ବେଲଗୁଣ୍ଠାର ନେହେରୁ ମହିଳା ସମିତି ଦ୍ୱାରା ପାରମ୍ପରିକ ଲୋକ କଳା ‘ଦଣ୍ଡ ନାଟ’ ଓ ‘ଘଟ କଳସ’ ରାଜ୍ୟ ସ୍ତରରେ ପରିବେଷିତ ଓ ଉଚ୍ଚ ପ୍ରଶଂସିତ ..
ବେଲଗୁଣ9,6,2026-ଲୋକକଳାର ଓ ସଂସ୍କୃତିର ଏନ୍ତୁଡ଼ିଶାଳ ବେଲଗୁଣ୍ଠା ସହରର ପାରମ୍ପରିକ ଦଣ୍ଡ ନାଚ ଓ ଘଟ କଳସ କୋଠି ଶାଳ ନୃତ୍ୟ ରାଜ୍ୟ ସ୍ତରୀୟ ମଞ୍ଚରେ ପରିବେଷଣ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି ।ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ଭାରତୀୟ ବିଦ୍ୟା ଭବନ କେନ୍ଦ୍ରର ‘ମୁକ୍ତ ମଞ୍ଚ’ଠାରେ ଭାରତୀୟ ବିଦ୍ୟା ଭବନ ଏବଂ ଇନଫୋସିସ୍ ଫାଉଣ୍ଡେସନ୍ର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ପ୍ରସାର କାର୍ଯ୍ୟକ୍ରମର ୧୯୬ତମ ଅଧ୍ୟାୟ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାର ‘ନେହେରୁ ମହିଳା ସମିତି’ର କଳାକାରମାନଙ୍କ ଦ୍ୱାରା ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ‘ଦଣ୍ଡ ନାଟ’ ଏବଂ ‘ଘଟ କଳସ’ ବା ‘ମଙ୍ଗଳା ନାଟ’ ଅତି ଚିତ୍ତାକର୍ଷକ ଭାବେ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଗୁରୁ ଗଜେନ୍ଦ୍ର ପଣ୍ଡା ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିବା ସହ ଓଡ଼ିଶାର ଲୋକକଳାର ସମୃଦ୍ଧି ଉପରେ ଆଲୋକପାତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଭାରତୀୟ ବିଦ୍ୟା ଭବନର ପ୍ରୋଗ୍ରାମ ଅଫିସର ତଥା ବିଶିଷ୍ଟ ନାଟ୍ୟକାର ମନ୍ମଥ କୁମାର ଶତପଥୀ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ।ନେହେରୁ ମହିଳା ସମିତିର ସମ୍ପାଦିକା ଟି. ବବିତା କୁମାରୀ ଏବଂ ଉପ-ସଭାପତି ଟି. ସ୍ୱପ୍ନା ବିନ୍ଧାଣୀରାଙ୍କ ନେତୃତ୍ୱରେ କଳାକାରମାନେ ମଞ୍ଚରେ ଆକର୍ଷଣୀୟ ପ୍ରଦର୍ଶନ କରି ଦର୍ଶକମାନଙ୍କୁ ବିମୋହିତ କରିଥିଲେ।ସମିତି ପକ୍ଷରୁ ପରିବେଷିତ ଦଣ୍ଡ ନାଟ (ଧୂଳି ଦଣ୍ଡ ଓ ଅଗ୍ନି ଦଣ୍ଡ)ରେ ଢୋଲିଆ ଭାବେ ଶତ୍ରୁଘ୍ନ ନାୟକ, ଶଙ୍କର ନାୟକ ଓ ନବଘନ ନାୟକ ସହଯୋଗ କରିଥିବା ବେଳେ ପ୍ରଭା ନାଟରେ ଶିବ ପାତ୍ର, ଅଗ୍ନି ଦଣ୍ଡ ଖେଳରେ ଉଜ୍ଜ୍ୱଳ ଦଳେଇ ଓ ଶିବ ପାତ୍ର ଏବଂ ବୀଣାକାର ଭାବେ ମହେଶ୍ୱର ବେହେରା ନିଜର କଳା ପ୍ରଦର୍ଶନ କରିଥିଲେ। ଚଢ଼େୟା ଭାବେ ଗନ୍ଧର୍ବ ପରିଡ଼ା ଏବଂ ଚଢ଼େୟାଣୀ ଭାବେ ଭୀମ ପାତ୍ର ନୃତ୍ୟ ପରିବେଷଣ କରିଥିଲେ।ଘଟ କଳସ ଓ ମଙ୍ଗଳା ନାଚରେ ଗାୟକ ଭାବେ କାହ୍ନୁ ପାତ୍ର ଏବଂ ନୃତ୍ୟକାର ଭାବେ ନାରାୟଣ ନାୟକ, ସନ୍ତୋଷ ପାତ୍ର ଓ ସୋନାଲି ପ୍ରମୁଖ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ।ଏହି ସଫଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତରୁଣ କଳାକାର ସଂଘର ସଂଗଠକ ସିଏଚ ଲିଙ୍ଗରାଜ ପାତ୍ର, ସମ୍ପାଦକ ଡି. ଗଗନ ବିହାରୀ ବିନ୍ଧାଣିରା ଏବଂ ଉପସଭାପତି ଚିନଂ ମହେନ୍ଦ୍ର କୁମାର ପାତ୍ର ପ୍ରମୁଖ ସମ୍ପୂର୍ଣ୍ଣ ପରିଚାଳନା କରିଥିଲେ। ରାଜଧାନୀ ବୁଦ୍ଧିଜୀବୀ ଓ କଳାପ୍ରେମୀଙ୍କ ଗହଣରେ ଏହି ପାରମ୍ପରିକ ଲୋକନୃତ୍ୟ ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ପୁର୍ବରୁ ମଧ୍ୟ ଚିନଂ ମହେନ୍ଦ୍ର କୁମାର ପାତ୍ରଙ୍କ ନେତୃତ୍ୱରେ ବେଲଗୁଣ୍ଠାର ପ୍ରସିଦ୍ଧ ମଣିଷ ବାଘ ନୃତ୍ୟ ଏହି ମଞ୍ଚରେ ପରିବେଷଣ କରାଯାଇ ବେଶ୍ ଆଦୃତ ହୋଇଛି ।
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
