ମୁକୁନ୍ଦପୁରକୁ ବ୍ଲକ ଘୋଷଣା ଦାବି, ଦାବି ପତ୍ର ପ୍ରଦାନ କରି ଦେଢ଼ ବର୍ଷ ବିତିଲା କୌଣସି ଫଳପ୍ରଦ ହେଲା ନାହିଁ, ଆନ୍ଦୋଳନ ଚେତାବନୀ ଦେଲେ ଅଞ୍ଚଳବାସୀ

କୋଲନରା:(ସଞ୍ଜୀବ କଣ୍ଡାଗରୀ) ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅଧିନସ୍ଥ ମୁକୁନ୍ଦପୁରକୁ ଏକ ନୂତନ ବ୍ଲକ ଭାବେ ଘୋଷଣା କରିବାକୁ ଦାବି ହୋଇଛି | ରାଜ୍ୟରେ ନୂତନ ବ୍ଲକ ଓ ତହସିଲ ସଂଖ୍ୟା ବୃଦ୍ଧି କରାଯିବା ନେଇ ରାଜସ୍ବ ମନ୍ତ୍ରୀଙ୍କ ଘୋଷଣା ପରେ ମୁକୁନ୍ଦପୁରକୁ ନୂତନ ବ୍ଲକ ଗଠନ ନେଇ ଆଶା ସଞ୍ଚାର ହୋଇଛି | ସାଧାରଣ ଜନତାଙ୍କ ସାମୁହିକ ଦାବିକୁ ନେଇ ତତ୍କାଳୀନ ଓଡିଶା ସରକାରଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମହାମହିମ ରାଜ୍ୟପାଳଙ୍କ ସମେତ ଜିଲ୍ଲାପାଳ, ସାଂସଦ ଓ ମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଥିଲେ ହେଁ ଏଯାଏଁ କୌଣସି ଫଳପ୍ରଦ ହୋଇନାହିଁ | ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ | ୨୦୨୩ ମସିହା ଜୁଲାଇ ୪ ତାରିଖରେ ବରିଷ୍ଠ ଆଇନଜୀବି ଲାବାନ୍ୟ ମୋହନ ପଟ୍ଟନାୟକ ମଧ୍ୟ ମୁକୁନ୍ଦପୁରକୁ ବ୍ଲକ ଘୋଷଣା କରିବାକୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ତତ୍କାଳୀନ ରାଜସ୍ବ ମନ୍ତ୍ରୀ, ଅନୁସୂଚିତ ଜାତି ଜନଜାତି କଲ୍ୟାଣ ମନ୍ତ୍ରୀ ଓ ସାଂସଦଙ୍କୁ ଚିଠି ଲେଖି ଗୁହାରୀ କରିଥିଲେ ବି କୌଣସି ଫଳପ୍ରଦ ହୋଇପାରି ନାହିଁ | ଶ୍ରୀ ପଟ୍ଟନାୟକ ଲେଖିଥିବା ଚିଠିରେ ଉଲ୍ଲେଖ ରହିଥିଲା କି, କୋଲନରା ବ୍ଲକର ରେଖାପଦର, ବାଙ୍କୀଲି, କୈଳାଶପୁର, ଝୋରିଡି, ଭୋଇମଡା, କାଟିକଣା ଏବଂ ମୁକୁନ୍ଦପୁର ଭଳି ୭ ଗୋଟି ପଞ୍ଚାୟତ ମୁକୁନ୍ଦପୁରକୁ ସିଧାସଳଖ ସଂଯୋଗ କରୁଅଛି | ଦୁର୍ଗମ ଘାଟି ଅଞ୍ଚଳରେ ଥିବା ଏହି ସବୁ ପଞ୍ଚାୟତର ଗାଁର ଲୋକମାନେ ଅନେକ ସମୟରେ କୋଲନରା ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯିବାକୁ ହେଲେ ବିପଦପୂର୍ଣ୍ଣ ଘାଟି ରାସ୍ତା ତଥା ବ୍ୟସ୍ତ ବହୁଳ ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଯାତାୟାତ କରିଥାନ୍ତି | ଯଦ୍ୱାରା ଅନେକ ସମୟରେ ସଡ଼କ ଦୁର୍ଘଟଣା ଘଟିବା ସହ ଦୂରତ୍ୱରେ ରହିଥିବା କୋଲନରା ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଯାତାୟାତ କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଞ୍ଚାୟତ ବାସୀ | ଅଞ୍ଚଳର କିଛି ପଞ୍ଚାୟତ ବାସୀ ବ୍ଲକ ସଦର ମହକୁମା ଠାରୁ ୨୫ ରୁ ୩୦ କିଲୋମିଟର ଦୁରତାରେ ରହୁଛନ୍ତି, ଯଦ୍ୱାରା ଲୋକେ ଜରୁରୀକାଳୀନ ସମୟରେ ବହୁତ ଅସୁବିଧା ଭୋଗୁଛନ୍ତି | ଏହି ୭ ଗୋଟି ପଞ୍ଚାୟତରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଭୋଟର ରହିଥିବା ବେଳେ ପାଖାପାଖି ୭୦ ହଜାରରୁ ଉର୍ଦ୍ଧ ଜନସଂଖ୍ୟା ରହିଛି | ଯଦି ମୁକୁନ୍ଦପୁରକୁ ଏକ ନୂତନ ବ୍ଲକ ଭାବେ ଘୋଷଣା କରାଗଲେ କୈଳାଶପୁର ଏବଂ ରେଖାପଦର ଦୁଇଟି ରାଜସ୍ବ ସର୍କିଲ ରହିବା ସହ ବାଙ୍କୀଲି, ଝୋରିଡି, କୈଳାଶପୁର, ରୋବାଡି, ଟି.