।
ଏହାବ୍ୟତୀତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସୀମା ସୁରକ୍ଷା ବାହିନୀ, ଓଡ଼ିଶା ସଶସ୍ତ୍ର ପୋଲିସ ତୃତୀୟ ବାଟାଲିୟନ, ଭାରତୀୟ ରିଜର୍ଭ ବାଟାଲିୟନ ସପ୍ତମ ଓ ପ୍ରଥମ ବାଟାଲିୟନ, ସ୍ୱତନ୍ତ୍ର ଅପରେସନ ଗୋଷ୍ଠୀ, ବରିଷ୍ଠ ନାଗରିକ ସଂଘ, ସାମ୍ବାଦିକ ବନ୍ଧୁ ଏବଂ ବହୁ ସଂଖ୍ୟାରେ ସାଧାରଣ ଜନତା ରାଲିରେ ସାମିଲ ହୋଇଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
