April 29, 2026

ଗରିବ କଲ୍ୟାଣ ଓ ବିକାଶ ସମାବେଶ

IMG-20250810-WA0084
Share

ଛତ୍ରପୁର ତା. ୧୦.୦୮.୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁରସ୍ଥିତ ଅନସ୍ଲୋ ହାଇସ୍କୁଲ ପଡିଆ ଠାରେ ରବିବାର ଦିନ ଗରିବ କଲ୍ୟାଣ ଓ ବିକାଶ ସମାବେଶ ଜିଲ୍ଲାପାଳ ଓ୍ବି କିର୍ତ୍ତି ଓ୍ବାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଜିଲ୍ଲାପାଳ ଓ୍ବି କିର୍ତ୍ତି ଓ୍ବାସନ ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡିକର ସଚେତନତାର ବାର୍ତ୍ତା ଲୋକଙ୍କ ପାଖରେ କିପରି ପହଞ୍ଚାଯାଇ ପାରିବ ତାହା ହିଁ ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ସଚେତନତାର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚି ପାରିଲେ ଜିଲ୍ଲାର ଆର୍ଥିକ ବିକାଶ ଘଟିବ । ଏହି ସମାବେଶରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେଯେ, ଆଜି ମହାନ ଜନନାୟକ ସ୍ବର୍ଗତ ଭି.ଭି.ଗିରିଙ୍କ ଜନ୍ମ ଦିନ । ଗଞ୍ଜାମ ଜିଲ୍ଲାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ବିଶ୍ବନାଥ ଦାସ, ଶଶୀ ଭୂଷଣ ରଥ, ବିନାୟକ ଆଚାର୍ଯ୍ୟ, ବିଜୁ ପଟ୍ଟନାୟକ, ସଂଯୁକ୍ତା ପାଣିଗ୍ରାହୀ, ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଆଦିବାସୀ ଜନନାୟକ ଚକରା ବିଷୋୟୀ ଆଦି ଗଞ୍ଜାମ ଜିଲ୍ଲାର ସୁଯୋଗ୍ୟ ସନ୍ତାନ ମାନଙ୍କୁ ସର୍ବ ପ୍ରଥମେ ପ୍ରଣାମ ଜଣାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଆଜିର ନୂଆ ଓଡିଶା ଗଠନ ହେବାରେ ୧୧ ବର୍ଷ ବାକି ଅଛି । ୨୦୩୬ ସୁଦ୍ଧା ବିକଶିତ ଓଡିଶା କରିବାକୁ ପଡିବ । ଗଞ୍ଜାମ ଜିଲ୍ଲାର ବିକାଶ ହେଲେ ଓଡିଶାର ବିକାଶ ହେବ, ଓଡିଶାର ବିକାଶ ହେଲେ ବିକଶିତ ଭାରତ ଗଠନ ହୋଇପାରିବ । ଗଞ୍ଜାମ ଜିଲ୍ଲାର ଲୋକମାନେ କାମ କରିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଯୋଜନା ବଦ୍ଧ ଭାବେ ଆଗାମୀ ଦଶ ପନ୍ଦର ବର୍ଷ ଭିତରେ ବ୍ୟାବସାୟିକ ଅର୍ଥନୀତି ମଜବୁତ କରିବାକୁ ପଡିବ । ଗଞ୍ଜାମ ଜିଲ୍ଲାର ଅର୍ଥ ନୀତିରେ ଆକର୍ଷିତ ହୋଇ ଦେଶ ବିଦେଶରୁ ଲୋକମାନେ ଆସିବେ । ଗଞ୍ଜାମ ହେବ ତାର ପ୍ରୟୋଗଶାଳା । ଆଇଜରରେ ୧୧୦୦ କୋଟି ଟଙ୍କା ବ୍ୟୟକରି ବିଶ୍ବସ୍ତରରେ ବୈଜ୍ଞାନିକ ପ୍ରୟୋଗଶାଳାର ଯୋଜନା କେନ୍ଦ୍ର ସରକାର କରିଛନ୍ତି । ଭାରତୀୟ ବିରଳ ମୃତ୍ତିକାରେ ଆଗରୁ ୬ ପ୍ରକାର କ୍ରିଟିକାଲ ମିନେରାଲ ଉତ୍ପାଦିତ ହୋଇ ବିଦେଶକୁ ଯାଉଥିଲା । କିନ୍ତୁ ବର୍ତ୍ତମାନ ଦେଶ ଭିତରେ, ରାଜ୍ୟ ଭିତରେ କିଭଳି ଉପଯୋଗ ହୋଇପାରିବ ତାର ଯୋଜନା କରାଯାଇଛି । ସେମି କଣ୍ଡକ୍ଟର ଓ ଇଲେକ୍ଟ୍ରି ଭେହିକିଲରେ ସେହି ମିନେରାଲର ଅବଦାନ ରହିଛି । ଲୁଣିପାଣିକୁ ମଧୁର ଜଳରେ ପରିଣତ କରିବାକୁ ଭାଭା ଆଟମିକ ରିସର୍ଚ୍ଚ ସେଣ୍ଟର ତରଫରୁ ଆରମ୍ଭ କରାଯାଇ ନିକଟସ୍ଥ ଗ୍ରାମଗୁଡିକୁ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଲକ୍ଷାଧିକ ଟଙ୍କା ବିନିଯୋଗ କରାଯାଇଛି । ସମସ୍ତ ଗରିବଙ୍କ ମୁଣ୍ଡ ଉପରେ ପକ୍କାଘରର ଯୋଜନା କରାଯାଇଛି । ସାଢେ ତିନିକୋଟି ଲୋକଙ୍କ ଘରେ ନଳରେ ଜଳର ବ୍ୟବସ୍ଥା କରାଯାଇଛି । ମତ୍ସ୍ଯ ସମ୍ପଦକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । କୃଷି, ବ୍ୟବସାୟ, ଗୋ ପାଳନ, ମତ୍ସ୍ୟଚାଷ ଆଦିକୁ ରିହାତି ବ୍ୟବସ୍ଥା କରାଯାଇଛି । ଋଷିକୂଲ୍ୟାର ଜଳକୁ ଚାଷକାର୍ଯ୍ୟରେ ବିନିଯୋଗ କରିବାକୁ ହେବ । ଏ ଅଞ୍ଚଳର ପର୍ଯ୍ୟଟନ, କୃଷି ଭିତ୍ତିକ ଉତ୍ପାଦନ, ଶ୍ରମ, ଖଣିଜ ସମ୍ପଦ ଆଦିର ସମ୍ଭାବନା ରହିଛି । ଆମ ସମସ୍ତଙ୍କ ମିଳିତ ସହଯୋଗରେ ଗଞ୍ଜାମର ବିକାଶ ଘଟିବ ବୋଲି କହିଥିଲେ ।

ମାନ୍ୟବର ସାଂସଦ ବ୍ରହ୍ମପୁର ଡ.ପ୍ରଦୀପ କୁମାର ପାଣିଗ୍ରାହୀ ସମାବେଶରେ ଯୋଗ ଦେଇ କହିଥିଲେଯେ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଉନ୍ନତି, ଆଇଜରର ଉନ୍ନତି ନିମନ୍ତେ ସରକାର ସହଯୋଗର ହାତ ବଢାଇ ଅନୁଦାନ ଦେଇଛନ୍ତି । ଭାରତୀୟ ବିରଳ ମୃତ୍ତିକାକୁ ଭାରତବର୍ଷରେ ଶ୍ରେଷ୍ଠ କେନ୍ଦ୍ର କରିବା ଓ ଗଞ୍ଜାମର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି । ଗରିବ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି ।

ମାନ୍ୟବର ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ କହିଥିଲେଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଜିଲ୍ଲାରେ ଶିଳ୍ପର ବିକାଶ ହୋଇଛି । ଶିଳ୍ପର ବିକାଶ ହେଲେ ଜିଲ୍ଲାର ବିକାଶ ହେବ ।

ଏହି ସମାବେଶରେ ମାନନୀୟା ସାଂସଦ ଆସ୍କା ଅନୀତା ଶୁଭଦର୍ଶିନୀ, ମାନ୍ୟବର କବିସୂର୍ଯ୍ୟନଗର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ, ମାନ୍ୟବର ବିଧାୟକ ସୋରଡା ଶ୍ରୀଯୁକ୍ତ ନୀଳମଣୀ ବିଷୋୟୀ, ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଜିଲ୍ଲାର ସୁଭଦ୍ରା ଯୋଜନା,ପେନସନ ଯୋଜନା, ରାସନକାର୍ଡ, ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା, ଆୟୁଷ୍ମାନ ଯୋଜନା, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା, ମିଶନ୍ କାର୍ଡ ଯୋଜନା ଆଦିର ବହୁ ହିତାଧିକାରୀ, ବିଭିନ୍ନ ବିଭାଗର ଅଧିକାରୀଗଣ, ସାମ୍ବାଦିକ ବନ୍ଧୁଗଣ ପ୍ରମୁଖ ଉପସ୍ଥିତ ଥିଲେ ।

ଶେଷରେ ନାରାୟଣ ମହାରଣା ଓ ସୁକାନ୍ତ ବେହେରାଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ପ୍ରମାଣ ପତ୍ର, ଛତ୍ରପୁର ବ୍ଲକ୍ ର ସି.ଏଚ୍ ଆଦିଆମ୍ମା, ରେଖୀ ଦାସ, ଲକ୍ଷ୍ମଣ ବେହେରାଙ୍କୁ ଭତ୍ତା (ପେନସନ୍), ଛତ୍ରପୁର ବ୍ଲକ୍ ର ପଟ୍ଟିକାମନା, କବିତା ସ୍ବାଇଁ, ଜୟନ୍ତୀ ପ୍ରଧାନଙ୍କୁ ରାସନ୍ କାର୍ଡ, ସିମାଞ୍ଚଳ ବେହେରା, ଉମାକାନ୍ତ ବେହେରାଙ୍କୁ ଆୟୁଷ୍ମାନ କାର୍ଡ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଏସ୍. ରେଣାବାବୁ ରେଡ୍ଡି, ଡି.ମହେଶ ଏବଂ ଗଞ୍ଜାମ ବ୍ଲକ୍ ର କେ. ଭାରତୀ ରେଡ୍ଡି, ଶିବାନୀ ସାହୁ ଓ ସୋନାଲୀ ମହାନ୍ତିଙ୍କୁ ମିଶନ୍ କାର୍ଡ ବଣ୍ଟନ କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed