ଏପ୍ରିଲ ୨୧ରେ ରେଢ଼ାଖୋଲରେ ହେବ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଧାରଣା ସମାବେଶ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଦେବାର ଘୋଷଣା କଲେ, ଦେଲେ ୫୦ କୋଟି

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ୫ ରାଜ୍ୟ ଓ ଡିଭିଜନ କର୍ମକର୍ତ୍ତାଙ୍କ ସହ ରେଢ଼ାଖୋଲ କେନ୍ଦୁପତ୍ର ଡି.ଏଫ.ଓ ଙ୍କ ରେଢ଼ାଖୋଲ ଡିଭିଜନ କାର୍ଯ୍ୟାଳୟ ରେ ଏକ ଆଲୋଚନା ସଭା ଅନୁଷ୍ଠିତ ହେଇଯାଇଛି l ଏହି ବୈଠକ ରେ ଡି.ଏଫ.ଓ ସୁବ୍ରତ ପାତ୍ର ଙ୍କ ସହ ଡିଭିଜନ ର ସମସ୍ତ ରେଞ୍ଜ ଅଧିକାରୀ ଓ ବିଭାଗୀୟ ଅଧିକାରୀ ସହ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରେଞ୍ଜ କର୍ମକର୍ତ୍ତା ଉପସ୍ଥିତ ଥିଲେ l ବୈଠକ ରେ ଡିଭିଜନ ରେ କାର୍ଯ୍ୟରତ ମୁନସୀ ତଥା ଫାଡିସାଥି ମାନଙ୍କ ବକେୟା ଦରମା ପ୍ରଦାନ, ଗୋଚ୍ଛା କଟାଲୀ ମାନଙ୍କୁ ମଜୁରୀ ପ୍ରଦାନ, ଖାଲି ଥିବା ସିଜନାଲ କର୍ମଚାରୀଙ୍କ ପଦୋନ୍ନତି ଓ ପଦବୀ ପୂରଣ, ବିଚାରଧୀନ ରେ ଥିବା ଗ୍ରାଚୁଟି ଓ ମୃତ୍ୟକାଳୀନ ସହାୟତା କୁ ଯୋଗ୍ୟ କର୍ମଚାରୀ ଓ ତୋଳାଳିଙ୍କୁ ଶୀଘ୍ର ପ୍ରଦାନ କରିବା ଆଦି ବିଷୟ ରେ ଆଲୋଚନା କରାଯାଇଥିଲା l ରେଢ଼ାଖୋଲ ଡିଭିଜନ ରେ ଚଳିତ ବର୍ଷ କିପରି ଅଧିକ ଓ ଉଚ୍ଚ ମାନର ପତ୍ର ସଂଗ୍ରହ କରାଯାଇ ଏହି ସଂସ୍ଥା କୁ ଅଧିକ ଲାଭ ପ୍ରଦାନ ସହ ରେଢ଼ାଖୋଲ ରେ ବାସ କରୁଥିବା ତୋଳାଳୀ ମାନଙ୍କ ଆର୍ଥିକ ରୋଜଗାର କୁ ଅଧିକରୁ ଅଧିକ ବଢ଼ାଯାଇ ପାରିବ ସେ ଦିଗରେ ସଚେତନ ହେବାପାଇଁ କେନ୍ଦୁଲିଭ ୱେଲ ଫ୍ୟାର ବୋର୍ଡ ପୂର୍ବତନ ଉପଦେଷ୍ଟା ସଂଜିତ ମହାନ୍ତି ସଚେତନ କରିଥିଲେ।
ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ଏକ ସ୍ୱତନ୍ତ୍ର ବୈଠକ ରେ ରାଜ୍ୟ ସଭାପତି ବିଜୟ ମହାନ୍ତି ଦେଇଥିବା ଆହ୍ଵାନ କ୍ରମେ ସଂଘ ପକ୍ଷରୁ ବିଭିନ୍ନ ଦାବୀ ପୂରଣ ବାବଦ ରେ ଆଗାମୀ ଏପ୍ରିଲ ୨୧ ତାରିଖ ରେ ଡି.ଏଫ.ଓ କାର୍ଯ୍ୟାଳୟ ସାମ୍ନା ରେ ଏକ ଧାରଣା ସମାବେଶ କରିବା ପାଇଁ ସ୍ଥିରୀକୃତ କରାଯାଇଛି l ଏଥିରେ ରେଢ଼ାଖୋଲ ଡିଭିଜନ ର ସମସ୍ତ ରେଞ୍ଜ ରୁ ହଜାର ହଜାର ସଂଖ୍ୟାରେ ତୋଳାଳୀ କର୍ମଚାରୀ ଯୋଗଦାନ କରିବା ପାଇଁ ଆହ୍ଵାନ କରାଯାଇଛି। ରାଜ୍ୟବ୍ୟାପି ହେବାକୁ ଥିବା ଏହି ଧାରଣା ସମାବେଶ ରେ ବିଭିନ୍ନ ଦାବୀ ମାନଙ୍କ ମଧ୍ୟରେ ସର୍ବନିମ୍ନ ମଜୁରୀ ଅନୁପାତ ରେ ସିଜନାଲ କର୍ମଚାରୀ ମାନଙ୍କ ଦରମା ବୃଦ୍ଧି, କେନ୍ଦୁପତ୍ର ତୋଳାଳୀ, ବନ୍ଧଳୀ ଓ କର୍ମଚାରି ମାନଙ୍କ କନ୍ୟା ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା , ତ୍ରୁଟିପୂର୍ଣ କେ.ଏଲ.ଡି.ବି ଗଠନ କୁ ସଂଶୋଧନ କରିବା, କେନ୍ଦୁପତ୍ର ସଂସ୍ଥା ପାଇଁ ରାଜ୍ୟ ବଜେଟ ରେ ଘୋଷିତ ୧୦୦ କୋଟି ଅର୍ଥ କୁ ହ୍ରାସ କରି ମାତ୍ର ୫୦ କୋଟି ମଞ୍ଜୁର କରି କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ପ୍ରତି ହେଇଥିବା ଅବହେଳା ବିରୋଧ ରେ ତଥା କେନ୍ଦୁପତ୍ର ଉପରେ ସଂଗୃହିତ ଜି.ଏସ.ଟି ଅର୍ଥ କୁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ଯୋଜନା ରେ ଖର୍ଚ୍ଚ କରିବା ଆଦି ଅନ୍ତର୍ଭୁକ୍ତ ଅଛି l ଏହି ବୈଠକ ରେ ସଂଘ ର ରାଜ୍ୟ ଉପସଭାପତି ଗୋକୁଳ ମେହେର, ସାଙ୍ଗଠନିକ ସମ୍ପାଦକ ସଞ୍ଜିତ ମହାନ୍ତି, ଡିଭିଜନ ସମ୍ପାଦକ କିଶୋର ପ୍ରଧାନ, ଯୁଗ୍ନ ସମ୍ପାଦକ ଉଦିତ ତ୍ରିପାଠୀ, ମିଡିଆ ସଂଯୋଜକ ଦେବଜ୍ୟୋତି ପଟ୍ଟନାୟକ,ଭିକାରି ଚରଣ ପ୍ରଧାନ, ସୁମିତ ପଟେଲ, ଚୁମନ ପ୍ରଧାନ, ଅଖୋଜ ପ୍ରଧାନ, ପ୍ରମୋଦ ସାହୁ, ଜିତେନ୍ଦ୍ର ଷଣ୍ଢ, ନୀଳାଦ୍ରି ପ୍ରଧାନ, , ଅରୁଣ ପ୍ରଧାନ, ପ୍ରଫୁଲ୍ଲ ସ୍ୱାଇଁ, ଟିକେଶ୍ୱର ଝାଙ୍କର, ସତ୍ୟବାଦୀ ନାୟକ, ନାରାୟଣ ଗଡ଼ନାୟକ ଓ ଅନ୍ୟାନ୍ୟ ରେଞ୍ଜ କର୍ମକର୍ତ୍ତା ଉପସ୍ଥିତ ଥିଲେ।