April 28, 2026

ଗୋରୁ ବିଝେଇ କଣ୍ଟେନର ଜବତ, ଚାରି ଗିରଫ ଓ କୋର୍ଟ ଚାଳାଣ

IMG-20260407-WA0082
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ବର୍ଷ ବର୍ଷ ଧରି କଳାହାଣ୍ଡି ଜିଲ୍ଲା ସମେତ ପଡୋଶୀ ନୂଆପଡା, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର, କୋରାପୁଟ ତଥା ରାୟଗଡା ଜିଲ୍ଲାରୁ ଦୈନିକ ହଜାର ହଜାର ସଂଖ୍ୟାରେ ଆନ୍ଧ୍ରପ୍ରଦେଶକୁ ଚୋରାରେ ଗୋରୁ ଚାଳାଣ ହେଉଥିବା ନେଇ ସରକାରି ଅଧିକାରୀଙ୍କ ଠାରୁ ସରକାର ସମସ୍ତେ ଜାଣନ୍ତି। କିନ୍ତୁ ଏହି ଚୋରା ଗୋରୁ ଚାଳାଣକୁ ନେଇ ଓଡିଶା ସରକାର ତଥା ଅଧିକାରୀଙ୍କ ଖାମଖିଆଲି ମନୋବୃତ୍ତି ଯୋଗୁଁ ଏହି ଚୋରା ଚାଳାଣ ଦିନୁ ଦିନ ବଢିବାରେ ଲାଗିଛି।

ବର୍ତ୍ତମାନ ଏହି ଚୋରା ଗୋରୁ ଚାଳାଣକୁ ନେଇ କିଛିଦିନ ହେଲା ଭବାନୀପାଟଣାରେ ହଇଚଇ ସୃଷ୍ଟି କରିଛି। ସୂଚନା,ଅନୁଯାୟୀ ଗତ କିଛିଦିନ ତଳେ, ଏକ ଗୋରୁ ବୋଝଇ କଣ୍ଟେନର ଭବାନୀପାଟଣା ଦେଇ ଆନ୍ଧ୍ର ପଟକୁ ଯାଉଥିବାବେଳେ,କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପଡିଆ ନିକଟରେ ପୋଲିସ ତରଫରୁ କଣ୍ଟେନରକୁ ଜବତ କରାଯାଇଥିବାବେଳେ, ଗତକାଲି ନୂଆପଡା ଜିଲ୍ଲାରୁ ଏକ କଣ୍ଟେନର(ଗାଡି ନଂ KA-51 B 8938)ରେ ଚୋରା ଭାବରେ ଗୋରୁ ବୋଝେଇ ହୋଇ ଭବାନୀପାଟଣା ସ୍ଥିଥ ରିଷିଗାଁ ବାଇପାସ ପଟେ ଦ୍ରୁତ ଗତିରେ ଯାଉଥିବାବେଳେ, ସ୍ଥାନୀୟ କିଛି ଯୁବକ ସନ୍ଦେହ କରି କଣ୍ଟେନରଟିର ପିଛା କରି ତାକୁ ଅଟକାଇ ଥିଲେ ଏବଂ କଣ୍ଟେନର ଖୋଲିବାପାଇଁ ବାଧ୍ୟ କରିଥିଲେ। ଏହାପରେ କଣ୍ଟେନରରେ ଥିବା ଚାରି ଜଣ ବ୍ୟକ୍ତି ବାଧ୍ୟ ହୋଇ କଣ୍ଟେନର ଖୋଲିବା ପରେ, ଭିତରେ ଗାଈ ଗୋରୁ ଭର୍ତ୍ତି ହୋଇଥିବା ନେଇ ସ୍ଥାନୀୟ ଯୁବକ ମାନେ ଦେଖିଥିଲେ। ଏଥିସହ କଣ୍ଟେନରଟିକୁ ଅଟକ ରଖି ଭବାନୀପାଟଣା ସଦର ପୋଲିସକୁ ଖବର ଦେଇଥିଲେ। ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବାପରେ, କଣ୍ଟେନରକୁ ଜବତ କରିବା ସହ ସେଠାରୁ ପ୍ରାୟ ପଚାସରୁ ଉର୍ଦ୍ଧ ଗାଈ ଗୋରୁଙ୍କୁ ଉଦ୍ଧାର କରିଥିଲା। ଏଥିସହ କଣ୍ଟେନର ଚାଳକ ଓ ଖଳାସୀ ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଛି।ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖାପାଟଣାର ଏମ.ଶିବା, ଆଇ.ରାଜୁ, କେରଳର କେ. ପି. କୁରିଆନ ତଥା ତାମିଲନାଡୁର ଶିବକୁମାର।

ଏହାଛଡା ଗତ ଦୁଇ ଦିନ ତଳେ ଭବାନୀପାଟଣା ସହର ଉପକଣ୍ଠସ୍ଥ ଶଗଡା ପଞ୍ଚାୟତ ଅନ୍ତର୍ଗତ ଡାକିବଣ୍ଡେଲ ଗ୍ରାମରେ କିଛି ଯୁବକ ଚୋରାରେ ଗୋମାଂସ ବିକ୍ରି କରୁଥିବା ନେଇ ଖବର ପାଇବାପରେ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି, କଟା ଯାଇଥିବା ଗୋମାଂସ ଜବତ କରିବାସହ, ଜଣେ ଯୁବକଙ୍କୁ ଗିରଫ କରିଥିଲେ ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ କିଛି ଯୁବକ ଫେରର ଥିବାବେଳେ, ପୋଲିସ ତାର ତଦନ୍ତ ଜାରି ରଖିଛି। ଏହି ସବୁ ଘଟଣାକୁ ନେଇ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଆଶଙ୍କା ସହିତ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ, ବର୍ତ୍ତମାନ ଜିଲ୍ଲାର ଭବାନୀପାଟଣା ସମେତ ସମସ୍ତ ସହରାଞ୍ଚଳ ଗୁଡିକର ଫୂଡ଼ ଇନ୍ସ୍ପେକଟର ମାନେ, ପ୍ରତ୍ୟେକ ହୋଟେଲ ଓ ଫାଷ୍ଟଫୂଡ଼ ଗୁଡିକରେ କଡାକଡ଼ି ଭାବରେ ଯାଞ୍ଚ କରିବା ସହ, ସହରର ସମସ୍ତ ବାଇପାସ ରାସ୍ତା ସହ ମୁଖ୍ୟ ରାସ୍ତା ଗୁଡିକରେ ପୋଲିସ ପକ୍ଷରୁ କଡା କଡ଼ି ଭାବରେ ଯାଞ୍ଚ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।