September 21, 2024

ଝିପିଝିପି ବର୍ଷାରେ କଟା ଧାନ ହେଲା ଓଦା , ବଢିଲା ଚାଷୀଙ୍କ ଚିନ୍ତା

Share


ବୁଗୁଡ଼ା : ତା ୦୬/୧୨/୨୩ : ସାମୁଦ୍ରିକ ବାତ୍ୟା “ମିଗଜୋମ୍” ପ୍ରଭାବ ଯୋଗୁଁ ବୁଗୁଡ଼ା ଅଞ୍ଚଳରେ ବୁଧବାର ପାହାନ୍ତିଆରୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି । ପ୍ରବଳ ବର୍ଷା ହେବାର ସମ୍ଭାବନା ଦୃଷ୍ଟିରୁ ଧାନ ଓ ପରିବା ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଅନ୍ୟପକ୍ଷରେ ସ୍ଥାନୀୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଫସଲର ସୁରକ୍ଷା ସକାଶେ ଚାଷୀଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଇଛି । ତେବେ ସାମ୍ପ୍ରତିକ ସ୍ଥିତିରେ ଅନେକ ଚାଷ ଜମିରେ କଟା ଧାନ ସବୁ ଝିପିଝିପି ବର୍ଷାର ପ୍ରଭାବରେ ଓଦା ହୋଇଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଚଳିତ ବର୍ଷ ବର୍ଷାର ଅଭାବରୂ ଚାଷ କାର୍ଯ୍ୟ ବିଳମ୍ବରେ ଆରମ ହୋଇଥିଲା । ଠିକଣା ସମୟରେ ବର୍ଷା ନ ହେବାରୁ ଢିପ ଜମି ଫାଟି ଆଁ କରିବା ସହ କିଛି ଫସଲ ନଷ୍ଟ ହୋଇଯାଇଥିଲା । ଏବେ ଚାଷୀ ବଳକା ଧାନକୁ କାଟି ଜମିରେ ରଖିଥିବା ବେଳେ ଝିପିଝିପି ବର୍ଷା ଯୋଗୁଁ ଓଦା ହୋଇଯାଇଛି । ଚଳିତ ବର୍ଷ ବୁଗୁଡ଼ା ଅଞ୍ଚଳରେ ହଜାର ହଜାର ହେକ୍ଟର ଜମିରେ ଧାନ ଓ ପରିବା ଫସଲ ହୋଇଥିବା ନେଇ ସ୍ଥାନୀୟ କୃଷି ଅଧିକାରୀଙ୍କ ଠାରୁ ପ୍ରକାଶ ପାଇଛି ।