ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମର ଅବସ୍ଥା ଶୋଚନୀୟ , ଭଗ୍ନ ପ୍ରାଚୀର ସହ ଲଟାବୁଦାରେ ପରିପୂର୍ଣ୍ଣ , କ୍ରୀଡା ପ୍ରତିଯୋଗିତାରେ ସାଜୁଛି ପ୍ରତିବନ୍ଧକ, ପ୍ରତିକାର ଦାବି
ବୁଗୁଡ଼ା : ତା ୦୯/୦୯/୨୬ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ଶୋଚନୀୟ ଅବସ୍ଥାରେ ରହିଛି। ସମଗ୍ର ଷ୍ଟାଡିୟମର ଭୂପୃଷ୍ଠ ଅସମତୁଲ ରହିଥିବା ବେଳେ ଦୁଇ-ପଞ୍ଚମାଂଶ ଲଟାବୁଦାରେ ପରିପୂର୍ଣ୍ଣ ରହିଛି। ଫଳରେ ଅବଶିଷ୍ଟ ସ୍ଥାନରେ ଖେଳାଖେଳି ସମୟରେ ଜନ୍ତୁଜନ୍ତାଙ୍କ ଭୟ ରହୁଛି। ଅନ୍ଯପକ୍ଷରେ ଷ୍ଟାଡିୟମର ପାଚେରୀ ଦୁଇଟି ସ୍ଥାନରେ ଭାଙ୍ଗି ଯାଇଛି। ଗତ ଗ୍ରୀଷ୍ମ ଅବକାଶରେ କାଳବୈଶାଖି ପ୍ରଭାବରେ ଗୋଟିଏ ସ୍ଥାନରେ ପାଚେରୀର କିଛି ଅଂଶ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଏକ ସ୍ଥାନରେ ଷ୍ଟାଡିୟମକୁ ଅବାଧ ପ୍ରବେଶ କରୁଥିବା ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଏଥି ସହ ଷ୍ଟାଡିୟମ ଭିତରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଘରଟି ପାନୀୟ ଜଳ ସମସ୍ଯା ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ଅବ୍ଯବସ୍ଥା ହେତୁ ତାହା କ୍ରୀଡାବିତଙ୍କ କୌଣସି କାର୍ଯ୍ୟରେ ବ୍ଯବହାର ପାଇଁ ଅନୁପୋଯୋଗୀ ହୋଇପଡିଛି। ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଗଣ ଏବଂ ସରକାରୀ ଅଧିକାରୀମାନଙ୍କର ଅପାରଗତା ଓ ଉଦାସୀନତା ମନୋଭାବ ଯୋଗୁଁ ବୁଗୁଡା ଅଞ୍ଚଳର କେଉଁଠି ହେଲେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବା ନିମନ୍ତେ ଉପଯୁକ୍ତ କ୍ରୀଡା ପ୍ରାଙ୍ଗଣଟିଏ ନଥିବା ବେଳେ ବାଧ୍ୟବାଧକତା ହେତୁ ସହର ମଧ୍ୟରେ ଶୋଚନୀୟ ଅବସ୍ଥାରେ ଥିବା ଏହି ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ଅନେକ ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାମଚଳା କ୍ରୀଡା ପ୍ରତିଯୋଗିତାମାନ ଅନୁଷ୍ଠିତ ହେଉଅଛି। ଏହି ମିନି ଷ୍ଟାଡିୟମରେ ଆୟୋଜିତ ଅନେକ ସରକାରୀ ଏବଂ ରାଜନୈତିକ କାର୍ଯ୍ୟକ୍ରମରେ ବହୁ ବଡବଡ ନେତା ଏବଂ ଉଚ୍ଚପଦସ୍ଥ ଅଧିକାରୀମାନେ ଯୋଗଦେଇ ଫେରିଥିଲେ ହେଁ ଏହାର ଦୂରବସ୍ଥାକୁ ଅଣଦେଖା କରିଛନ୍ତି। କିଛି ବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏହି ମିନି ଷ୍ଟାଡିୟମଟି ନିର୍ମାଣ କରିବା ସମୟରେ ମଧ୍ୟ ପଡିଆଟିକୁ ସମତୁଲ କରାଯାଇନଥିଲା,ଯାହାକି ଆଜି ପର୍ଯ୍ୟନ୍ତ ସେହିପରି ଅସମତୁଲ ଅବସ୍ଥାରେ ରହିଛି । ଷ୍ଟାଡିୟମର ଭଙ୍ଗା ପାଚେରୀ ନିର୍ମାଣ ନିମନ୍ତେ ପିପୁଲ୍ସ ହାଇସ୍କୁଲ କର୍ତ୍ତୃପକ୍ଷ ସ୍ଥାନୀୟ ପୂର୍ତ୍ତ ବିଭାଗକୁ ନିବେଦନ କରିଥିଲେ ହେଁ ତାହାର କୌଣସି ସୁଫଳ ମିଳିନାହଁ। ଏଣୁ , ଏହି ମିନି ଷ୍ଟାଡିୟମଟିକୁ କ୍ରୀଡା ଉପଯୋଗୀ କରିବା ଦିଗରେ ପ୍ରଶାସନିକ ପଦକ୍ଷେପ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ପ୍ରକାଶ ଯୋଗ୍ୟ ଯେ, ଆସନ୍ତା ୧୨ ତାରିଖରେ ହେବାକୁ ଥିବା ବ୍ଲକ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଯୋଗଦାନର ସମ୍ଭାବନା ରହିଥିବା ବେଳେ ଏନ୍ଏସି ପକ୍ଷରୁ ପଡିଆ ମଧ୍ୟସ୍ଥ ଲଟାବୁଦା ସଫେଇ କାର୍ଯ୍ୟ ଚାଲୁରହିଥିବା ଜଣାଯାଇଛି। ତେବେ ଭଗ୍ନ ପାଚେରୀ ନିର୍ମାଣ ସହ ସୁବ୍ଯବସ୍ଥିତ ତଥା କ୍ରୀଡା ପ୍ରତିଯୋଗିତା ଆୟୋଜନ ଉପଯୋଗୀ କରିବା ଦିଗରେ ସ୍ଥାନୀୟ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