ସିକାବାଡି ଠାରେ ଥିବା ଏସଏସଡି ହାଇସ୍କୁଲ ମୁକୁନ୍ଦପୁର ଅଧୀନରେ ଆସିବା ସହ ଶିକ୍ଷା ବିଭାଗର ଅନ୍ୟ ସ୍କୁଲ ଗୁଡିକ ମଧ୍ୟ ରହିବ | ସେହିପରି ସମସ୍ତ ପଞ୍ଚାୟତବାସି ମାନେ ସରକାରଙ୍କ ତରଫରୁ ମିଳୁଥିବା ଅନ୍ୟ ସୁବିଧା ଗୁଡିକ ମଧ୍ୟ ମୁକୁନ୍ଦପୁର ଠାରେ ହିଁ ପାଇପାରିବା ସହ ସେମାନଙ୍କୁ ଆଉ କୋଲନରା ଯିବାକୁ ପଡିବ ନାହିଁ ଏବଂ ମୁକୁନ୍ଦପୁର ଠାରେ ଏକ ପୋଲିସ ଫାଣ୍ଡି ରହିଥିବା ଦ୍ୱାରା ଲୋକଙ୍କୁ ପୋଲିସ ସେବା ମଧ୍ୟ ସଠିକ ଭାବେ ମିଳିପାରୁଛି | ତେଣୁ ଆଦିବାସୀ ଅଧୁଷିତ ମୁକୁନ୍ଦପୁର ସମେତ ୭ଟି ପଞ୍ଚାୟତର ଅଞ୍ଚଳବାସୀଙ୍କ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ମୁକୁନ୍ଦପୁରକୁ କୋଲନରା ବ୍ଲକରୁ ଅଲଗା କରି ମୁକୁନ୍ଦପୁରକୁ ଏକ ନୂତନ ବ୍ଲକ ଭାବେ ଘୋଷଣା କରିବା ପାଇଁ ଅଞ୍ଚଳବାସି ବହୁ ବର୍ଷ ହେଲା ଦାବି କରିଆସୁଛନ୍ତି ବୋଲି ଆଇନଜୀବୀ ଶ୍ରୀ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଥିଲେ | ଏଥିସହ ମହା ମହିମ ରାଜ୍ୟପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ପଞ୍ଚାୟତରାଜ ମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ ଚିଠି ଲେଖିଥିଲେ | ତେବେ ଉକ୍ତ ଚିଠି ପ୍ରଦାନ କରି ପାଖାପାଖି ଦେଢ଼ ବର୍ଷରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଏଯାବତ ମିଳିପାରି ନାହିଁ | ଲୋକଙ୍କ ସୁବିଧା ଦୃଷ୍ଟିରୁ ଯଦି ମୁକୁନ୍ଦପୁରକୁ ଏକ ବ୍ଲକ ଭାବେ ଘୋଷଣା କରାଯାଏ ତାହେଲେ ଅଞ୍ଚଳବାସୀ ଉପକୃତ ହୋଇପାରିବେ | ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳକୁ ଏନଏସି, ସବଡିଭିଜନ ଘୋଷଣା କଲେ କିନ୍ତୁ ଅଞ୍ଚଳବାସୀଙ୍କ ସ୍ୱାର୍ଥ ପାଇଁ ଦିଆଯାଇଥିବା ଚିଠିକୁ ସରକାର କାହିଁକି ଅଣଦେଖା କରୁଛନ୍ତି | ଯଦି ମୁକୁନ୍ଦପୁରକୁ ବ୍ଲକ ଘୋଷଣା ନ କରନ୍ତି ତାହେଲେ ଆଗାମୀ ଦିନରେ ଅଞ୍ଚଳର ଜନସାଧାରଣ ଆନ୍ଦୋଳନ କରିବା ସହ ୩୨୬ ନମ୍ବର୍ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି | ତେଣୁ ଅଞ୍ଚଳବାସୀଙ୍କ ସୁବିଧାକୁ ନଜରରେ ରଖି ରାଜ୍ୟ ସରକାର ମୁକୁନ୍ଦପୁରକୁ ବ୍ଲକ ଘୋଷଣା କରିବା ଦିଗରେ ପଦକ୍ଷେପ ନେବାକୁ ମୁକୁନ୍ଦପୁର ଅଞ୍ଚଳର ୭ଗୋଟି ପଞ୍ଚାୟତର ଅଞ୍ଚଳବାସୀ ଦାବି କରିଛନ୍ତି |