September 8, 2026

ପାଲକଷଣ୍ଢାର ନିଆରା କୃଷିଭିତ୍ତିକ ପରମ୍ପରା ‘ନଳ ଯାତ୍ରା’ ବାଉଁଶ ନଳରେ ବିରାଜନ୍ତି ତିନି ଠାକୁରାଣୀ, ଗ୍ରାମର ମଙ୍ଗଳ ଓ ଭଲ ଫସଲ ପାଇଁ ଅନନ୍ୟ ପରମ୍ପରା

IMG-20260908-WA0031
Share

ବେଲଗୁଣ୍ଠା,୦୮/୦୯, ଆଧୁନିକତାର ପ୍ରଭାବରେ ଅନେକ ପ୍ରାଚୀନ ଲୋକପରମ୍ପରା ଲୁପ୍ତ ହେବାକୁ ବସିଥିବାବେଳେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ର ପାଲକଷଣ୍ଢା ଗ୍ରାମ ଆଜି ମଧ୍ୟ ନିଜର ପୁରାତନ ଆସ୍ଥା ଓ ପରମ୍ପରାକୁ ସାଇତି ରଖିଛି। ଗ୍ରାମର ମଙ୍ଗଳ ଓ ଭଲ ଫସଲ କାମନାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଳିତ ହୋଇଛି ନିଆରା କୃଷିଭିତ୍ତିକ ଲୋକପର୍ବ ‘ନଳ ଯାତ୍ରା’। ପ୍ରକାଶ ଥାଉକି ଗହ୍ମା ପୂର୍ଣ୍ଣିମାରେ ଗ୍ରାମର ରୟତମାନଙ୍କ ବୈଠକରେ ଯାତ୍ରାର ତିଥି ନିର୍ଦ୍ଧାରଣ ହୋଇଥାଏ। ଭାଦ୍ରବ ମାସର ଯେକୌଣସି ସୋମବାର ଏହି ପର୍ବ ପାଳନ କରାଯାଏ। ଯାତ୍ରା ଦିନ ରଜକ ବାଉଁଶ ବଣକୁ ଯାଇ ପୂଜାର୍ଚ୍ଚନା ପରେ ତିନୋଟି ବାଉଁଶ ଚୟନ କରନ୍ତି। ମହାରଣାଙ୍କ ଦ୍ୱାରା ନିର୍ଦ୍ଧାରିତ ମାପରେ ବାଉଁଶ ପ୍ରସ୍ତୁତ ହେବା ପରେ ଏହାକୁ କିଆଫୁଲ ଓ ରଙ୍ଗବେରଙ୍ଗ ବସ୍ତ୍ରରେ ସଜା ଯାଇଥାଏ। ଚଳିତ ବର୍ଷ ମଧ୍ୟ ଏହି ନୀତିନିୟମରେ ସୋମବାର ଦିନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯାନୀ ଓ ମାନସିକଧାରୀଙ୍କ ପୂଜାର୍ଚ୍ଚନାରେ ପ୍ରଥମେ ମା’ ବୁଢ଼ାକେନ୍ଦୁ, ପରେ ଗାଁ ଠାକୁରାଣୀ ଓ ଶେଷରେ ମା’ ଷଣ୍ଢେଶ୍ୱରଙ୍କୁ ଆବାହନ କରାଯାଇଥିଲା। ମାନସିକଧାରୀମାନେ ଉପବାସ ରହି ନୂତନ ବସ୍ତ୍ର ପରିଧାନ କରି ତିନି ନଳକୁ କୋଳରେ ଧରି ଚାଙ୍ଗୁ ବାଦ୍ୟ, ହରିବୋଲ ଓ ହୁଳହୁଳି ମଧ୍ୟରେ ଗ୍ରାମ ପରିକ୍ରମା କରିଥିଲେ। ପରେ ଜଙ୍ଗଲ ମଧ୍ୟରେ ନିର୍ଦ୍ଦିଷ୍ଟ ଗଣ୍ଡ ନିକଟରେ ପୂଜା ଓ ପାରମ୍ପରିକ ନୃତ୍ୟ ହୋଇ ଗ୍ରାମକୁ ଫେରିବା ପରେ ଘରେ ଘରେ ପୂଜା ଓ ଭୋଗ ଲାଗିଥିଲା। ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ଯାତ୍ରା କୃଷି, ପ୍ରକୃତି, ଆସ୍ଥା ଓ ସାମାଜିକ ଏକତାର ଅନନ୍ୟ ସମନ୍ୱୟ। ପିଢ଼ି ପରେ ପିଢ଼ି ଚାଲିଆସୁଥିବା ଏହି ଲୋକପରମ୍ପରା ପାଲକଷଣ୍ଢାର ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ହୋଇ ରହିଛି।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed