ଲାଞ୍ଜିଗଡ଼ରେ ବାହୁଡ଼ା ଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) ଲାଞ୍ଜିଗଡ଼ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଯାଇଛି l ଶ୍ରୀ ଜୀଉ ମାନଙ୍କର ନବ ଦିନାତ୍ମକ ଯାତ୍ରା ଶନିବାର ଦିନ ବାହୁଡ଼ା ଯାତ୍ରାରେ ଶେଷ ହୋଇଛି l ମାଉସୀମା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ ହୋଇଥିବା ଠାକୁର ମାନଙ୍କ ସକାଳ ପାଞ୍ଚଟାରେ ପହଡ଼ ଖୋଲିବା ପରେ ଆଳତି ହୋଇଥିଲା ଏବଂ ପରେ ଗୁପ୍ତ ନୀତି ପରେ ସ୍ନାନ କରାଯାଇଥିଲା l ଏହା ପରେ ଫୁଲ, ଚନ୍ଦନ, ଧୂପ, ଦୀପ, ନୈବେଦ୍ୟ ଓ ତାମ୍ବୁଳ ଅର୍ପଣ କରାଯାଇଥିଲା l ଏହା ପରେ ତିନି ଠାକୁରଙ୍କ ବେଶ ହୋଇଥିଲା l ଦିନ ଘ. 2.30 ମି. ସମୟରେ ଘଣ୍ଟ, ଶଙ୍ଖ, ହୁଳହୁଳି ଧ୍ଵନି ଓ ସଂକୀର୍ତନ ସହିତ ଠାକୁର ମାନଙ୍କର ପହଣ୍ଡି ହୋଇଥିଲା l ତେବେ ଗୁଣ୍ଡିଚା ମନ୍ଦିରରୁ ସେବାୟତ ମାନେ ପ୍ରାୟ 250 ମିଟର ବୋହି ଆଣି ରଥାରୁଢ଼ କରାଇଥିଲେ l କାରଣ ଯାତ୍ରାର ପ୍ରଥମ ଦିନରୁ ହିଁ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରି ନ ଥିଲା ଜଗନ୍ନାଥ ମନ୍ଦିରରୁ ମାତ୍ର ଦୁଇଶ ଫୁଟ ଯାଇ ରାସ୍ତା ମଝିରେ ଅଟକି ଯାଇଥିଲା l ସେଠାରୁ ବିଗ୍ରହ ମାନଙ୍କୁ ଦୂରରେ ଥିବା ଗୁଣ୍ଡିଚା ମନ୍ଦିରକୁ ଟେକି ଟେକି ନିଆଯାଇଥିଲା l ରଥ ଯେଉଁଠି ଥିଲା, ସେଠାରେ ହିଁ ରହିଥିଲା l ତେଣୁ ବାହୁଡ଼ା ଯାତ୍ରା ଦିନ ମଧ୍ୟ ଠାକୁରମାନଙ୍କୁ ଦୀର୍ଘ ପଥ ବୋହି ଆଣି ରଥରେ ଅବସ୍ଥାନ କରାଯାଇଥିଲା l
ରଥାରୁଢ଼ ହେଲା ପରେ ଠାକୁରଙ୍କୁ ପୂଜା କରାଯାଇଥିଲା l ଏହା ପରେ ରଥ ଟଣା ଆରମ୍ଭ ହୋଇଥିଲା l ପାଗ ଭଲ ଥିବା ଯୋଗୁଁ ହଜାର ହଜାର ଲୋକ ରଥ ଯାତ୍ରାରେ ସମବେତ ହୋଇଥିଲେ l ଉତ୍ସାହର ସହିତ ଶ୍ରଦ୍ଧାଳୁ ଜୟ ଜଗନ୍ନାଥ ଧ୍ଵନି ଉଚ୍ଚାରଣ କରି ରଥ ଟାଣିଥିଲେ l କିନ୍ତୁ ରଥ ମାତ୍ର ଦଶରୁ କୋଡ଼ିଏ ଫୁଟ ଗଡ଼ି ଅଟକି ଯାଇଥିଲା l ଶତ ଚେଷ୍ଟା କରି ମଧ୍ୟ ରଥ ଆଗକୁ ଗଡ଼ିଲା ନାହିଁ l ତେଣୁ ଲୋକେ ନିରୁତ୍ସାହ ଓ ହତାଶ ହୋଇଗଲେ l ଶେଷରେ ଏକ ହାଇଦ୍ରା ଆଣି ରଥକୁ ଟାଣି ଦୁଇଶ ଫୁଟ ଦୂରରେ ଥିବା ମନ୍ଦିର ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରାଗଲା l ସନ୍ଧ୍ୟା ପ୍ରାୟ ସାଢ଼େ ସାତଟାରେ ରଥ ମନ୍ଦିର ନିକଟରେ ପହଞ୍ଚିଲା l ତେବେ ରଥର ନିର୍ମାଣ ଶୈଳୀରେ ତ୍ରୁଟି ଥିବା ଯୋଗୁଁ ଏଭଳି ଅବ୍ୟବସ୍ଥା ହେଲା ବୋଲି ଆଲୋଚନା ହେଉଛି l ଏପରି ଘଟଣା ଲାଞ୍ଜିଗଡ଼ରେ ପୂର୍ବରୁ କେବେ ବି ବୋଲି ଲୋକେ କହୁଛନ୍ତି l ପରେ ଠାକୁର ମାନଙ୍କ ଆଳତି ଓ ପୂଜାର୍ଚ୍ଚନା ରଥ ଉପରେ କରା ଗଲା l
ରଥଯାତ୍ରାରେ ସ୍ଥାନୀୟ ପୋଲିସ, ଅଗ୍ନିଶମ ସେବା ସଂସ୍ଥା, ବିଦ୍ୟୁତ ବିଭାଗ କର୍ମଚାରୀ ଓ କିଛି ସ୍ବେଛାସେବୀ ସଂସ୍ଥାଙ୍କ ସହଯୋଗ ଯୋଗୁଁ ଯାତ୍ରାଟି ବିଭିନ୍ନ ଅସୁବିଧା ସତ୍ୱେ ସମ୍ପନ୍ନ ହୋଇ ପାରିଲା l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର
