May 20, 2024

ମାର୍କେଟ ଟର୍ମିନାଲକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନୀୟ ଅଧିବାସୀଙ୍କ ଦାବିପତ୍ର ପ୍ରଦାନ:ଉତ୍ତରରେ କହିଲେ ବିଜେପି ସରକାର ଆସିଲେ ଚାଷୀଙ୍କ ସ୍ୱପ୍ନ ପୂରଣ ହେବ -ଧର୍ମେନ୍ଦ୍ର ପ୍ରଧାନ

Share

ସମ୍ବଲପୁର: ପଶ୍ଚିମ ଓଡିଶାର ଚାଷୀ ମାନଙ୍କ ବୃହତ୍ତର ସ୍ୱାର୍ଥ ସହ ଜଡିତ ପ୍ରସ୍ତବିତ ନିଲଡୁଙ୍ଗରୀ ବୃହତ ମାର୍କେଟ ଟର୍ମିନାଲ ପ୍ରକଳ୍ପ ପ୍ରତିଷ୍ଠା ନେଇ ଲୋକଙ୍କ ଦୀର୍ଘ ଦିନର ଦାବି ଆଜି ପୁଣିଥରେ ତେଜିଛି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କବରାପାଲି ଓ ନିଲଡୁଙ୍ଗରୀ ଗସ୍ତକାଳରେ ଆଜି ସ୍ଥାନୀୟ ଅଧିବାସୀ ଏକ ଦାବିପତ୍ର ପ୍ରଦାନ କରି ପଶ୍ଚିମ ଓଡିଶାର ଚାଷୀା ମାନଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି।

ଦାବିପତ୍ର ପାଇବା ପରେ ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ ଦେଇଥିବା ଫଳକ ମଧ୍ୟ ଉଭାନ ହୋଇଯାଇଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ଏହାର ବାସ୍ତବତାକୁ ଉପଲବ୍ଧି କରିଥିଲେ।ନିଲଡୁଙ୍ଗରୀ ଅଞ୍ଚଳର ଏକ ଐତିହ୍ୟ ସଂପନ୍ନ ସ୍ଥାନ ଓ ଜାତୀୟ ରାଜପଥ ଉପରେ ଏକ ଯଥେଷ୍ଟ ଭିତ୍ତିଭୂମି ଥିବା ସତ୍ତ୍ୱେ ପ୍ରକଳ୍ପ କାର୍ଯ୍ୟକାରୀ କାହିଁକି ହୋଇପାରିଲା ନାହିଁ ବୋଲି ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ଜାଣିବା ପରେ ଓଡିଶାରେ ବିଜେପି ସରକାର ଆସିଲେ ଏହି ବୃହତ ପ୍ରକଳ୍ପ ନିଶ୍ଚିତ କରାଯିବ ବୋଲି କବରାପାଲି ଠାରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରତିଶୃତି ଦେଇଥିଲେ।

୨୦୧୪ ମସିହା ସେପ୍ଟେମ୍ବର୍ ୦୯ ତାରିଖ ଦିନ କବରାପାଲି ପଞ୍ଚାୟତର ନିଳଡୁଙ୍ଗରୀ ଠାରେ ଏକ ବୃହତ ମାର୍କେଟ ଟର୍ମିନାଲ୍ ପ୍ରତିଷ୍ଠା ନେଇ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥିପାଇ କେନ୍ଦ୍ର ସରକାରଙ୍କ ମଞ୍ଜୁରି ମଧ୍ୟ ପ୍ରାପ୍ତ ହୋଇଥିଲା।

