ଉମରକୋଟ ଭାସ୍କେଲ ଡ୍ୟାମ ଜଳଭଣ୍ଡାର ଉମରକୋଟର ଜୀବନରେଖା……
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)
ଇଦ୍ରାବତୀ ଜଳଭଣ୍ଡାର ପରେ ନବରଙ୍ଗପୁର ଜିଲାର ଦ୍ଵିତୀୟ ବୃହତ ସେତୁବନ୍ଧ ଭାସ୍କେଲ ଡ୍ୟାମ। ସରକାର ସ୍ଥାନୀୟ ଲୋକଙ୍କ ପାଇଁ ଜଳସେଚନ ଓ ଜଳସଞ୍ଚୟ ନିମନ୍ତେ ଏହାକୁ ନିର୍ମାଣ କରାଇଥିଲେ। ଏହି ଜଳଭଣ୍ଡାରରୁ ଦୁଇଟି କେନାଲ ବାହାରିଛି, ଯାହା ପୂର୍ବରୁ ଦଶ ହଜାରରୁ ଉଦ୍ଧା ଏକର ଜମିକୁ ଜଳସେଚିତ କରୁଥିଲା, ହେଲେ କେନାଲ ଓ ଡ୍ୟାମର ମରାମତି ଅଭାବରୁ ବର୍ତ୍ତମାନ ତାହା କମି ତିନି ହଜାରରୁ କମ୍ ଜମିକୁ ଜଳ ଯୋଗାଉଛି । ଏଥିରେ ଉଭୟ ଖରିପ ଓ ରବି ଚାଷୀ ଉପକୃତ ହେଉଛନ୍ତି । ଭାସ୍କେଲ ଡ୍ୟାମର ଜଳଧାରଣ କ୍ଷମତା ବହୁ ଅଧିକ ଥୁବାରୁ ଖାଲି ଧାନ ଚାଷୀଙ୍କ ପାଇଁ ଏହା ବରଦାନ ନୁହେଁ, ବରଂ ଶତାଧିକ ମାଛ
ଚାଷୀ ଓ କ୍ଷୁଦ୍ର ବେପାରୀଙ୍କୁ ବର୍ଷ ଯାକର ଆହାର ଯୋଗାଉଛି। ମତ୍ସ୍ୟ ବିଭାଗ ଆକଳନ ହିସାବରେ ବର୍ଷକୁ ହାରାହାରି ଶହେରୁ ଊର୍ଦ୍ଧ୍ବ ପରିବାର ଷାଠିଏ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମାଛ ଧରି ବିକ୍ରି କରିଥାନ୍ତି । ଭାସ୍କେଲ୍ର ଜଳ ହିଁ ଉମରକୋଟ ସହରର ୧୦ ହଜାରରୁ ଅଧୂକ ପରିବାରର ତୃଷ୍ଣା ମେଣ୍ଟାଇଥାଏ । ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏହି ସ୍ଥାନକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଇଛି।
