April 14, 2025

ଜଗତ ପାଟଣାରେ ପଞ୍ଚୁଦଣ୍ଡ ମହାମିଳନ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ 

Share

 

ବୁଗୁଡ଼ା : ତା ୦୮/୦୪/୨୫ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଜଗତ ପାଟଣା ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଡଖୋଲି , ମରାଇପଲ୍ଲୀ , ଛାମଣ୍ଡା , କଣଛାଇ , ଚିଲିଖମା ଆଦି ୫ଟି ଗ୍ରାମର ଦଣ୍ଡଯାତ୍ରା ଦଳର ମହାକାଳୀ ଓ ମହାଦେବ ମିଳିତ ହୋଇଥିଲେ । ଏହି ମହାମିଳନ କାଳରେ ଝୁଣାର ମହକରେ ମିଳନ ସ୍ଥଳ ମହକିତ ହୋଇଥିବା ବେଳେ ଢୋଲ ଓ ଝାଞ୍ଜ ନାଦରେ ପ୍ରକମ୍ପିତ ହୋଇଥିଲା। ଏହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ପଞ୍ଚ ଦଣ୍ଡଯାତ୍ରା ଦଳର ସାମୂହିକ ଗ୍ରାମ ପରିକ୍ରମା କାଳରେ ପ୍ରତ୍ଯେକ ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ଦୃଶ୍ୟମାନ ହେବା ସହ ଗ୍ରାମରେ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏଥି ପଞ୍ଚ ଦଣ୍ଡ ଦଳର ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, ସଂନ୍ଧ୍ଯା ଆଳତି ଆଦି କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଉକ୍ତ ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ କରିଥିଲେ।