ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସର୍ଗ ପକ୍ଷରୁ ଛାତ୍ରବୃତ୍ତି
ସମ୍ବଲପୁର , ୦୭.୦୯: ମେଧାବୀ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନର ଦ୍ୱିତୀୟ ସୋପାନରେ ଆଜି ମହୁଲପାଲିସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ହାଇସ୍କୁଲ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୂଚିତ୍ରା ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଏ-୧ ଓ ଏ-୨ ଗ୍ରେଡ୍ରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ପ୍ରାୟ ୬ଟି ହାଇସ୍କୁଲର ୧୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଓ ଉପହାର ପ୍ରଦାନ କରାଯାଇଥିଲା। ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଆର୍ଥିକ ଅସୁବିଧା ସତ୍ତ୍ୱେ ସେମାନଙ୍କ ଶିକ୍ଷା ଜାରି ରଖିବାରେ ସହଯୋଗ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ କହିଥିଲେ।
ସଭାରେ ବିଦ୍ୟାଳୟର ସନ୍ତୋଷିନୀ ପଣ୍ଡା, ମାନସ ବନଛୋର, ବିଶ୍ୱନାଥ ପାଣ୍ଡେଙ୍କ ସମେତ କେଶାପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ମେଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ। ଉତ୍ସର୍ଗ ପକ୍ଷରୁ ପ୍ରିୟରଞ୍ଜନ ସାହୁ, ଡାକ୍ତର ସଞ୍ଜୀବ ମିଶ୍ର ଓ ସୁଧୀର ପୂଜାରୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗଦେଇଥିଲେ। ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ମାନ ଓ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ଆଗାମୀ ପରୀକ୍ଷାର୍ଥୀମାନଙ୍କୁ ଅଧିକ ପରିଶ୍ରମ ଓ ଆତ୍ମବିଶ୍ୱାସର ସହ ପରୀକ୍ଷା ପ୍ରସ୍ତୁତି ନେବାକୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଥିଲା।
