ବିଭିନ୍ନ ଦାବିରେ ବୁଗୁଡ଼ା ବ୍ଲକ ଆଶାକର୍ମୀ ସଙ୍ଘର ଧାରଣା 

IMG-20250709-WA0118
Share

ବୁଗୁଡ଼ା : ତା ୦୯/୦୭/୨୫ : ଭାରତୀୟ ଟ୍ରେଡ଼ ୟୁନିଅନର ଡାକରା କ୍ରମେ ନିଖିଳ ଓଡିଶା ଆଶା କର୍ମୀ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ସାରା ରାଜ୍ୟରେ ଆଶା କର୍ମୀମାନଙ୍କ ଆନ୍ଦୋଳନ ପ୍ରରିପେକ୍ଷୀରେ ବୁଗୁଡ଼ା ବ୍ଲକ ଆଶା କର୍ମୀ ସଙ୍ଘ ପକ୍ଷରୁ ସମସ୍ତ ୧୩୧ ଜଣ ଆଶା କର୍ମୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ବୁଗୁଡ଼ା ମେଡିକାଲ ପରିସରରେ ଧାରଣାରେ ବସିଥିଲେ l ଦାବିଗୁଡିକ ମଧ୍ୟରେ ଶ୍ରମିକ ବିରୋଧୀ ୪ର୍ଥ ଶ୍ରେଣୀ ଶ୍ରମ କୋଡ୍ ପ୍ରତ୍ୟାଖ୍ୟାନ କରିବା,ସର୍ବନିମ୍ନ ମଜୁରୀ ପ୍ରତି ମାସରେ ୨୬ ହଜାର ଟଙ୍କାକୁ ବୃଦ୍ଧି କରିବା ଏବଂ ଆଶା, ଅଙ୍ଗନୱାଡି ଓ ମାଧ୍ୟାନ୍ନ ଭୋଜନ ରୋଷେୟା ସମେତ ସମସ୍ତ ଯୋଜନା କର୍ମୀଙ୍କୁ ଭାରତୀୟ ଶ୍ରମ ସମ୍ମିଳନୀର ୪୫ତମ ଏବଂ ୪୬ତମ ସୁପାରିଶ ଅନୁଯାୟୀ ଶ୍ରମିକ ମାନ୍ୟତା ପ୍ରଦାନ କରିବା, ସମସ୍ତ ଯୋଜନା କାର୍ଯ୍ୟ କେନ୍ଦ୍ରୀୟ ଅନୁସୂଚିତ ନିଯୁକ୍ତି ଅଧୀନରେ ସର୍ବନିମ୍ନ ମଜୁରୀ ଆଇନ ଅନୁଯାୟୀ ଅଧିସୂଚିତ କରିବା , ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ରୋକିବା, ସାର୍ବଜନୀନ କ୍ଷେତ୍ର ଅନ୍ତର୍ଭୁକ୍ତିକରଣ କିମ୍ବା ବାଣିଜ୍ୟକୁ ଘରୋଇକରଣ କରିବା ବନ୍ଦ କରିବା, ପୁରୁଣା ପେନସନ ଯୋଜନାକୁ ପୁନଃସ୍ଥାପନ କରିବା ସହ ଏନପିଏସ ଏବଂ ୟୁପିଏସ ପ୍ରତ୍ୟାଖ୍ୟାନ କରିବା , ଇପିଏଫ ପେନସନର ସର୍ବନିମ୍ନ ହାର ପ୍ରତି ମାସ ୨ହଜାର ଟଙ୍କା ସ୍ଥିର କରିବା ଆଦି ଅନ୍ତର୍ଭୁକ୍ତ ରହିଛି l ବୁଗୁଡ଼ା ବ୍ଲକ ଆଶା ସଙ୍ଘ ସଭାପତି ସନ୍ତୋଷିନୀ ପଟ୍ଟନାୟକଙ୍କ ନେତୃତ୍ୱରେ ସମ୍ପାଦିକା ରଶ୍ମିତା ପଣ୍ଡା, ଉପସଭାପତି ସଫଳା ପାତ୍ର,ସହ-ସମ୍ପାଦିକା ବବିତା ସୁବୁଦ୍ଧି, କୋଷାଧକ୍ଷ ପ୍ରୋମଦା ମିଶ୍ର ପ୍ରମୁଖ ଶତାଧିକ ଆଶା କର୍ମୀ ମେଡିକାଲ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା l