October 8, 2024

ଗଜପତି:- ରାଜ୍ୟସ୍ତରୀୟ ୪ ଦିନିଆ ବିଦ୍ୟାଳୟ ସମୂହ ଭଲିବଲ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ ।

Share

 

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଆଜି ରାଜ୍ୟସ୍ତରୀୟ ୪ ଦିନିଆ ବିଦ୍ୟାଳୟ ସମୂହ ଭଲିବଲ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୌଜନ୍ୟତାରେ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ୧୪ ଓ ୧୭ ବର୍ଷ ବୟସରୁ କମ ବୟସର ବାଳକ ଏବଂ ବାଳିକା ବର୍ଗରେ ଏହି ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ୪ ଦିନ ଧରି ଅନୁଷ୍ଠିତ ହେଉଛି। ।

ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ସଭାପତିତ୍ବ କରି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ , ନିଷ୍ଠା ଓ ଶୃଙ୍ଖଳିତ ଦ୍ଵାରା ମାନସିକ ସ୍ତରରେ ଯେ କୌଣସି ଖେଳ ପ୍ରତି ଆଗ୍ରହ ରଖି ନୀତି ଅଭ୍ୟାସ ଜାରୀ ରଖିଲେ ଭବିଷ୍ୟତରେ ସେ ଜଣେ ଭଲ ଖେଳାଳି ହୋଇପାରିବ । ଏଥିସହ ପ୍ରତିଯୋଗିତାରେ ଖେଳୁଆଡ ମନୋଭାବ ନେଇ ଶୃଙ୍ଖଳିତ ଆଚରଣ ସହକାରେ ଖେଳିବାକୁ ଉତ୍ସାହିତ କରିବା ସହ ଆହ୍ବାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସିଡିଓ: ଡ଼ଃ ଗୁଣନିଧି ନାୟକ , ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଭାରପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ , ଶାରୀରିକ କ୍ରୀଡା ଶିକ୍ଷା ସହକାରୀ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ପ୍ରକାଶ ପରିଡା ଏବଂ ଜାତୀୟ ସ୍ତରୀୟ ଖେଳାଳି ତଥା ଭଲିବଲ କୋଚ ତଥା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାର ମ୍ୟାଚ ରେଫରି ଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ରହି ପ୍ରତିଯୋଗୀ ମାନଙ୍କୁ ସେମାନଙ୍କ ବକ୍ତବ୍ୟରେ ଉପାଦେୟ ଟିପସ ଦେଇ ଭଲ ଖେଳି ନାମ ରୋଶନ କରିବାକୁ କହି ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିବା ବେଳେ ଶେଷରେ ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ କ୍ରୀଡା ପତାକା ଉତ୍ତୋଳନ କରିବା ସହ ରାଜ୍ୟସ୍ତରୀୟ ୬୮ ତମ ଭଲିବଲ ପ୍ରତିଯୋଗିତା ଶୁଭାରମ୍ଭ ଘୋଷଣା କରିଥିଲେ ।

ପରେ ଉପସ୍ଥିତ ତଥା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଦଳ ମଧ୍ୟରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ , ଜିଲ୍ଲାପରିଷଦ ସଭାପତି ଶ୍ରୀ ତିରୁପତି ରାଓ ଏବଂ ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରିଥିଲେ ।

ଉଦଘାଟନୀ ସଭା କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଶ୍ରୀ ଅମୂଲ୍ୟ ପାଣିଗ୍ରାହୀ ଏବଂ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶନୀ ସଂଯୋଜନା କରିଥିଲେ ।

ଏହି ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ରାଜ୍ୟର ୩୦ ଟି ଜିଲ୍ଲା ସମେତ ଭୁବନେଶ୍ୱରରୁ ମୋଟ ୪୪୫ ଜଣ ବାଳକ ଏବଂ ୨୪୭ ଜଣ ବାଳିକା ଯାହାକି , ମୋଟ ୬୯୨ ଜଣ ଅଂଶଗ୍ରହଣ କରିଥିବା ବେଳେ ଭଲିବଲ ପ୍ରତିଯୋଗିତା ପରିଚାଳନା ଓ ସହଯୋଗ ପାଇଁ ମ୍ୟାନେଜର ୭୫ ଜଣ ଏବଂ ରାଜ୍ୟ ଓ ଜିଲ୍ଲାର ୪୭ ଜଣ କ୍ରୀଡା ଶିକ୍ଷକ ଓ ଅଫିସିଆଲ୍ ଏଭଳି ମୋଟ ୧୨୨ ଯୋଗ ଦେଇଛନ୍ତି ।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————