ବିଶେଷ କରି ପଶ୍ଚିମ ଓଡିଶାର ସତକଡା ୭୭ ଭାଗ ଅଧିବାସୀ କୃଷି ଉପରେ ନିର୍ଭର କରୁଥିବାରୁ ଏହା ପ୍ରତିଷ୍ଠା ହୋଇଥିଲେ ସମ୍ବଲପୁର,ସୁନ୍ଦରଗଡ,ଦେବଗଡ,ଝାରସୁଗୁଡା,ବରଗଡ,ବଲାଙ୍ଗୀର,କଲାହାଣ୍ଡି,ନୂଆପଡା,ସୋନପୁର,ବୌଦ,ଅନୁଗୁଲ ଓ କେଉଁଝର ପରି ୧୦ଟି ଜିଲ୍ଲାର ଚାଷୀ ମାନେ ଉପକୃତ ହୋଇପାରିଥାନ୍ତେ ବୋଲି ସେତେବେଳେ ସରକାର ଘୋଷଣା କରିଥିଲେ।
ଏହା ପ୍ରତିଷ୍ଠା ହୋଇଥିଲେ କୃଷିଜାତ ଦ୍ରବ୍ୟର ଆମଦାନୀ,ରପ୍ତାନୀ, ଶୀତଳଭଣ୍ଡାର ସୁବିଧା ସହିତ ସଂରକ୍ଷଣ,ବଜାରୀକରଣ,ପରିବହନ ଦିଗରେ ସୁବିଧା ହୋଇଥାନ୍ତା।ଏପରି ଏକ ବୃହତ ପରିକଳ୍ପନାର ମସ୍ତବଡ ସ୍ୱପ୍ନ ଦେଖାଇ ସରକାର କିନ୍ତୁ ଚୁପ୍ ପଡିଗଲେ।ଶିଳାନ୍ୟାସ ଉଠିଯାଇଥିବା ବେଳେ ମାଟି ମୁଠାଏ ମଧ୍ୟ ପଡିଲାନାହିଁ ।ବର୍ତ୍ତମାନ ଏଠାରେ ପାଉଁଶ ଭଳି ବୈର୍ଜ୍ୟ ବସ୍ତୁ ପକାଇ ମୃତ୍ତିକା ନଷ୍ଟ କରାଯାଉଥିବା ଉପସ୍ଥିତ ଚାଷୀ ମାନେ ଅଭିଯୋଗ ଆଣିଥିଲେ। ଏପରିକି ବର୍ତ୍ତମାନ ସୋଲାଲ ଓ ଏକ ପ୍ଲାଷ୍ଟିକ ପାଇପ୍ ପ୍ଲାଣ୍ଟ ବସାଇବାକୁ ସରକାର ଉଦ୍ୟମ କରୁଛନ୍ତି।ଏହା ଦ୍ୱାରା ପରିବେଷ ନଷ୍ଟ ହେବାର ଆଶଙ୍କା ଥିବାରୁ ଓ ଲକ୍ଷାଧିକ ଚାଷୀଙ୍କ ବୃହତ ସ୍ୱପ୍ନ ଚୁରମାର୍ ହେବାର ଭୟ ଥିବାରୁ ଏ ଦିଗରେ ଧ୍ୟାନ ଦେଇ ଏଠାରେ ଏହି ବୃହତ ମାର୍କେଟ୍ ଟର୍ମିନାଲ୍ ପ୍ରତିଷ୍ଠା କରିବାକୁ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଡା.ରାଜାରାମ ଷଡଙ୍ଗୀଙ୍କ ନେତୃତ୍ୱରେ ଯାଇଥିବା ଚାଷୀ ମାନେ ପୁର୍ବ ସତର୍କତା ସ୍ୱରୂପ ଆଗାମୀ ଦିନରେ ହେବାକୁ ଥିବା ଭୟ ଓ କୁପ୍ରଭାବ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏପରିକି ଅନ୍ୟତମ କୃଷି ଗବେଷକ ଅଭିଳାଷ ପ୍ରଧାନ ମଧ୍ୟ ମାର୍କେଟ ଟର୍ମିନାଲ ନେଇ ଯୁକ୍ତି ରଖିଥିଲେ।

ଏଠାରେ ସୂଚନା ଯୋଗ୍ୟଯେ ଗତ ଶ୍ରମିକ ଦିବସରେ ଅଞ୍ଚଳର କିଛି ଚାଷୀ ବାରିବନ୍ଧ ଠାରେ ଏକତ୍ରିତ ହୋଇ କିଛି ଚାଷୀ ଏହି ବୃହତ୍ ମାର୍କେଟ ଟର୍ମିନାଲ୍ ପ୍ରତିଷ୍ଠା କରିବା ଦିଗରେ ଜନମତ ସୃଷ୍ଟି କରିବାକୁ ୧୦ ତାରିଖରେ କଦଳିମୁଣ୍ଡା ଓ ୧୨ ତାରିଖରେ ନିଲଡୁଙ୍ଗରୀ ଠାରେ ସଭା କରିବା ନେଇ ମତପ୍ରକାଶ ପାଇଥିଲା।ଏହି ବୈଠକରେ ସନାତନପାଲି କୃଷକ ଉତ୍ପାଦନ କେନ୍ଦ୍ର କମ୍ପାନୀର ନିର୍ଦ୍ଦେଶକ ମନବୋଧ ବାରିକ, ସମାଜସେବୀ ଡା.ରାଜାରାମ ଷଡଙ୍ଗୀ , ଚାଷୀନେତା ସୁବୋଧ କୁମାର ବେହେରା, ପ୍ରଫୁଲ୍ଲ ମଗର, ଶ୍ୟାମଲାଲ ସାହୁ, କୃଷି ଗବେଷକ ଅଭିଳାଷ ପ୍ରଧାନ ପ୍ରମୁଖ ବାହାମ, କବରାପାଲି,ଘେନୁପାଲି ପଞ୍ଚାୟତର ଚାଷୀ ମାନେ ରହିଥିଲେ।ସମଗ୍ର ପଶ୍ଚିମ ଓଡିଶାର ଚାଷୀଙ୍କ ବୃହତ୍ତର ସ୍ୱାର୍ଥ ଓ ମହା ସ୍ୱପ୍ନର ପ୍ରକଳ୍ପ କାର୍ଯ୍ୟକାରି କରିବା ନେଇ ଏହି ଦାବି ଉଠିଥିଲା।
ଦୀର୍ଘ ବର୍ଷର ସ୍ୱପ୍ନ ୨୦୧୪ରେ ଶିଳାନ୍ୟାସ ପରେ ଚାଷୀଙ୍କ ଆଶା ସଞ୍ଚାର କୁ ଧୋଇଦେଇଥିବାରୁ ଅଞ୍ଚଳରେ ଚାଷୀ ଅସନ୍ତୋଷ ଲାଗିରହିଛି।