October 8, 2026

ଇଣ୍ଡି ମେଣ୍ଟର ଓଡ଼ିଶା ବନ୍ଦରେ ସମ୍ବଲପୁର ଠପ ସାରା ଜିଲ୍ଲାରେ ବନ୍ଦର ପ୍ରଭାବ; ରାସ୍ତାଘାଟରେ ଶହ ଶହ ଗାଡ଼ି ଅଟକିଲା

IMG-20261008-WA0030
Share

 

ସମ୍ବଲପୁର, ୦୮/୧୦: ଏମଏମଡିଆର୍‌ (ସଂଶୋଧନ) ଆଇନ ରଦ୍ଦ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ, ପାଠ୍ୟପୁସ୍ତକ ମୁଦ୍ରଣରେ ତ୍ରୁଟି ପାଇଁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ ପର୍ଯ୍ୟାପ୍ତ ରିଲିଫ ଓ ପୁନର୍ବାସ ସହାୟତା ଦାବିରେ ଇଣ୍ଡି ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ସମ୍ବଲପୁର ଜିଲ୍ଲାରେ ବ୍ୟାପକ ଭାବେ ପଡ଼ିଛି। ବନ୍ଦ ପ୍ରଭାବରେ ସମ୍ବଲପୁର ସହର ସମେତ ଜିଲ୍ଲାର ଅନେକ ଅଞ୍ଚଳରେ ଜନଜୀବନ ଠପ ହୋଇପଡ଼ିଥିଲା।

 

ବନ୍ଦକୁ ସମର୍ଥନ କରି କଂଗ୍ରେସ ଓ ସହଯୋଗୀ ଦଳର କର୍ମୀମାନେ ସକାଳୁ ବିଭିନ୍ନ ପ୍ରମୁଖ ଛକ ଓ ରାସ୍ତାରେ ପିକେଟିଂ କରିଥିଲେ। ଆନ୍ଦୋଳନକାରୀମାନେ ଏମଏମଡିଆର୍‌ ବିଲ୍‌ ବିରୋଧରେ ନାରାବାଜି କରିବା ସହ ନିର୍ବାଚନ କମିଶନ ସମ୍ପର୍କିତ ଦାବି ଉଠାଇଥିଲେ।

ବନ୍ଦର ପ୍ରଭାବରେ ସମ୍ବଲପୁର ସହରରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ବସ୍‌ ଚଳାଚଳ ବନ୍ଦ ରହିବା ସହ ଅନେକ ଯାନବାହନ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା। ଦୋକାନ, ବଜାର ଓ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଥିଲା। ସାଧାରଣ ଯାତାୟାତ ବ୍ୟାହତ ହେବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଜିଲ୍ଲାପାଳ କାର୍ଯ୍ୟାଳୟ, କୋର୍ଟ କଚେରୀ ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିଲା। ଆନ୍ଦୋଳନକାରୀମାନେ ବିଭିନ୍ନ କାର୍ଯ୍ୟାଳୟରେ ପହଞ୍ଚି କର୍ମଚାରୀମାନଙ୍କୁ ବାହାରକୁ ଆସିବାକୁ କହିଥିବା ଦେଖାଯାଇଥିଲା। ଫଳରେ ସ୍କୁଲ, କଲେଜ, ବ୍ୟାଙ୍କ, ଡାକଘର, ଆକାଶବାଣୀ ଓ ଦୂରଦର୍ଶନ ଭଳି ଅନୁଷ୍ଠାନର କାର୍ଯ୍ୟକ୍ରମ ମଧ୍ୟ ପ୍ରଭାବିତ ହୋଇଥିଲା।ରେଳ ଚଳାଚଳ ଉପରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିଲା। ସକାଳୁ ସମ୍ବଲପୁର ରେଳ ଷ୍ଟେସନରେ ଆନ୍ଦୋଳନକାରୀଙ୍କ ଉପସ୍ଥିତିକୁ ନେଇ ପୁଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପଦକ୍ଷେପ ନିଆଯାଇଥିଲା।ବନ୍ଦ କାର୍ଯ୍ୟକ୍ରମରେ କଂଗ୍ରେସ ଜିଲ୍ଲା ସଭାପତି ଅମିତ ଗୁରୁ, ବରିଷ୍ଠ ନେତା ସୁଧୀର ପଣ୍ଡା, ଲକ୍ଷ୍ମୀପ୍ରିୟା ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ନେତୃତ୍ୱ ନେଇଥିଲେ।ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଥିଲା। ଆମ୍ବୁଲାନ୍ସ ଚଳାଚଳ, ହସ୍ପିଟାଲ ଓ ଅନ୍ୟାନ୍ୟ ଜରୁରୀ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ରହିଥିଲା। ରୋଗୀ ଓ ଜରୁରୀ ଚିକିତ୍ସା ଆବଶ୍ୟକତା ଥିବା ଲୋକେ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ଏହି ସେବାଗୁଡ଼ିକୁ ବନ୍ଦରୁ ବାଦ ଦିଆଯାଇଥିଲା।

 

ବନ୍ଦର ପ୍ରଭାବ ପଡ଼ିଆବାହାଲରେ ମଧ୍ୟ ଦେଖିବାକୁ ମିଳିଥିଲା। ଅଶୋକ କୁମାର ପୁରୋହିତଙ୍କ ନେତୃତ୍ୱରେ ସକାଳ ୬ଟାରୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ପିକେଟିଂ କରାଯାଇଥିଲା। ଫଳରେ ଶହ ଶହ ଗାଡ଼ି ରାସ୍ତାରେ ଅଟକି ରହିଥିଲା। ଦୀର୍ଘ ସମୟ ଧରି ଯାତାୟାତ ବ୍ୟାହତ ହେବାରୁ ଯାତ୍ରୀ ଓ ଗାଡ଼ି ଚାଳକମାନେ ଅସୁବିଧା ଭୋଗିଥିଲେ।ସମ୍ବଲପୁର ସହର ବ୍ୟତୀତ ବୁର୍ଲା, ହୀରାକୁଦ, ରେଙ୍ଗାଲି, ବାମରା, କୁଚିଣ୍ଡା, ଜମନକିରା, ରେଢ଼ାଖୋଲ,ଧନକଉଡ଼ା, ନାକଟିଦେଉଳ, ଯୁଯୁମୁରା, ଚିପିଲିମା, ମାନେଶ୍ୱର ଓ ଧମା ଆଦି ଅଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିଲା। ଅଧିକାଂଶ ସ୍ଥାନରେ ଦୋକାନବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଫଳରେ ସାରା ଜିଲ୍ଲାରେ ବନ୍ଦର ପ୍ରଭାବ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥିଲା।