October 28, 2026

ଆଜି ବି ପ୍ରଜ୍ଵଳିତ-ସମାଜବାଦୀ ବିପ୍ଲବର ସେହି ଅଲିଭା ଅଗ୍ନୀ ଶିଖା..

IMG-20251107-WA0079
Share

ଲାଞ୍ଜିଗଡ଼(ପୁରନ୍ଦର ଦଣ୍ଡସେନା)୭ ନଭେମ୍ବର(ପୁରୁଣା କ୍ୟାଲେଣ୍ଡର ଅନୁଯାୟୀ ୨୫ ଅକ୍ଟୋବର)ସେହି ଦିନକୁ ମନେ ପକାଇ ଦିଏ, ଯେତେବେଳେ ଶ୍ରମିକ ଶ୍ରେଣୀ ବିଶ୍ୱକୁ ଦୋହଲାଇ ଦେଇଥିଲା।

୧୯୧୭ ମସିହାର ଆଜିର ଦିନରେ ପେଟ୍ରୋଗ୍ରାଡ୍ ର ଶୀତକାଳୀନ ରାଜ-ପ୍ରାସାଦ ଉପରେ ଲାଲ ପତାକା ଉଡିଥିଲା ଏବଂ ଇତିହାସରେ ପ୍ରଥମ ଥର ପାଇଁ ଶୋଷିତ ମାନେ ନିଜର ଭାଗ୍ୟକୁ ନିଜ ହାତକୁ ନେଇଥିଲେ।

ମହାନ୍ ଅକ୍ଟୋବର ସମାଜବାଦୀ ବିପ୍ଳବ କେବଳ ଏକ ରାଜତନ୍ତ୍ରର ପତନ କିମ୍ବା ଗୋଟିଏ ଦଳର ବିଜୟ ନୁହେଁ।ଏହା ମାନବ ସଭ୍ୟତାରେ ଏକ ନୂତନ ଯୁଗର ଆରମ୍ଭ ଥିଲା। ସେହି ଯୁଗ ଯେତେ ବେଳେ ଲକ୍ଷ ଲକ୍ଷ ଶ୍ରମଜୀବୀ ମଣିଷ ଘୋଷଣା କରିଥିଲେ ଯେ ସେମାନଙ୍କ ବଞ୍ଚିବା ଏବଂ ମରିବା ଅଳ୍ପ କେତେ ଜଣଙ୍କ ଲାଭ ପାଇଁ ଉଦ୍ଦିଷ୍ଟ ହେବ ନାହିଁ।

ଏହା ସେହି ଦିନ ଥିଲା ଯେତେ ବେଳେ ଇତିହାସ ତା’ର ମୋଡ ବଦଳାଇଲା।ଯେତେବେଳେ “ଯେଉଁମାନେ ସବୁକିଛି ସମ୍ପଦ ଉତ୍ପାଦନ କରନ୍ତି” ସେହି ଶ୍ରମଜୀବୀ ମଣିଷମାନେ”ଯେଉଁ ମାନେ ସେହି ସବୁକିଛି ସମ୍ପଦକୁ ଅକ୍ତିଆର କରି ତା’ର ମାଲିକ ବନିଯାଆନ୍ତି”ସେହି ଲୁଟେରା ମାନଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ।

ପେଟ୍ରୋଗ୍ରାଡ୍ ର ଝଡ଼ ଠାରୁ ଆରମ୍ଭ କରି ସାଂଘାଇ,ହାଭାନା,ହାନୋଇର ସଂଗ୍ରାମ ଏବଂ ତା’ଠାରୁ ଆହୁରି କିଛି ଅଧିକ ସଂଗ୍ରାମ ପାଇଁ ୧୯୧୭ ର ସେହି ବୈପ୍ଲବିକ ପ୍ରତିଧ୍ୱନି କେବେ ବି ଫିକା ପଡିନାହିଁ।ଯେଉଁ ଠାରେ ଜଣେ ଶ୍ରମିକ ନ୍ୟାୟ ଦାବି କରନ୍ତି, ଯେଉଁ ଠାରେ ଜଣେ କୃଷକ ଜମିର ସୁରକ୍ଷା ପାଇଁ ସଚେଷ୍ଟ,ଯେଉଁ ଠାରେ ଯୁବକ ମାନେ ସମାନତା ଏବଂ ସ୍ୱାଧୀନତାର ସ୍ୱପ୍ନ ଦେଖନ୍ତି ସେଠାରେ ଏହା ଆଜି ମଧ୍ୟ ଗୁଞ୍ଜରିତ ହୁଏ।

ସେହି ମହାନ୍ ଶିକ୍ଷା ଯାହା ଆଜି ମଧ୍ୟ ଆମ ପଥକୁ ଆଲୋକିତ କରେ

ଅକ୍ଟୋବର ବିପ୍ଳବ ବିଶ୍ୱକୁ ଶିକ୍ଷା ଦେଇଥିଲା ଯେ,

ପୁଞ୍ଜିବାଦ ଚିରନ୍ତନ ନୁହେଁ,ଏହାକୁ ଉଚ୍ଛେଦ କରାଯାଇପାରେ।

ଶ୍ରମିକ ମାନେ ଏକ ଶୋଷଣ ହୀନ, ମାନବୀୟ ସମାଜ ବ୍ୟବସ୍ଥା ଗଠନ କରିପାରିବେ ଏବଂ ତାକୁ ସୁଚାରୁ ରୂପେ ଯୋଜନାବଦ୍ଧ ଭାବେ ଶାସନ କରି ପାରିବେ।ଯେତେ ବେଳେ ଜନଗଣ ସୀମା ସରହଦକୁ ଅତିକ୍ରମ କରି ପରସ୍ପର ଏକଜୁଟ ହୁଅନ୍ତି ସେତେ ବେଳେ ସାମ୍ରାଜ୍ୟବାଦକୁ ପରାସ୍ତ କରାଯାଇପାରିବ।

ଆଜି,ନୀରିକ୍ଷଣ ପୁଞ୍ଜିବାଦ (ସର୍ଭେଲାନ୍ସ କ୍ୟାପିଟାଲିଜିମ୍) ଯୁଗରେ,ଯେତେବେଳେ ତଥ୍ୟ (ଡାଟା) ହେଉଛି ନୂତନ ସୁନା ଏବଂ କର୍ପୋରେସନ ଗୁଡ଼ିକ ଆମର ଉଭୟ ଶ୍ରମ ଏବଂ ଆମର ଚେତନାର ମାଲିକ ବନିଯାଉଛନ୍ତି, ଅକ୍ଟୋବର ବିପ୍ଲବର ସେହି ଲାଲ ନିଶାନ୍ ପୁନର୍ବାର ଆହ୍ୱାନ କରୁଛି ଆମର ଅର୍ଥନୀତି,ଆମର ପୃଥିବୀ ଏବଂ ଆମର ନିଜ ମାନବିକତାକୁ “ଲାଭର ଅତ୍ୟାଚାର”ରୁ ପୁନରୁଦ୍ଧାର କରିବା ପାଇଁ।

ଭାରତ ପାଇଁ- ଅକ୍ଟୋବର ସମାଜବାଦୀ ବିପ୍ଲବର ସେହି ଜାଜୁଲ୍ୟମାନ ଲାଲ ଶିଖା ଆହୁରି ଉଚ୍ଚରେ ଉଠିବା ଆବଶ୍ୟକ।

ବିଶାଳ ଶ୍ରମିକ ଶ୍ରେଣୀ,ଋଣଗ୍ରସ୍ତ କୃଷକ,ବେକାର ଯୁବକ ଏବଂ ରୂଢିବାଦୀ ପିତୃତାନ୍ତ୍ରୀକ ସମାଜବ୍ୟବସ୍ଥା ଏବଂ ଅର୍ଥନୈତିକ ଅତ୍ୟାଚାର ବିରୋଧରେ ଲଢ଼ୁଥିବା ମହିଳା ମାନଙ୍କ ସହିତ ଭାରତ ଏକ ଦୋଛକିରେ ଛିଡ଼ା ହୋଇଛି। ବଜାରର ପଥ,ଘରୋଇ କରଣ ଏବଂ କର୍ପୋରେଟ୍ ଲୋଭ ସାମାଜିକ-ଆର୍ଥିକ ଅସମାନତାକୁ ଆହୁରି ଗଭୀର କରିଛି ଏବଂ ଏହି ପରିସ୍ଥିତିରେ ସମାଜବାଦର ପଥ ହିଁ ଆମ ପାଇଁ ମୁକ୍ତି ଓ ନ୍ୟାୟର ଏକମାତ୍ର ମାର୍ଗ ହୋଇ ରହିଛି।

ଆସନ୍ତୁ ମନେ ରଖିବା ଯେ ଆମେ ଉପଭୋଗ କରୁଥିବା ପ୍ରତ୍ୟେକ ଅଧିକାର ଆଠ ଘଣ୍ଟା କାର୍ଯ୍ୟଦିନ, ସର୍ବନିମ୍ନ ମଜୁରୀ,ଟ୍ରେଡ୍ ୟୁନିଅନ ଅଧିକାର,ପେନ୍ସନ୍,ଜନସ୍ୱାସ୍ଥ୍ୟସେବା, ଧର୍ମନିରପେକ୍ଷତା ୧୯୧୭ ର ଅକ୍ଟୋବର ସମାଜବାଦୀ ବିପ୍ଳବର ସେହି ମହାନ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ସଂଗ୍ରାମ ମାଧ୍ୟମରେ ଆମେ ପାଇଛୁ।

ଅକ୍ଟୋବର ବିପ୍ଳବ କେବଳ ଋଷର ନୁହେଁ ବରଂ ପ୍ରତ୍ୟେକ ଶ୍ରମିକଙ୍କର ଯିଏ ମୁଣ୍ଡ ନୁଆଁଇବାକୁ ମନା କରେ, ପ୍ରତ୍ୟେକ ଛାତ୍ରର ଯିଏ ପ୍ରତ୍ୟେକ ବିଷୟରେ ପ୍ରଶ୍ନ କରିବା ପାଇଁ ଆଗେଇ ଆସେ,ପ୍ରତ୍ୟେକ କୃଷକର- ଯିଏ ନିଜର ଜମି ଆଉ ଭିଟାମାଟିରୁ ଉଚ୍ଛେଦକୁ ସାହସର ସହ ବିରୋଧ କରେ,ପ୍ରତ୍ୟେକ ନାଗରିକର ଯିଏ ଏକ ନ୍ୟାୟପୂର୍ଣ୍ଣ ଦୁନିଆର ସ୍ୱପ୍ନ ଦେଖିପାରେ।

ଆଗେଇ ଆସନ୍ତୁ,ସାଥୀ ମାନେ

ଲେନିନ୍ ଯେପରି କହିଥିଲେ, “ଏପରି ଅନେକ ଦଶନ୍ଧି ଅଛି ଯେତେବେଳେ କିଛି ଘଟେ ନାହିଁ, ଏବଂ ଏପରି କିଛି ସପ୍ତାହ ଅଛି ଯେତେ ବେଳେ ଦଶନ୍ଧି ଦଶନ୍ଧି ଧରି ମନେ ରଖିବା ଭଳି ଘଟଣାମାନ ଘଟିଯାଏ”।

ବିଶ୍ୱ ପୁଣି ଥରେ ପରିବେଶ ପତନ, ସାମ୍ରାଜ୍ୟବାଦୀ ଯୁଦ୍ଧ,ଡିଜିଟାଲ୍ ଦାସତ୍ୱ ଏବଂ ଫାସିବାଦୀ ରାଜନୀତିର ଦ୍ୱାରଦେଶରେ ଛିଡ଼ା ହୋଇଛି।କିନ୍ତୁ ଇତିହାସ ଆମକୁ ଶିକ୍ଷା ଦିଏ “ଯେତେବେଳେ ଲୋକମାନେ ଉଠନ୍ତି, ସାମ୍ରାଜ୍ୟ ଗୁଡିକ ମଧ୍ୟ ଥରି ଉଠନ୍ତି”।

ଆସନ୍ତୁ,ବୋଲସେଭିକ୍ ମାନଙ୍କ ସେହି ମହାନ୍ ଆଦର୍ଶକୁ,ସେହି ମହାନ୍ ପରମ୍ପରାକୁ ଆଗକୁ ବଢାଇ ନେବା ସାହସର ସହିତ,ଅନୁଶାସନ ସହିତ ଏବଂ ଏକ ନୂତନ ବିଶ୍ୱ ଗଠନ ପାଇଁ ମାନବିକତାର ସାମର୍ଥ୍ୟ ଉପରେ ଅତୁଟ ବିଶ୍ୱାସର ସହିତ ଆଗକୁ ବଢାଇ ନେବା।

ମହାନ୍ ଅକ୍ଟୋବର ସମାଜବାଦୀ ବିପ୍ଳବର ଆଦର୍ଶ ଦୀର୍ଘଜୀବୀ ହେଉ। ସମସ୍ତ ଦେଶର ଶ୍ରମିକ ଏବଂ କୃଷକମାନେ ଏକଜୁଟ ହୁଅନ୍ତୁ।

ସଂଗ୍ରାମରେ ଆମର ଭବିଷ୍ୟତ ଅଛି, ସମାଜବାଦରେ ଆମର ସ୍ୱାଧୀନତା ଅଛି।

You may have missed