March 7, 2026

ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, ପର୍ଯ୍ୟଟକଙ୍କ ନିମନ୍ତେ ନାହିଁ ଆବଶ୍ୟକୀୟ ସୁବିଧା ସୁଯୋଗ ..

IMG-20251207-WA0238
Share

ତିର୍ତ୍ତୋଲ(ଶରତ କୁମାର ଦାଶ) ମନ୍ଦିର ମାଳିନୀ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡିଶା ର ପ୍ରାଚୀନ ପ୍ରସିଦ୍ଧ ଶକ୍ତିପୀଠ ବାଣୀ କ୍ଷେତ୍ର। ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମାଁ ସାରଳା ଙ୍କ ଦର୍ଶନଲାଭ ଓ ପୀଠ ପରିଭ୍ରମଣ ନିମନ୍ତେ ପ୍ରତିବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ମାତ୍ରେ ବିପୁଳ ଜନସମାଗମ ରେ ଚଳଚଞ୍ଚଳ ହୋଇ ଉଠେ ମାଆଙ୍କର ପୀଠ ସ୍ଥଳି।କଟକ ପାରାଦ୍ୱୀପ ରାଜପଥ ର ଠିକ ମଧ୍ୟବର୍ତ୍ତୀ ସ୍ଥାନ ସାରଳାରୋଡ଼ (ଦୋସଡିକ)ଛକ ରୁ ମାତ୍ର ଛଅ କିଲୋମିଟର ଓ ରେଳପଥରେ ଝଙ୍କଡ଼ ସାରଳା ରୋଡ଼ ପି ଏଚ ଠାରୁ ମାତ୍ର ଏକ କିଲୋମିଟର ଦକ୍ଷିଣ ଦିଗରେ ସାରଳା ପୀଠ ଅବସ୍ଥିତ। ମାଆଙ୍କ ବିଜେସ୍ଥଳୀ କୁ କନକପୁର ବୋଲି କୁହାଯାଉଥିଲେ ମଧ୍ୟ ଏହି ରାଜସ୍ବ ଗ୍ରାମର ନାମ ହେଉଛି କୁଟିଳ ଗ୍ରାମ ଦୟାଳପୁର।ପୀଠକୁ ପ୍ରବେଶ କରିବା ପଥରେ ସାରଳାରୋଡ଼ ରେ ସାରଳା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର, ଆଉଟିକେ ଆଗକୁ ଗଲେ ଆଖଣ୍ଡଳମଣି ମନ୍ଦିର,ତେନ୍ତୁଳିପଦା ଗ୍ରାମ ର ପୂର୍ବ ଭାଗରେ ମାଁ ବିଲ୍ଵସାରଳା ମନ୍ଦିର,ଗାଁ ମଝିରେ ସାରଳାଦାସ ଙ୍କ ଗାଦି ଗୋସେଇଁ, ପଶ୍ଚିମ ପାର୍ଶ୍ୱରେ ଗୋପୀନାଥ ଜୀଉ ଙ୍କ ପରେ କୁଳୁସାହି ଛକ ର ଅନତି ଦୂରରେ ଆଦିକବି ଶୁଦ୍ରମୁନି ସାରଳାଦାସ ଙ୍କ ସମାଧିପୀଠ ବୃଦ୍ଧମାତାଙ୍ଗୀ ନଦୀ (ବୁଡୁନଈ) କୁଳରେ ଦେଖିବାକୁ ମିଳିଥାଏ। ରେଳଷ୍ଟେସନ ପାଖରେ ଶନିଦେବ ଙ୍କ ସୁରମ୍ୟ ମନ୍ଦିର ଓ ସାରଳାହାଟ କେନାଲ ପୋଲ ପାଖରେ ହନୁମାନଜୀଉ ଙ୍କ ମନ୍ଦିର ପରେ ମାଆଙ୍କ ମନ୍ଦିରର ମାତ୍ର ଶହେମିଟର ପୂର୍ବରୁ ବ୍ରଜବିହାରୀ ମଠ ପଡିଥାଏ। ସେହିପରି ସାରଳା ପୀଠରୁ ଶ୍ରୀକ୍ଷେତ୍ର ପୁରୀ ଯିବା ବାଟରେ ନିକଟସ୍ଥ କଣ୍ଟାପଡl ଗ୍ରାମ ରେ ରାଜବଂଶୀୟ ଠାକୁର ଗୋପାଳଜୀଉ ଓ ଦଳିଆଛକ ରେ ଐତିହାସିକ ମୁଣ୍ଡଟଙ୍ଗା ବରଗଛ ଓ କାଳୀମନ୍ଦିର ଦେଖିବାକୁ ମିଳିଥାଏ l ସାରଳା ପୀଠ ର ପଶ୍ଚିମ ପାର୍ଶ୍ଵରେ ମଧ୍ୟ ଗୋବିନ୍ଦଜୀଉ ମଠ,ସାରଳା ପର୍ଶୁରାମ ସ୍ମୃତିପୀଠ,ସାରଳାଙ୍କ ପ୍ରାଚୀନ ପୀଠ ସ୍ଥଳୀ ବଡସାରୋଳ ଗ୍ରାମର ଲଣ୍ଡା ଦେଉଳ ଓ ଗଣେଷ ମନ୍ଦିର ପରେ ମୂଳିସିଂହ ରେ ରସିକଲାଲ ଓ ମାଁ ସାରଳା ଙ୍କର ପାତାଳି କ୍ଷେତ୍ର ଗୁପ୍ତମାଣିକା ପୀଠ ପରେ ପରେ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ବିଭୁତିକ୍ଷେତ୍ର ର ଅଧିଶ୍ୱର ବାବା ଗୋରେଖନାଥ ଙ୍କ ମଠ ପଡିଥାଏ।ତେବେ ସାରଳାପୀଠ କୁ ଆସୁଥିବା ପ୍ରାୟ ଅଧିକାଂଶ ଯାତ୍ରୀ ଓ ପର୍ଯ୍ୟଟକ ମାନେ ଏହି ଆକର୍ଷଣୀୟ ଗୋରେଖମଠ ଦର୍ଶନ ନିମନ୍ତେ ଯାଇଥାନ୍ତି।ବିଗତ ସରକାର ଙ୍କ ୪୨ କୋଟି ଟଙ୍କା ଆର୍ଥିକ ଅନୁଦାନ ରେ ସାରଳାପୀଠର ନବୀକରଣ ର କାମ ହେବା ପରେ ଏହା ପର୍ଯ୍ୟଟକ ଓ ଯାତ୍ରୀ ମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇଥିଲେ ମଧ୍ୟ ସାରଳା ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ର ଅଣଦେଖା ଓ ଅବହେଳା ଯୋଗୁଁ ଏଠାରେ ଦୀର୍ଘ ଦୁଇ ବର୍ଷ ପୂର୍ବରୁ ନିର୍ମାଣ ସରିବା ପରେ ଏବଂ ଭରଚୁଆଲ ଉଦଘାଟନ ସରିଥିବା ବେଳେ ପାନ୍ଥଶାଳା, ଝଙ୍କଡ଼ ବିଶ୍ରାମାଗାର ଓ ଶତାଧିକ ଯାତ୍ରୀ ଙ୍କ ବିଶ୍ରାମ ଓ ରାତ୍ରୀ ଯାପନ ନିମନ୍ତେ ଯାତ୍ରୀ ବିଶ୍ରାମଗାର ଗୁଡିକ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ସେହିପରି ଶତାଧିକ ଦୋକାନ ଘର କୁ ମଧ୍ୟ ଭାଙ୍ଗିଦିଆ ଯାଇଥିବା ଦୋକାନୀ ମାନଙ୍କୁ ହସ୍ତାନ୍ତର କରାଯାଇ ନାହିଁ।ତେଣୁ ସମ୍ଭ୍ରାନ୍ତ ପରିବାର ଲୋକ ମାନେ ଉଠା ଦୋକାନ ମାନଙ୍କରେ ଖାଇବା ପାଇଁ କୁଣ୍ଠାବୋଧ କରୁଛନ୍ତି।ବର୍ଷକୁ କୋଟି କୋଟି ଟଙ୍କା ଯାତ୍ରୀ ମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ମନ୍ଦିର ପାଣ୍ଠି କୁ ଆସୁଥିଲା ବେଳେ କାମସରି ଉଦଘାଟନ ହୋଇସାରିଥିବା ଶୌଚାଳୟ,ପାନୀୟ ଜଳଯୋଗାଣ ଆଦି ପ୍ରକଳ୍ପ ଗୁଡିକୁ ଆଜି ପର୍ଯ୍ୟନ୍ତ ମନ୍ଦିର ପ୍ରଶାସନ ନିଜ ଦାୟିତ୍ୱ କୁ ନନେବା ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ବିଶେଷ କରି ରାତ୍ରୀ ସମୟରେ ରଙ୍ଗବେରଙ୍ଗ ର ଆଲୋକସଜ୍ଜା ରେ ମାଆଙ୍କ ପୀଠ ସ୍ଥଳି ଝଲସି ଉଠୁଛି ମାତ୍ର ପର୍ଯ୍ୟଟନ ଋତୁରେ ଏଠାକୁ ପ୍ରତିଦିନ ଆସୁଥିବା ଶହଶହ ଯାନବାହାନ ର ଯାତାୟାତ ନିମନ୍ତେ ରାସ୍ତାଘାଟ ର ସମ୍ପ୍ରସାରଣ ନିମନ୍ତେ ଆବଶ୍ୟକୀୟ ଜମି ଅଧିଗ୍ରହଣ କାର୍ଯ୍ୟ କେବଳ ଫାଇଲ ଭିତରେ ରହିଯାଇଛି।ନବୀକରଣ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା ଓ ଯଥାଶୀଘ୍ର ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ରାଜ୍ୟ ସରକାର ଆଶୁ କାର୍ଯାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ହୋଇପଡିଛି।ତା ନହେଲେ ଏତେ ମହାନ ଐତିହ୍ୟ,ସଂସ୍କୃତି ଓ ପରମ୍ପରା ରେ ସମୃଦ୍ଧିଲାଭ କରିଥିବା ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ ର ମହିମା ମହାତ୍ମ୍ୟ ଓ ମହତ୍ତ୍ୱ ବୁଡିଯିବାକୁ ଆଉ ବେଶିଦିନ ଲାଗିବ ନାହିଁ ବୋଲି ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି।