May 19, 2024

ନିର୍ବାଚନ ଆଚରଣ ବିଧି ପାଳନ କଡାକଡି , ମୁଖ୍ୟମନ୍ତ୍ରୀଙ୍କ ଚିତ୍ରରେ ରଙ୍ଗ ଲେପିଲେ ଫ୍ଲାଇଙ୍ଗ୍ ସ୍କାର୍ଡ…

Share


ବୁଗୁଡ଼ା : ତା ୦୮/୦୪/୨୪ : ବୁଗୁଡ଼ା ସହରରେ ନିର୍ମାଣାଧୀନ ଅବଦୁଲ୍ କାଲାମ୍ ସାଇନ୍ସ ପାର୍କରେ ଅଙ୍କାଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆବକ୍ଷ ଚିତ୍ରରେ ଆଜି ଫ୍ଲାଇଙ୍ଗ୍ ସ୍କାର୍ଡ଼ ରଙ୍ଗ ଲେପିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରକାଶ ଯେ , ମୁକ୍ତା ଯୋଜନା ଆନୁକୁଲ୍ୟରେ ନିର୍ମାଣାଧୀନ ଉକ୍ତ ସାଇନ୍ସ ପାର୍କ ସଂଲଗ୍ନ ଏକ ପାଚେରୀରେ ନବୀନ ପଟ୍ଟନାୟକଙ୍କ ବିରାଟ ଚିତ୍ର ଅଙ୍କନ କରାଯାଇଥିଲା । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରଠୁ ଉକ୍ତ ଚିତ୍ରକୁ ଆବୃତ କରାଯାଇଥିଲା । ତେବେ ରବିବାର ଅପରାହ୍ନରେ ହୋଇଥିବା କାଳବୈଶାଖୀ ତାଣ୍ଡବ କାଳରେ ଝଡତୋଫାନ ଯୋଗୁଁ ଘୋଡାଯାଇଥିବା ଜରିପାଲ ଉଡିଯାଇ ଉକ୍ତ ଚିତ୍ର ଅନାବୃତ ହୋଇପଡିଥିଲା । ଏ ନେଇ ଅଭିଯୋଗ ଅଥବା ଖବର ୧୨୪ ପୋଲସରା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଗଠିତ ଫ୍ଲାଇଙ୍ଗ୍ ସ୍କାର୍ଡ଼ ନିକଟରେ ପହଞ୍ଚିଥିଲା । ଫଳରେ ଆଜି ପୂର୍ବାହ୍ନରେ ବୁଗୁଡ଼ା ପୋଲିସ ଓ ଏନ୍ଏସି କର୍ମଚାରୀଙ୍କ ଉପସ୍ଥିତିରେ ଫ୍ଲାଇଙ୍ଗ୍ ସ୍କାର୍ଡ଼ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଚିତ୍ରରେ ରଙ୍ଗ ଲେପନ କରାଯାଇ ଚିତ୍ରଟିର ରୂପରେଖ ବଦଳା ଯାଇଥିଲା । ଏଫ୍ଏସଟିର ଏତାଦୃଶ ପଦକ୍ଷେପ ଯୋଗୁଁ ଏଥର ସାଧାରଣ ନିର୍ବାଚନ ଆଚରଣ ବିଧି ପାଳନ ନେଇ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି ।