ଉମରକୋଟ ରେ ମହଙ୍ଗା ପଡିଲା ଡକାୟତି………..

Share

 

 

ଉମରକୋଟ:-(ଏମ.ଦିନା°ଶୁ ଆଚାରୀ)ଡକାୟତି ଅଭିଯୋଗ ରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ୫ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ମାନେ ହେଲେ ଉମରକୋଟ ପୈାର ପରିଷଦର ଗୁଲି ପାଟଣା ସାହିରେ ନନ୍ଦ ରେଲି(୨୪),ଦଶରାପଦା ସାହିର ରଘୁ ହରିଜନ (୪୬),ଡଙ୍ଗରୀ ସାହିର ଗୁଡୁ ହରିଜନ (୨୧),ଶୂଭମ (୨୭) ଓ କୁସୁମ ଗୁଡାସାହିର ରାଜେଶ କୁମାର ମହାନ୍ତି (୨୭)। ପୋଲିସ ଏମାନଙ୍କୁ ଡକାୟତି ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଘଟଣା ପ୍ରକାରେ ଉମରକୋଟ ବ୍ଲକ ଵଡ ଭରଣ୍ଡି ପଞ୍ଚାୟତ ନାଙ୍ଗରା ଡଙ୍ଗରି ଗ୍ରାମର କର୍ଣ୍ଣ ବିଷୋଇ (୨୨) ଗତକାଲି ସକାଳ ୬ ଘଣ୍ଟା ସମୟରେ ଶୌଚ ହେବା ପାଇଁ ଘରୁ ବାହାରି ଗ୍ରାମ ନିକଟରେ ଥିବା ନବ ନିର୍ମିତ ଭାରତ ମାଳା ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ୨ଟି ବାଇକ୍ ରେ ୫ଜଣ ଯୁବକ ପାଖକୁ ଆସି ରାସ୍ତା ଟି କେଉଁ ଆଡେ ଯାଉଛି ବୋଲି ପଚାରିଥିଲେ। ଏହା ପରେ ସେହି ୫ ଜଣ ଯୁବକ ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଲାତ,ବିଧା, ଚାପୁଡ଼ା ମାରି ଥିଲେ। ଏପରିକି ଛୁରି ବାହାର କରି ମୁହଁ,ଗୋଡ ଓ ଛାତିରେ ଆକ୍ରମଣ କରିଥିଲେ। ମାରପିଟ୍ କରିବା ପରେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଏହା ପରେ ୫ ଜଣ କର୍ଣ୍ଣ ର ବେକକୁ ଚିପି ଧରି ପ୍ୟାଣ୍ଟ୍ ପକେଟ୍ ରେ ଥିବା ୧୦୦୦/- ଟଙ୍କା ଓ ମୋବାଇଲ କୁ ନେଇଯାଇଥିଲେ। ଏହାପରେ ଉକ୍ତ ଯୁବକ ମାନେ ଭାରତମାଳା ରାସ୍ତାର କାର୍ଯ୍ୟରେ ନିୟୋଜିତ ଥିବା ଏକ ଜେସିବି ନିକଟକୁ ଯାଇଥିଲେ। ଉକ୍ତ ଜେସିବି ରେ ଢେଙ୍କାନାଳ ଜିଲ୍ଲା ପ୍ରଜଙ୍ଗ ଗ୍ରାମର ନିଳକଣ୍ଠ ସାହୁ (୨୦) ହେଲପର ଭାବେ କାର୍ଯ୍ୟ କରନ୍ତି। ନିଳକଣ୍ଠ କୁ ଉକ୍ତ ଯୁବକ ମାନେ ଛୁରୀ ଦେଖାଇ ଟଙ୍କା ମାଗିଥିଲେ। ନିଳକଣ୍ଠ ଟଙ୍କା ଦେବାକୁ ମନା କରିବାରୁ ରାଗରେ ପାଖରେ ପଡିଥିବା ପଥର ସାହାଯ୍ୟରେ ଜେସିବି ର ସମ୍ମୁଖ କାଚ ଟିକୁ ଭାଙ୍ଗି ଦେଇଥିଲେ। ଯୁବକ ମାନଙ୍କ ଏଭଳି କାର୍ଯ୍ୟକଳାପ ଦେଖି ନିକଟ କ୍ୟାମ୍ପ୍ ରେ ଥିବା ଅନ୍ୟ ଲୋକମାନେ ପହଞ୍ଚି ଯୁବକ ମାନଙ୍କୁ କାବୁ କରି ଏକ ବୋଲେରୋ ଗାଡି ମଧ୍ୟରେ ବନ୍ଦ କରି ରଖିଥିଲେ। ଘଟଣା କୁ ନେଇ କର୍ଣ୍ଣ ଙ୍କ ଭାଇ ଖଗପତି ଉମରକୋଟ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଥାନା ଏଏସଆଇ ଦିଲିପ ବାଗ, କନେଷ୍ଟବଳ ନରେନ୍ଦ୍ର ନାୟକ ଓ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକ ମାନଙ୍କୁ ଗିରଫ କରିଥିଲେ। ଡ଼ାକ୍ତରୀ ମାଇନା ପରେ ଉକ୍ତ ଯୁବକ ମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।