April 14, 2025

ଅବସର ପ୍ରାପ୍ତ ପିଇଓଙ୍କୁ ମିଳୁନି ଭତ୍ତା, ମିଳିନି ବକେୟା ଦରମା, ବର୍ଷ ବର୍ଷ ଧରି ବୁଲାଉଛନ୍ତି ଅଧିକାରୀ।

Share

 

 

କୋଲନରା:( ସଞ୍ଜୀବ କଣ୍ଡାଗରୀ ) ସରକାରୀ ଚାକିରୀ ପାଇବା ପାଇଁ ଲୋକେ କେତେ ସଂଘର୍ଷ କରୁଛନ୍ତି। କାରଣ ମାସକୁ ମାସ ବେତନ ପାଇ ସରକାରୀ କାର୍ଯ୍ୟ କରିବା ସହିତ ନିଜ ପରିବାର ଓ ପିଲା ମାନଙ୍କୁ ମଣିଷ କରିବା ଆଶା କରିଥାନ୍ତି। କିନ୍ତୁ ଜଣେ ସରକାରୀ କର୍ମଚାରୀ ଦୀର୍ଘ ୩୯ ବର୍ଷ ଧରି ସରକାର ଙ୍କ ଅଧୀନରେ ପିଇଓ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ନିୟମ ଅନୁସାରେ ୬୦ ବର୍ଷରେ ସରକାରୀ ଚାକିରୀରୁ ଅବସର ନେବା ପରେ ସଙ୍ଗେ ସଙ୍ଗେ ସରକାର ଙ୍କ ଠାରୁ ତାଙ୍କୁ ପ୍ରୋଭିଜନାଲ ପେନସନ ଦେବାର ନିୟମ ରହିଛି। ଏହା ପରେ ରେଗୁଲାର ପେନସନ ଯୋଗାଇ ଦେବାର ପ୍ରାବଧାନ ରହିଥିଲେ ବି ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ସରକାରୀ ଅଧିକାରୀ ଓ କର୍ମଚାରୀ ଯେଉଁ ମାନେ ତାଙ୍କର କାଗଜପତ୍ର କାମ କରିବା କଥା ସେମାନଙ୍କ ର ମନମୁଖୀ ବା ଲାପରିବାହି କାର୍ଯ୍ୟଯୋଗୁଁ ଅବସର ପ୍ରାପ୍ତ କର୍ମଚାରୀ ମାନେ ଓ ତାଙ୍କର ପରିବାରର ଲୋକେ ଅର୍ଥାଭାବ ଯୋଗୁଁ ବିଭିନ୍ନ ସମସ୍ୟାରେ ଘାଣ୍ଟି ହେଉଥିବା ଦେଖିବାକୁ ମିଳିଛି। ସୂଚନା ଥାଉକି ଶ୍ରୀ ଅବନୀ କୁମାର ପାଢୀ ୧୯୮୬ ମସିହାରେ ତତ୍କାଳୀନ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଭି ଏଲ ଡବ୍ଲ୍ୟୁ ଭାବେ ସରକାରୀ ଚାକିରୀ ଜୀବନ ଆରମ୍ଭ କରିଥିଲେ। ୨୦୦୯ ମସିହାରେ ରାୟଗଡା ଜିଲ୍ଲା କୁ ବଦଳୀ ହେବାପରେ କୋଲନରା ବ୍ଲକରେ ପିଇଓ ଭାବେ ଯୋଗଦେଲେ। ବ୍ଲକରେ ଯୋଗଦେବା ପରେ ତାଙ୍କୁ ମୁକୁନ୍ଦପୁର ପଞ୍ଚାୟତ ପିଇଓ ଭାବେ ୧ବର୍ଷ, ପରେ ଝରଡି ପିଇଓ ଭାବେ ୩ ବର୍ଷ ଓ ପରେ ଡୁମୁରିଗୁଡ଼ା ପିଇଓ ଭାବେ ୨ ବର୍ଷ ଦାୟିତ୍ୱ ତୁଲାଇଥିଲେ। ଏହି ସମୟରେ ପିଇଓ ମାନେ ପଞ୍ଚାୟତ ରେ ଭତ୍ତା ବଣ୍ଟନ ପରେ ସେମାନଙ୍କ ପାଖରେ ଅଧିକ ଲକ୍ଷାଧିକ ଟଙ୍କା ରହୁଥିବାରୁ ତାକୁ ଫେରାଉ ନ ଥିବା ଜଣା ପଡିଥିଲା। ଇତି ମଧ୍ୟରେ ତାଙ୍କୁ ୨୦୧୪ ମସିହାରେ ବିଷମ କଟକ ବ୍ଲକକୁ ବଦଳୀ ହୋଇଗଲା। ସେଠାରେ କାର୍ଯ୍ୟରତ ଥିବା ବେଳେ କୋଲନରା ବ୍ଲକର ଡୁମୁରିଗୁଡ଼ା ପଞ୍ଚାୟତ ଭତ୍ତା ଟଙ୍କା ଘଟଣାରେ ଭିଜିଲାନ୍ସ କେଶ ରେ ତାଙ୍କୁ ବିଷମ କଟକ ବ୍ଲକରେ ୨୦୧୬ ମସିହାରେ ନିଲମ୍ବନ କରା ଯାଇଥିଲା। ନିଲମ୍ବନ ପରେ ଅଧା ଦରମା ମିଳିବା ନିୟମ ଥିଲେ ମଧ୍ୟ ତାଙ୍କୁ ଦିଆଗଲା ନାହିଁ। ଏହାପରେ ପରେ ତାଙ୍କୁ ପୁଣି ଚନ୍ଦ୍ରପୁର ବ୍ଲକ କୁ ବଦଳୀ କରାଗଲା। ସେଠାରେ ଶ୍ରୀ ପାଢ଼ୀ ୨୦୧୬ ରୁ କାମ କରୁଥିବା ବେଳେ ୩୧,୫,୨୦୨୨ରେ ତାଙ୍କୁ ରି ଇନଷ୍ଟିଟ କରା ଯାଇଥିଲା। ଏହାପରେ ସେ ଚନ୍ଦ୍ରପୁର ବ୍ଲକରେ ୩୧, ୮, ୨୦୨୩ ରେ ସରକାରୀ ଚାକିରୀରୁ ଅବସର ନେଲେ। ତେବେ ଅଦ୍ୟବଧି ତାଙ୍କୁ ୨୦୧୬ ମସିହାରୁ ସସପେନ୍ସ ଆଲାଉନସ ମିଳିଲାନି, ବିଷମ କଟକ ବ୍ଲକରୁ ଏଲ ପି ସି ଚନ୍ଦ୍ରପୁର ବ୍ଲକ କୁ ଯାଇନି, ୨୦୧୬ ରୁ ତାଙ୍କୁ ଦରମା ମିଳିନି କିମ୍ବା ତାଙ୍କୁ ପ୍ରୋଭିଜିନାଲ ପେନସନ ମିଳିନି କିମ୍ବା ତାଙ୍କର ପେନସନ କାଗଜପତ୍ର କାମ ମଧ୍ୟ ଏହି କାମ କରୁଥିବା କର୍ମଚାରୀ ବା ଅଧିକାରୀ କରାଇ ଦେଇ ନାହାଁନ୍ତି। ଜଣେ ସଚୋଟ କର୍ମଚାରୀ ଯଦି ସରକାରୀ ଅର୍ଥ ଫେରାଇବାର ଅଛି ତେବେ ଉକ୍ତ କର୍ମଚାରୀ ମଧ୍ୟ ସରକାରଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ବି ପାଇବାର ଅଛି । ଏହାର ସମାଧାନ ବିଷମ କଟକ ବ୍ଲକ ଅଧିକାରୀ ନ କରି ଅବସର ନେଉଥିବା କର୍ମଚାରୀଙ୍କୁ ଜାଣିଶୁଣି ଏଭଳି ସମସ୍ୟାରେ ପକାଇ ବାର ଦୁଆର ଶୁଣ୍ଢି ପିଣ୍ଢା ବୁଲାଇବା ଉଚିତ ନୁହେଁ ବୋଲି ଅନ୍ୟ କର୍ମଚାରୀ ମାନେ କହିଛନ୍ତି। ଜିଲ୍ଲାପାଳ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେବା ଆବଶ୍ୟକ ବୋଲି ସରକାରୀ କର୍ମଚାରୀ ଓ ଲୋକେ କହିଛନ୍ତି।