ଆଦାନୀ ଫାଉଣ୍ଡେସନ ପକ୍ଷରୁ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବାସ୍କେଟ ବଣ୍ଟନ

ଛତ୍ରପୁର.୦୬/୦୮/୨୦୨୫(ଅରୁଣ କୁମାର ପଣ୍ଡା )ଭାରତ ସରକାରଙ୍କ ଟିବି ମୁକ୍ତ ଭାରତ ସଚେତନତା ଅଭିଯାନରେ ଗଂଜାମ ଜିଲ୍ଲାରେ ସାମିଲ ହୋଇଛି ଆଦାନୀ ଫାଉଣ୍ଡେସନ। ଗୋପାଳପୁର ବନ୍ଦରର ପାଶ୍ୱବର୍ତୀ ଅଂଚଳରେ ଚିହ୍ନଟ ହୋଇଥିବା ପାଖାପାଖି ୧୦୦ ଜଣ ଟିବି ରୋଗୀଙ୍କୁ ୬ ମାସ ପର୍ଯ୍ୟନ୍ତ ପୃଷ୍ଟିକର ଖାଦ୍ୟ ବାସ୍କେଟ ବଣ୍ଟନ କରିବ ଆଦାନୀ ଫାଉଣ୍ଡେସନ। ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ୫୦ ଜଣ ଟିବି ରୋଗୀମାନଙ୍କୁ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଛତ୍ରପୁର ଉପକଣ୍ଠ ସରକାରୀ ଚିକିତ୍ସାଳୟ ପରିସରରେ ଏହି ପୃଷ୍ଟିକର ଖାଦ୍ୟ ବାସ୍କେଟ ବଣ୍ଟନ କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଶାନ୍ତ ପାତ୍ର , ବିଜ଼ନେସ ମୁଖ୍ୟ, ଗୋପାଳପୁର ବନ୍ଦର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ପୋଷକରେ ପରିପୂର୍ଣ୍ଣ ଖାଦ୍ୟ ସାମଗ୍ରୀ ବାସ୍କେଟ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଜୟନ୍ତ ମହାନ୍ତି, ପୂର୍ବାଂଚଳ ମୁଖ୍ୟ, ଆଦାନୀ ଫାଉଣ୍ଡେସନ , ଶ୍ରୀ ସୁଦର୍ଶନ ସାହୁ , ଏସଡିଏମଓ, ଛତ୍ରପୁର, ଶ୍ରୀ ସ୍ୱାଧୀନ ରଥ, ସୁପେରିଟେଣ୍ଡେଣ୍ଟ , ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଶ୍ରୀ ବିଦେଶୀ ଜେନା, ଜିଲ୍ଲା ଟିବି ସଂଯୋଜକ, ଶ୍ରୀ ଦେବଦତ୍ତ ମିଶ୍ର, ସିଏସଆର ମୁଖ୍ୟ, ଗୋପାଳପୁର ବନ୍ଦର ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ୬ ମାସ ମଧ୍ୟରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ୬୦୦ ପୃଷ୍ଟିକର ଖାଦ୍ୟ ବାସ୍କେଟ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି ଯାହାର ସିଧାସଳଖ ଲାଭ ୧୦୦ ଜଣ ଟିବି ରୋଗୀ ତଥା ସେମାନଙ୍କ ପରିବାର ପାଇପାରିବେ। ଆଗାମୀ ଦିନରେ ଏହି ଖାଦ୍ୟ ବାସ୍କେଟ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଦାନୀ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକର ପଂଚାୟତର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ, ଅନେକ ମହିଳା ସ୍ଵାସ୍ଥ୍ୟ କର୍ମୀ , ଆଶା କର୍ମୀ ଏବଂ ଏନଏମ ଦିଦି ଯୋଗ ଦେବା ସହ ଟିବି ରୋଗ ସମ୍ପର୍କରେ ଅନେକ ସଚେତନତା ମୂଳକ ବିଷୟରେ ଆଲୋକପାତ କରିଥିଲେ।
ଯକ୍ଷ୍ମା ବିରୁଦ୍ଧରେ ବ୍ୟାପକ ଲଢ଼େଇରେ ପୁଷ୍ଟିକର କିଟ୍ ବଣ୍ଟନ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ପୁଷ୍ଟିହୀନତା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ, ଯାହା ବ୍ୟକ୍ତିଙ୍କୁ ଯକ୍ଷ୍ମା ପ୍ରତି ଅଧିକ ସମ୍ବେଦନଶୀଳ କରିଥାଏ ଏବଂ ସୁସ୍ଥତାକୁ ଜଟିଳ କରିଥାଏ। ଆଦାନୀ ଫାଉଣ୍ଡେସନ ପକ୍ଷରୁ ଅତ୍ୟାବଶ୍ୟକ ପୁଷ୍ଟିକର ପଦାର୍ଥ ଯୋଗାଇବା କେବଳ ରୋଗର ସମାଧାନ କରୁନାହିଁ ବରଂ ରୋଗୀଙ୍କୁ ସମ୍ମାନ ଏବଂ ସ୍ଥିରତାର ସହିତ ସୁସ୍ଥ ହେବା ପାଇଁ ସଶକ୍ତ କରୁଛି ବୋଲି ଶ୍ରୀ ଜୟନ୍ତ ମହାନ୍ତି, ପୂର୍ବାଂଚଳ ମୁଖ୍ୟ, ଆଦାନୀ ଫାଉଣ୍ଡେସନ କହିଥିଲେ।
