ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

କୋଲନରା( ସଞ୍ଜୀବ କଣ୍ଡାଗରୀ ): କୋଲନରା ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୈଳାସପୁର ଠାରେ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଓ ଭାଷାଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା | ମୋଟ ୧୬୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଚିତ୍ରାଙ୍କନରେ ୧୨ ଜଣ, ହସ୍ତାକ୍ଷରରେ ୮୫ ଜଣ ଓ ଭାଷା ଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତାରେ ୬୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ | ଏଥିରେ ବାଙ୍କିଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ଶବର, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୈଳାଶପୁରର ସହକାରୀ ଶିକ୍ଷକ ମନୋଜ ମୁଦୁଲି, ସୁକାନ୍ତ ଜେନା, ସନ୍ତୋଷ କୁମାର ପ୍ରଧାନ, ଗଣେଶ ଶବର ପ୍ରମୁଖ ଉପସ୍ଥିତ ରହି ପରିଚାଳନା ସହ ମୂଲ୍ୟାଙ୍କନ କରିଥିଲେ | ପୁରସ୍କାର ବିତରଣ ଉତ୍ସବରେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ନିରୀକ୍ଷକ ବିପିନ ବିହାରୀ ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୈଳାସପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶିକେଶନ ବାଗ, ସେଣ୍ଟ ଜାଭିୟର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପରିଚାଳକ ବିରଞ୍ଚି ପାତିକା, ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ପ୍ରଧାନ ଗୁରୁଜୀ ହରିହର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ | ଓଡ଼ିଶାର ଦୈନିକ ଅଗ୍ରଣୀ ଖବର କାଗଜ ସମ୍ବାଦର ଏଭଳି ପ୍ରୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଶଂସା ଯୋଗ୍ୟ ଏବଂ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଲେ ପ୍ରତିଭାର ବିକାଶ ହୋଇଥାଏ ବୋଲି ଉପସ୍ଥିତ ଅତିଥିଗଣ କହିଥିଲେ | ଏହି ପ୍ରତି ଯୋଗିତାରେ ଚିତ୍ରାଙ୍କନରେ ପାୟେଲ ନିଶାଲ ପ୍ରଥମ, ଦକ୍ଷତା କାଡ୍ରାକା ଦ୍ଵିତୀୟ ଓ ଜ୍ୟୋତି ପାତିକା ତୃତୀୟ ସ୍ଥାନ ଅଧିକାର କରିଥିଲେ | ସେହିପରି ସୁନ୍ଦର ହସ୍ତାକ୍ଷରରେ ହରଭଜନ କାଣ୍ଡାମାକା ପ୍ରଥମ, ଅଭିରାମ ହେମ୍ବ୍ରମ ଦ୍ୱିତୀୟ ଓ କାବେରୀ ତାଡିଙ୍ଗି ତୃତୀୟ ସ୍ଥାନ ଅଧିକାର କରିଥିଲେ | ଓଡ଼ିଆ ଭାଷା ଜ୍ଞାନ ପରୀକ୍ଷାରେ ପ୍ରଥମ ସ୍ଥାନରେ ସିଦ୍ଧାନ୍ତ କୁଣ୍ଡିକା, ଦ୍ୱିତୀୟରେ ସିଦ୍ଧୁ କାଡ୍ରାକା ଓ ତୃତୀୟରେ ସୁନୀତା ହୁଇକା ପୁରସ୍କୃତ ହୋଇଥିଲେ | ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ମୁକୁନ୍ଦପୁର ସମ୍ବାଦ ପ୍ରତିନିଧି ନରେନ୍ଦ୍ର ନିଶାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକ ପୃଥିରାଜ୍ ମହାନ୍ତି ସହଯୋଗ କରିଥିଲେ |
