April 25, 2026

ନାଳରୁ ଗଳିତ ଶବ ଉଦ୍ଧାର, ସନ୍ଦେହରେ ନିଖୋଜ ଅବସରପ୍ରାପ୍ତ ଶିକ୍ଷକ..

IMG-20251106-WA0033
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଥୁ.ରାମପୁର ବ୍ଲକର କର୍ଲାପାଟ ଥାନା ଅନ୍ତର୍ଗତ ଘୁଷୁରୀଗୁଡ଼ି ଗ୍ରାମ ନିକଟସ୍ଥ ବାମନ ନାଳରେ ଏକ ଗଳିତ ଶବ ଭାସୁଥିବା ନେଇ, ନାଳକୁ ଗାଧୋଇବାକୁ ଯାଇଥିବା କିଛି ସ୍ଥାନୀୟ ଲୋକେ ଦେଖି, କର୍ଲାପାଟ ଥାନାରେ ଖବର ଦେଇଥିଲେ। ଏହାପରେ କର୍ଲାପାଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ନାଳ ମଧ୍ୟରୁ କାଢି ଶବ ଚି଼ହ୍ନଟ ନେଇ ତଦନ୍ତ ଆରମ୍ଭ କରିଥିଲା।

ସୂଚନାରୁ ଜଣା ପଡିଛି ଯେ’, ଗତ ମାସ ୨ ତାରିଖରେ ଥୁ. ରାମପୁର ବ୍ଲକ ଅନ୍ତର୍ଗତ ହାଡ଼ଖୁର୍ସି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀ ପ୍ରଦୀପ ଦାସ ଓ ତାଙ୍କ ବଡ଼ଭାଇ ଦିଲ୍ଲୀପ ଦାସ(ପୂର୍ବତନ ଶିକ୍ଷକ)ଗାନ୍ଧି ଜୟନ୍ତୀ ଅବସରରେ ହାଡ଼ଖୁର୍ସି ବିଦ୍ୟାଳୟ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ,ସିମେଲପଦର ଠାରେ ପ୍ରବଳ ବର୍ଷା ଯୋଗୁଁ ନିକଟରେ ବୋହିଯାଉଥିବା ନାଳରେ ପ୍ରବଳ ମାତ୍ରାରେ ପାଣି ଆସିଯିବାରୁ, ଦୁଇ ଭାଇ ସେହି ନାଳରେ ଭାସି ଯାଇଥିଲେ। ଘରକୁ ଦୁଇ ଭାଇ ନଫେରିବାରୁ, ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ କର୍ଲାପାଟ ଥାନାରେ ଜଣାଇଥିଲେ। ଏନେଇ ଥାନା ପକ୍ଷରୁ ଏକ ନିଖୋଜ ମାମଲା ୠଜ୍ଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ଏହାର କିଛି ଦିନ ପରେ ପୋଲିସକୁ ଶିକ୍ଷକ ପ୍ରଦୀପ ଦାସଙ୍କ ମୃତ ଦେହ ନାଳ ମଧ୍ୟରୁ ମିଳିଥିବାବେଳେ, ତାଙ୍କ ବଡ ଭାଇ ଦିଲ୍ଲୀପ ଦାସଙ୍କ କିଛି ପତ୍ତା ମିଳିନଥିଲା। ତେଣୁ ଗତକାଲି ମିଳିଥିବା ଶବକୁ ଚି଼ହ୍ନଟ କରିବାପାଇଁ ଦିଲ୍ଲୀପ ଦାସଙ୍କ ପାରିବାରକୁ ସୂଚନା ଦିଆଯାଇଥିଲା। ପରିବାର ଲୋକେ ଘଟଣା ସ୍ଥଳକୁ ଆସି ଶବ ଦେଖି ଦ୍ୱନ୍ଦ୍ୱ ରେ ପଡ଼ିଥିଲେ। କାରଣ ଏକମାସରୁ ଉର୍ଦ୍ଧ ହେବ ଶବଟି ପାଣି ଭିତରେ ରହି ଫୁଲିଯାଇ ସମ୍ପୂର୍ଣ ବିକୃତ ହୋଇଯାଇଛି। କେବଳ ଶବର ଉଚ୍ଚତାକୁ ଅନୁମାନ କରି ଏହା ଦିଲ୍ଲୀପ ଦାସଙ୍କ ଶବ ହୋଇଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରୁଥିବାବେଳେ,ପୋଲିସ ପକ୍ଷରୁ ଶବକୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ଆଣିଥିଲା। ଆଜି ଶବ ବ୍ୟବଛେଦ କରାଯିବାପରେ, ଶବଟି ଦିଲ୍ଲୀପ ଦାସଙ୍କ ନା ଆଉ କାହାର ତାହା ସ୍ପଷ୍ଟ ହୋଇଯିବ ବୋଲି କର୍ଲାପାଟ ଥାନା ଅଧିକାରୀ ସୂଚନା ଦେଇଛନ୍ତି।