ପ୍ରଗତି ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବାଲେଶ୍ଵର (ଶେଖ୍ ନଜିମ୍): ଓଡ଼ିଶାର ପ୍ରାୟ ଅଧିକାଂଶ ଶିକ୍ଷାନୁଷ୍ଠାନ ବାଲେଶ୍ବରରେ ପ୍ରତିଷ୍ଠା କରାଯାଇଛି। ଏହାଦ୍ବାରା କେବଳ ବାଲେଶ୍ବରବାସୀ ନୁହନ୍ତି, ଉତ୍ତର ଓଡ଼ିଶାବାସୀ ଓ ପାଖ ରାଜ୍ୟର ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହେଉଛନ୍ତି । ଏସବୁ ସତ୍ତ୍ୱେ ଦୀର୍ଘ ବର୍ଷ ପରେ ବି ଏଠାରେ ଏକ ସରକାରୀ ଇଂଜିନିୟରିଂ କଲେଜ ନାହିଁ । ତେବେ ଉତ୍ତର ଓଡ଼ିଶାବାସୀ ସ୍ବାର୍ଥକୁ ଦୃଷ୍ଟିରେ ରଖି ବାଲେଶ୍ବରରେ ସରକାରୀ ଇଂଜିନିୟରିଂ କଲେଜ ପ୍ରତିଷ୍ଠା ପାଇଁ ଏକ ଦାବିପତ୍ର ପ୍ରଗତି ମଞ୍ଚ ତରଫରୁ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଘରୋଇ ଇଂ ଇଂଜିନିୟରିଂ କଲେଜଗୁଡ଼ିକରେ ଉନ୍ନତିମାନର ପାଠପଢ଼ା ନ ହେବା ସହ କର୍ମନିଯୁକ୍ତି ନ ମିଳିବା କାରଣରୁ ଏହି ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ସିଟ୍ ପୂରଣ ହେଉନି I ବିଭିନ୍ନ ଜିଲ୍ଲାରେ ଛତୁ ଫୁଟିଲା ପରି ଘରୋଇ ଇଂଜିନିୟରିଂ କଲେଜ ଓ ସ୍କୁଲ ପ୍ରତିଷ୍ଠା କରାଯାଇଛି । କେବଳ ବାଲେଶ୍ବର ଜିଲ୍ଲାରେ ୫ଟି ଘରୋଇ ଇଂଜିନିୟରିଂ କଲେଜ ଓ ୧୪ଟି ଇଂଜିନିୟରିଂ ସ୍କୁଲ ଅଛି। ସେଥିପାଇଁ ବାଲେଶ୍ବରରେ ଏକ ନୂତନ ସରକାରୀ ଇଂଜିନିୟରିଂ କଲେଜ ପ୍ରତିଷ୍ଠା କରିବା ସହ ରେମୁଣାରେ ଥିବା ସରକାରୀ ପଲିଟେକ୍ନିକ୍କୁ ଅପ୍ଗ୍ରେଡ଼୍ କରିବାକୁ ମଞ୍ଚ ଦାବି କରିଛି। ଦାବିପତ୍ର ପ୍ରଦାନ ସମୟରେ ସଂଗଠନ ସଭାପତି ଶାନ୍ତନୁ ଦାସ, ସମ୍ପାଦକ ଭାରତଭୂଷଣ ଦାସ, କାର୍ଯ୍ୟକାରୀ ସଭାପତି ଶ୍ରୀକାନ୍ତ ବୁଗୁଡାଇ, ଉପସଭାପତି ଅନୁପ ସ୍ବାଇଁ, ସୁଶାନ୍ତ ସାହୁ, ନିରଞ୍ଜନ ପୃଷ୍ଟି, ଜିତେନ୍ଦ୍ର ଦାସ, ଦିବାକର ରାଉଳ, ମିନତୀ ସେଠି, କୋଷାଧ୍ୟକ୍ଷ ରାଜେନ୍ଦ୍ର ଦାସ, ସତ୍ୟନ୍ଦ୍ର ଦାସ, ସୀମା ରଣା, ଅମିତା ଚାନ୍ଦ, ବୀରେନ୍ଦ୍ର ପଣ୍ଡା, ଅର୍ଧେନ୍ଦୁ ଦାସ, ସୁଶାନ୍ତ ବେଜ, ସତ୍ୟଜିତ ଦାସ, ମୃତ୍ୟୁଞ୍ଜୟ ଜେନା, ନିରଞ୍ଜନ କର, ସେକ ଅରଫାନୁଦ୍ଦିନ, ଲମ୍ବୋଦର ବେହେରା ପ୍ରମୁଖ ଉପସ୍ଥିତ ଥିଲେ I
