ବୋଲବମ୍ ଯାତ୍ରା ପାଇଁ କାଉଡିଆଙ୍କ ପ୍ରସ୍ତୁତି..
(ଚାହିଦାରେ ‘ମହାକାଳ ଗଞ୍ଜି’ ଏବଂ ‘ଓମ୍ ନମଃ ଶିବାୟ’ ଡ୍ରେସ୍)
ମୋହନା(ଗଣେଶ ବିଷୋୟୀ)ଶ୍ରାବଣରେ ହେବାକୁ ଥିବା ବୋଲବମ୍ ଯାତ୍ରା ପାଇଁ କାଉଡ଼ି ଭକ୍ତ ମାନେ ପ୍ରସ୍ତୁତି ଚଳାଇଲେଣି। ସେହିପରି ଏହି ଯାତ୍ରାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ବିକ୍ରି ଆରମ୍ଭ ହୋଇଗଲାଣି।ଏବର୍ଷ ସୂତା, ସିନ୍ଥେଟିକ୍ ଓ ଗଞ୍ଜି କପଡ଼ାର ଡ୍ରେସ୍ ଆସିଛି।ପୁରୁଷ ମାନଙ୍କ ପାଇଁ ଗେରୁଆ ରଙ୍ଗର କୁର୍ତ୍ତା,ଗଞ୍ଜି,ହାପ୍ ପ୍ୟାଣ୍ଟ୍,ଗାମୁଛା ଓ ଝୋଲା ବ୍ୟାଗ୍ ବିକ୍ରି ହେଉଥିବା ବେଳେ ମହିଳା ମାନଙ୍କ ପାଇଁ ଗେରୁଆ ଓ ହଳଦିଆ ରଙ୍ଗର ଶାଢ଼ି ଏବଂ ଝିଅ ମାନଙ୍କ ପାଇଁ ଗେରୁଆ କୁର୍ତ୍ତି,ଲେଗିଂସ୍ ଓ କେପ୍ରି ପ୍ୟାଣ୍ଟ୍ ବିକ୍ରି ହେଉଛି। ଏଗୁଡ଼ିକ ଗୁଜୁରାଟ,ରାଜସ୍ଥାନ, କୋଲକତା ଓ ତାମିଲନାଡ଼ୁରୁ ବ୍ୟବସାୟୀ ମାନେ ଆଣି ବିକ୍ରି କରୁଛନ୍ତି।ପୂର୍ବରୁ ପୁରୁଷ ମାନଙ୍କର ‘ଓମ୍ ନମଃ ଶିବାୟ’ ଡ୍ରେସ୍ ବେଶି ମାତ୍ରାରେ ଚାଲୁଥିବା ବେଳେ ଚଳିତ ବର୍ଷ ‘ମହାକାଳ ଗଞ୍ଜି’ ଡ୍ରେସ୍ର ଅଧିକ ଚାହିଦା ରହିଛି। ଗ୍ରାହକ ମାନେ ଏହାକୁ ପିନ୍ଧିବାକୁ ବେଶି ପସନ୍ଦ କରୁଛନ୍ତି।
ସେହିପରି ମହିଳା ମାନଙ୍କ ପାଇଁ କମଳା,ହଳଦିଆ ରଙ୍ଗର ସୂତା ଶାଢ଼ି ବିକ୍ରି ହେଉଛି।ଏହାର ଦାମ୍ ୨୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ପୁରୁଷ ମାନଙ୍କ କୁର୍ତ୍ତାର ଦାମ୍ ୧୨୦ ରୁ ୨୨୦ ଟଙ୍କା, ମହାକାଳ ଗଞ୍ଜି ୬୦ ରୁ ୧୫୦ ଟଙ୍କା, ହାପ୍ ପ୍ୟାଣ୍ଟ୍ ୭୦ ରୁ ୧୫୦ ଟଙ୍କା ଓ ଝୋଲା ବ୍ୟାଗ୍ର ଦାମ୍ ୨୫ ଟଙ୍କା ରହିଛି।ବୋଲବୋମ୍ ଗାମୁଛାରେ ଧଳା,ହଳଦିଆ ଓ ନାଲି ରଙ୍ଗର ବିକ୍ରି ହେଉଛି।ସେଥିରେ ପୁଣି ‘ବୋଲବମ୍’,’ବୋଲବମ୍ ମହାକାଳ’, ‘ଓମ୍ ନମଃ ଶିବାୟ’ ଓ ‘ହରହର ମହାଦେବ’ ଆଦି ପ୍ରିଣ୍ଟ୍ର ଗାମୁଛା ବିକ୍ରି ହେଉଛି।ଏହାର ଦାମ୍ ୫୦ ରୁ ୮୦ ଟଙ୍କା ରହିଛି।
ସେହିପରି ଝିଅମାନଙ୍କ କୁର୍ତ୍ତିର ଦାମ୍ ୧୨୦ ରୁ ୨୫୦ ଟଙ୍କା ରହିଥିବା ବେଳେ ଲେଗିଂସ୍ର ଦାମ୍ ୯୦ ଓ କେପ୍ରି ପ୍ୟାଣ୍ଟ୍ର ଦାମ୍ ୯୦ ରୁ ୧୩୦ ଟଙ୍କା ରହିଛି।ଏଥି ସହିତ ପ୍ଲାଷ୍ଟିକ୍ ଶିବଲିଙ୍ଗ,ତ୍ରିଶୂଳ,ସାପ,ଘୁଙ୍ଗୁର, ବାହୁଙ୍ଗି,ଘଣ୍ଟି,ମୋବାଇଲ୍ ବ୍ୟାଗ୍, ଶିକା,ମୋତିମାଳି,ଲେସ୍,ପଟି,ଶୁଣ୍ଢ ଓ ପିତ୍ତଳ ଢାଳ ଆଦି ଏବେ ବଜାରରେ ଗଦା ହୋଇଗଲାଣି। ଏଥି ପାଇଁ ବିଭିନ୍ନ ବଜାର ଅଞ୍ଚଳରେ ଥିବା ହୋଲସେଲ୍ ଦୋକାନରେ ଭିଡ଼ ଜମିଲାଣି।ପ୍ଲାଷ୍ଟିକ୍ ସାମଗ୍ରୀ ଗୁଡ଼ିକର ଦାମ୍ ଡଜନ ପିଛା ୨୪ ରୁ ୪୨ ଟଙ୍କା ପର୍ଯ୍ୟନ୍ତ ରହିଛି।ଚଳିତ ବର୍ଷ ଗୋଟିଏ ପ୍ଲାଷ୍ଟିକ୍ ବକ୍ସରେ ଶିବଙ୍କ ଦୁଇଟି ପତାକା ସହ ଗୋଟିଏ ବଡ଼ ତ୍ରିଶୂଳ ବାହୁଙ୍ଗିରେ ସଜେଇବା ପାଇଁ ନୂଆ କରି ବଜାରକୁ ଆସିଥିବା ଦେଖିବାକୁ ମିଳିଛି।ପ୍ୟାକେଟ୍ର ଦାମ ୧୦୦ ଟଙ୍କା ରହିଛି।
ସେହିପରି ଦୋକାନୀ ମାନେ ଦୁଇ ପ୍ରକାରର ବାଉଁଶ ଓ ବେତର ନିର୍ମିତ ବାହୁଙ୍ଗି ବିକ୍ରି କରୁଛନ୍ତି।ବେତ ବାହୁଙ୍ଗିର ଦାମ୍ ୩୫୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।ସେହିପରି ବାଉଁଶ ବାହୁଙ୍ଗିର ଦାମ୍ ୩୦ ଟଙ୍କା ଥିବା ବେଳେ ପୂରା ବାହୁଙ୍ଗି ସଜେଇକି ନେଲେ ୨୪୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବ୍ୟବସାୟୀ ମାନେ କହିଛନ୍ତି।ଏନେଇ ବ୍ୟବସାୟୀ ବାଦଲ ନନ୍ଦି କୁହନ୍ତି ଦୀର୍ଘ ୪୦ ବର୍ଷ ଧରି ମୁଁ କାଉଡ଼ି ଜିନିଷ ବିକ୍ରି କରୁଛି।ଚଳିତ ବର୍ଷ ୩ ଲକ୍ଷ ଟଙ୍କାର କାଉଡ଼ି ଜିନିଷ ବିକ୍ରି ପାଇଁ ଆଣିଛି।ଆମ ଦୋକାନରୁ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ରାଜନଗର,ପୁରୀ, ଖୋର୍ଦ୍ଧା, କୁଆଖିଆ,ଚଣ୍ଡିଖୋଲ ଏବଂ କଟକ, ଗଞ୍ଜାମ,ଗଜପତି ଜିଲ୍ଲାର ବିଭିନ୍ନ ଦୋକାନୀ ମାନେ ଜିନିଷ ବିକ୍ରି ପାଇଁ ନେଉଥିବା କହିଛନ୍ତି।
