ନିୟମଗିରି ଚାରିଟେବଲ ଟ୍ରଷ୍ଟର ସଦସ୍ୟ ମାନଙ୍କ ଜରୁରୀ ବୈଠକ

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଶୁକ୍ରବାର ତା. 05.09.2025 ରିଖ ଦିନ ରାୟଗଡ଼ା ଜିଲ୍ଲା ସିକେରପାଇ ଠାରେ ନିୟମଗିରି ଚାରିଟେବଲ ଟ୍ରଷ୍ଟର ସଦସ୍ୟ ମାନଙ୍କର ଏକ ବୈଠକ ମି. ଅନୁବ୍ରତ ବାରାଙ୍କ ଆବାହକତ୍ୱରେ ବସିଥିଲା l ବୈଠକରେ ବିଭିନ୍ନ ମାଳି ପର୍ବତ ସଂଗଠନର ବହୁ ସଦସ୍ୟ ଯୋଗ ଦେଇଥିଲେ l ନିୟମଗିରି ଚାରିଟେବଲ ଟ୍ରଷ୍ଟର ସଭାପତି ରାମଚନ୍ଦ୍ର ପ୍ରାସ୍କା, ସମ୍ପାଦକ ଅନୁବ୍ରତ ବାରା ଓ ଅନ୍ୟ ସଦସ୍ୟ ଯଥା – ପଦ୍ମନାଭ ଚୌଧୁରୀ, ପୁରନ୍ଦର ଦଣ୍ଡସେନା, ବଳି ମାଝୀ ସହିତ ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ l ସିଜି ମାଳି, ବାଫାଲା ମାଳି, ଶାଶୁବୋହୁ ମାଳି, ଖଣ୍ଡୁଆଳ ମାଳି, କୋଡ଼ିଙ୍ଗା ମାଳି ଓ ଅନ୍ୟାନ୍ୟ ମାଳି ପର୍ବତ, ଯେଉଁଠାରେ ବକ୍ସାଇଟ ଖଣି ଖନନକୁ ବିରୋଧ କରି ବିଭିନ୍ନ ସଂଗଠନ ସବୁ ଗଢ଼ି ଉଠିଛି, ସେଇ ସବୁ ସଂଗଠନର ଅନେକ ସଦସ୍ୟ ଏଇ ବୈଠକରେ ଯୋଗ ଦେଇଥିଲେ ଏବଂ ଆଲୋଚନାରେ ଭାଗ ନେଇଥିଲେ l
ବୈଠକରେ ଆଲୋଚନାର ମୁଖ୍ୟ ବିଷୟ ଥିଲା ଆଦିବାସୀ ଅଞ୍ଚଳର ବିକାଶ l କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିୟମଗିରି ପର୍ବତ ରହିଛି l ନିୟମଗିରି ଏବଂ ଏହାର ଆଖପାଖ ଅଞ୍ଚଳରେ ଆଦିବାସୀମାନେ ବହୁଳ ଭାବେ ବସବାସ କରନ୍ତି l ଏ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପନ୍ଥା ସେମାନଙ୍କ ନିକଟରେ ପହଞ୍ଚି ପାରିନାହିଁ l ସେମାନଙ୍କ ଗ୍ରାମକୁ ରାସ୍ତା, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଆଲୁଅର କୌଣସି ବ୍ୟବସ୍ଥା ହୋଇ ପାରିନାହିଁ l ସେଥିପାଇଁ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ନେଇ ନିୟମଗିରି ଚାରିଟେବଲ ଟ୍ରଷ୍ଟ ଗଠନ କରାଯାଇଛି ଯାହା ଏ ସବୁ ଅନୁନ୍ନତ ଅଞ୍ଚଳର ବିକାଶ ପାଇଁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିବାକୁ ଛିଡ଼ା ହୋଇଛି l
ଏଥିପାଇଁ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାପାଳଙ୍କ ନିକଟରେ ଶୀଘ୍ର ଏ ସବୁ ବିଷୟରେ ଦାବୀ ଉପସ୍ଥାପନ କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ବୈଠକରେ ନିଷ୍ପତ୍ତି ନିଆଗଲା l
ଲାଞ୍ଜିଗଡ଼ରେ ବେଦାନ୍ତ କମ୍ପାନୀ ତାର ଆଲୁମିନା ରିଫାଇନେରୀ କାରଖାନା ପ୍ରତିଷ୍ଠା କରିଛି l ସେଥିପାଇଁ ନିୟମଗିରି ପର୍ବତରୁ ବକ୍ସାଇଟ ଖନନ ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛି l ସରକାର ମଧ୍ୟ କମ୍ପାନୀକୁ ନିୟମଗିରିରୁ ବକ୍ସାଇଟ ଦେବା ପାଇଁ ରାଜି ହୋଇଛନ୍ତି l ତେଣୁ ନିତଗିରିରେ ବସବାସ କରୁଥିବା ପ୍ରାୟ କୋଡିଏ ହଜାର ଡଙ୍ଗରିଆ କନ୍ଧ ଆଦିବାସୀଙ୍କୁ ନିୟମଗିରିରୁ ବିସ୍ଥାପିତ କରିବା ପାଇଁ ତତ୍ପର l ନିୟମଗିରିରୁ ଖଣି ଖନନ ହେଲେ ଗୋଟାଏ ବିରାଟ ଭୂଖଣ୍ଡ ଧ୍ବଂସ ହୋଇ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇ ସେମାନଙ୍କ ଜୀବନ ଯେ ବିପନ୍ନ ହୋଇ ଯିବ ଏହା ନିଶ୍ଚିତ ବୋଲି ବୈଠକରେ ଥିବା ସମସ୍ତ ସଦସ୍ୟ ମତବ୍ୟକ୍ତ କରିଥିଲେ l ତେଣୁ ନିୟମଗିରି ପର୍ବତରୁ ଖଣି ଖନନକୁ ବିରୋଧ କରାଯିବାକୁ ଏବଂ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ବକ୍ସାଇଟ ପୂର୍ଣ୍ଣ ମାଳି ପର୍ବତ ଅଛି, ସେ ସବୁ ସ୍ଥାନରୁ ଖଣି ଖନନ ପାଇଁ ସରକାର ଯେଉଁ ପ୍ରକାର ବଳ ପ୍ରୟୋଗ କରୁଛନ୍ତି, ତାହାକୁ ଦୃଢ଼ ବିରୋଧ କରାଯିବ ବୋଲି ଉପସ୍ଥିତ ଥିବା ସମସ୍ତ ସଂଗଠନର ସଦସ୍ୟବୃନ୍ଦ ମତ ପ୍ରକାଶ କରିଥିଲେ l
ଶେଷରେ ବୈଠକର ଆବାହକ ଶ୍ରୀ ଅନୁବ୍ରତ ବାରା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସଭା ସମାପ୍ତିର ଘୋଷଣା କରିଥିଲେ l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର
