ଆବର୍ଜନାର ସହର ପାଲଟିଛି ଭବାନୀପାଟଣା..

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ସହର ସୌନ୍ଦର୍ଯ୍ୟକରଣ ସକାଶେ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଆସୁଥିବାବେଳେ, ଭବାନୀପାଟଣାରେ ତାହା ପ୍ରହସନ ପାଲଟିଛି। ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ଯେ ସମ୍ପୂର୍ଣ ଆବର୍ଜନା ମୁକ୍ତ ହେଲେ ସହରର ସୌନ୍ଦର୍ଯ୍ୟକରଣ ହୋଇପାରିବ। କିନ୍ତୁ ପୌରପାଳିକାର ଉଦାସିନତା ଯୋଗୁଁ ସହରର ମୁଖ୍ୟରାସ୍ତା ଗୁଡିକ ଛାଡିଦେଲେ ବାକି ସମସ୍ତ ରାସ୍ତା ଓ ଗଳିକନ୍ଦି ମାନଙ୍କରେ ଆବର୍ଜନା କୁଢ଼ କୁଢ଼ ହୋଇ ପଡ଼ିରହିଛି। ଏପରିକି ପୌରପାଲିକାର ଅତି ନିକଟରେ ଥିବା ଜିଲ୍ଲା କୋର୍ଟ ସାମ୍ନା ଦେଇ ଯାଇଥିବା ମୁଖ୍ୟ ଡ୍ରେନରେ ହଜାର ହଜାର ସଂଖ୍ୟାରେ ପାଣି ବୋତଲ ଗୁଡିକ ସହ ମଦ ବୋତଲ ତଥା ନାନାଦି ଆବର୍ଜନା କୁଢ଼ ହୋଇଛି। ଏଥିସହ ଆଇନ ମହାବିଦ୍ୟାଳୟ ସମ୍ମୁଖରେ, ପୋଲିସ ବାରାକ ତଡରେ ଏପରିକି ସହର ମଧ୍ୟ ସ୍ଥଳରେ ଥିବା ଏକ ପ୍ରମୁଖ ଜଳାଶୟରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇଛି। ଏହାଛଡା ସହରର ଅଧିକାଂଶ ଡ୍ରେନ ଗୁଡିକ ସଫା ନହେବା ଯୋଗୁଁ, କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ସହରର ମୁଖ୍ୟ ରାସ୍ତା ଗୁଡିକୁ ଛାଡିଦେଲେ ପ୍ରାୟ ସମସ୍ତ ରାସ୍ତା ଗୁଡିକରେ ଡ୍ରେନ ପାଣି ଉଛୁଳି ଆସି ରାସ୍ତା ସାରା ଜମା ହେବାର ଦେଖିବାକୁ ମିଳୁଛି। ଏଥିଯୋଗୁଁ ଲୋକଙ୍କୁ ଘରୁ ବାହାରିବାରେ କଷ୍ଟକର ହୋଇପଡୁଛି। ଏଥିଯୋଗୁଁ ମଶା, ମାଛିଙ୍କ ପ୍ରାଦୁର୍ଭାବରେ ଲୋକେ ଅତିଷ୍ଠ ହୋଇପଡୁଛନ୍ତି। ସହରର ମୁଖ୍ୟ ପରିବା ବଜାରରେ ଅଳ୍ପ ବର୍ଷା ହେଲେ ୨ ଫୁଟ ଉପରେ ପାଣି ଜମା ହେବା ସାଧାରଣ କଥା। ଏଥିଯୋଗୁଁ ପରିବା ବେପାରି ଓ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପ୍ରକାଶ ଥାଉକି ଏହି ମୁଖ୍ୟ ପରିବା ବଜାରରେ ପୌରପାଳିକାର ସାନୀଟାରି ଡିଭିଜନ ଅବସ୍ଥିତ ଅଛି। କିଛି ଦିନ ତଳେ ଭବାନୀପାଟଣା ସାଂସଦ ଶ୍ରୀ ସାଗର ଚରଣ ଦାସ ପରିବା ବଜାର ପରିଦର୍ଶନ କରି ପରିବା ବେପାରୀଙ୍କ ସହ ଚର୍ଚ୍ଚା କରିଥିଲେ ଏହି ସମସ୍ୟାର କିପରି ଅତିଶୀଘ୍ର ସମାଧାନ ହୋଇପାରିବ ଏବାବଦରେ କଥାବାର୍ତା କରିଥିଲେ। ବର୍ତମାନ ସହରବାସି ପୌରପାଳିକାର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ପଡିଲେଣି। ଲୋକେ ବାରମ୍ବାର ବିଭିନ୍ନ ସମସ୍ୟା ନେଇ ପୌରପାଳିକାକୁ ଜଣାଇଲେ ମଧ୍ୟ କୌଣସି ଫରକ ପଡୁନାହିଁ। ବର୍ତମାନ ସହରବାସୀ ଚିନ୍ତା କରୁଛନ୍ତି ଯେ ଆସନ୍ତା ୨ ରୁ ୩ ବର୍ଷ ମଧ୍ୟରେ ସହରର ଅବସ୍ଥା ଆହୁରି କିପରି ହେବ।
