March 11, 2026

ପୁଷ୍ ପୁନି ଭେଟଘାଟ ପରବ ଉଦ୍ଘାଟନ

IMG-20260107-WA0005
Share

 

ତା,୬/୧/୨୦୨୬ : କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସହିଦ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଂଘ ପକ୍ଷରୁ ଆୟୋଜିତ ପୁଷ୍ ପୁନି ଭେଟଘାଟ ବ୍ଲକ ସ୍ତରୀୟ ପରବର ଉଦ୍ଘାଟନ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବି ଡି ଓ ପି.ମନସ୍ମିତା ଯୋଗଦେଇ ଉଦଘାଟନ କରିଥିଲେ l ସଭାପତି ଭଜମନ ସାନ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ତହସିଲଦାର ବିନୋଦ କୁମାର ନାଏକ,ଅବସର ପ୍ରାପ୍ତ ଅର୍ଥ ବିଭାଗ ଶାସନ ସଚିବ ତଥା ଭାଷା ଓ ସଂସ୍କୃତି ଗବେଷକ ଡ.କ୍ଷେତ୍ରବାସୀ ମାନସେଠ,ଆଦିବାସୀ ଭାଷା ଓ ସଂସ୍କୃତି ଗବେଷକ ଡ.ରାଜେନ୍ଦ୍ର ପାଢ଼ୀ,ସମନ୍ଵିତ ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟକ୍ରମ ଅଧିକାରୀ ଜୟପୁର ସନ୍ଧ୍ୟାରାଣୀ ପାତ୍ର,ସି ଡି ପି ଓ ଆରତୀ ମହାପାତ୍ର,ସାଂସଦ ପ୍ରତିନିଧି ଅମ୍ବୁ ପାତ୍ର,ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ହୃଦୟ ରଞ୍ଜନ ପଣ୍ଡା,ବିଜୁ ପଟ୍ଟନାୟକ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷା ରୀତାରାଣୀ କରଣ ପ୍ରମୁଖ ମଞ୍ଚାସୀନ ଥିଲେ l ବରିଷ୍ଠ ଉପଦେଷ୍ଟା ଚନ୍ଦ୍ର ସଗରିଆ ବିବରଣୀ ପାଠ କରିଥିଲେ l ପାରମ୍ପରିକ ନୃତ୍ୟ,ସଙ୍ଗୀତ ଓ ବାଦ୍ୟର ତାଳେତାଳେ ସ୍ଥାନୀୟ ଶିକ୍ଷକ ଭବନ ଠାରୁ ଅତିଥି ମାନଙ୍କୁ ସ୍ଵାଗତ କରି ପାଛୋଟି ନିଆଯାଇଥିଲା l ପରବ ପଡ଼ିଆରେ ଥିବା ଠାକୁରାଣୀ ପିଠରେ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ଜ୍ଵଳନ ପରେ ଡ.ଭୀମରାଓ ଆମ୍ବେଦକର, ମହାତ୍ମା ଗାନ୍ଧୀ ଏବଂ ସହିଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ l ସମସ୍ତ ଅତିଥିଙ୍କୁ ପୁଷ୍ପମାଲ୍ଯ, ଉପଢୌକନ ଓ ସିନ୍ଧି ମୁକୁଟ ପିନ୍ଧାଇ ସମ୍ମାନିତ କରାଯାଇଥିଲା l ସଂଘ ସମ୍ପାଦକ ତ୍ରିନାଥ ସମରଥ ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ପୁଷ୍ ପୁନି ଭେଟଘାଟ ଅବସରରେ ପାରମ୍ପରିକ ପୁଷ୍ ପୁନି ସହ ଯୋଡ଼ିତ ବିଭିନ୍ନ ନୃତ୍ୟ,ସଙ୍ଗୀତ ପରିବେଷଣ କରାଯାଇଥିଲା l ବ୍ଲକ ଅଞ୍ଚଳର କଳା,ସଂସ୍କୃତି ବଞ୍ଚାଇ ରଖିବାକୁ ସଂଘ ପକ୍ଷରୁ ଏହି ଉଦ୍ୟମ ବହୁ ପ୍ରଶଂସନୀୟ, ବର୍ଷକୁ ଥରେ ଗୋଟିଏ ମଞ୍ଚରେ ଅଞ୍ଚଳର ସମସ୍ତ ପ୍ରକାର କଳା ଓ ସଂସ୍କୃତି ମଞ୍ଚସ୍ଥ ହୋଇ ଆସୁଛି l ଏହା ଦ୍ଵାରା ଦିନକୁ ଦିନ ଲୋପ ପାଇ ଯାଉଥିବା ପାରମ୍ପରିକ ନୃତ୍ୟ,ସଙ୍ଗୀତ ଓ ବାଦ୍ୟ ପରିବେଷଣ କରିବାକୁ ବହୁ ବଡ଼ ସୁଯୋଗ ସୃଷ୍ଟି କରୁଛି l ଆଗାମୀ ଦିନରେ ଏହାକୁ ଅଧିକ ସୁଦୃଢ କରି ବଞ୍ଚାଇ ରଖିବାକୁ ଅତିଥି ମାନେ ନିଜ ନିଜ ବକ୍ତବ୍ଯରେ କହିଥିଲେ l ବ୍ଲକର ସମସ୍ତ ସରପଞ୍ଚ,ସମିତି ସଭ୍ଯ ସଭ୍ଯା,ବିଭିନ୍ନ କୂଳ ସମାଜର ମୁଖ୍ୟ,ସାମାଜସେବୀ ଓ ବୁଦ୍ଧିଜୀବୀ ପ୍ରମୂଖ ଯୋଗଦେଇଥିଲେ I ଲୋକଙ୍କ ସଚେତନତା ପାଇଁ ସରକାରୀ,ବେସରକାରୀ ଅନୁଷ୍ଠାନ ପକ୍ଷରୁ ଷ୍ଟଲ୍ ମାନ ଖୋଲାଯାଇଛି l ଆସନ୍ତା କାଲି ବୁଧବାର ଉଦଯାପନୀ ଦିବସରେ ଜିଲ୍ଲା,ନିର୍ବାଚନ ମଣ୍ଡଳୀ ଓ ବ୍ଲକ ସ୍ତରୀୟ ଜନ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି l

 

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା