ଓଡ଼ିଆ ସମ୍ୱାଦପତ୍ର ପାଇଁ ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ ଦାବିରେ 15ରେ କୋରାପୁଟରେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନର ସାଧାରଣ ପରିଷଦ ବୈଠକ

ବ୍ରହ୍ମପୁର,8/9 : ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନର ଆଗାମୀ ବୈଠକ ଆସନ୍ତା ସେପ୍ଟେମ୍ବର 15, 2025 ତାରିଖ ଦିନ ଦିବା 10 ଘଟିକା ସମୟରେ କୋରାପୁଟ ସହରର ଜଗନ୍ନାଥ ମନ୍ଦିର ପରିଚାଳିତ ଅତିଥି ଭବନ ସଭା କକ୍ଷଠାରେ ଅନୁଷ୍ଠିତ ହେବ । ଏହି ସଭାରେ ଯୋଗଦେବା ନିମନ୍ତେ ଆସୁଥିବା ସମ୍ପାଦକ ଓ ପ୍ରକାଶକମାନଙ୍କ ରହଣି ନିମନ୍ତେ ପ୍ରସ୍ତୁତି କମିଟି ପକ୍ଷରୁ 15 ତାରିଖ ପାଇଁ ସଭା କକ୍ଷ ନିକଟସ୍ଥ ମୈତ୍ରୀ ପରିସରରେ କେ.ବି.କେ. ସମାଚାରର ସମ୍ପାଦକ ତଥା ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ମୁଖ୍ୟ ଉପଦେଷ୍ଟା ବିନୋଦ ମହାପାତ୍ରଙ୍କ ନେତୃତ୍ବରେ ଗଠିତ ଅଭ୍ୟର୍ଥନା କମିଟି ଏହି ବୈଠକ ନିମନ୍ତେ ସମସ୍ତ ଆୟୋଜନ କରୁଅଛନ୍ତି ।
ଏ ସମ୍ପର୍କରେ ବୈଠକରେ ମୁଖ୍ୟତଃ ଓଡ଼ିଆ ସମ୍ୱାଦପତ୍ର ପାଇଁ ସରକାର ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରନ୍ତୁ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମ୍ୱାଦପତ୍ର ପାଇଁ ନୀତି ନିର୍ଦ୍ଧାରଣ କରାଯାଉ, ସମ୍ବାଦପତ୍ର ସମ୍ପାଦକ ଓ ମାଲିକମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯିବା । ସରକାରୀ ସୀକୃତି ପାଇଁ ଆବେଦନ କରିଥିବା ସମସ୍ତ ଖବର କାଗଜଗୁଡ଼ିକର ସୀକୃତି ପ୍ରଦାନ ସମ୍ପର୍କରେ ତ୍ବରିତ ନିଷ୍ପତି ଗ୍ରହଣ କରାଯିବା । ସାମ୍ବାଦିକ ଓ ସମ୍ପାଦକମାନଙ୍କ ପାଇଁ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଯିବା । ସମ୍ପାଦକମାନଙ୍କୁ ଟୋଲ ଗେଟମାନଙ୍କରେ ନିଃଶୁଳ୍କ ଯାତାୟାତର ବ୍ୟବସ୍ଥା କରାଯିବା ସହ ସାଙ୍ଗଠନିକ ଅଭିବୃଦ୍ଧି ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯିବ ବୋଲି ସଂଗଠନର ଅଧ୍ୟକ୍ଷ ରବି ରଥ ସୂଚନା ଦେଇଛନ୍ତି ।
(ରବି ରଥ)
ଅଧ୍ୟକ୍ଷ, କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନ, ଓଡ଼ିଶା
