November 16, 2024

ଏକାଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା , ବିରାଟ ପଟୁଆରରେ ମା’ଙ୍କ ଘଟ ପରିକ୍ରମା , ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ 

Share

 

ବୁଗୁଡ଼ା : ତା ୦୬/୦୫/୨୩ : ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଏକାଦଶ ଦିବସରେ ପହଞ୍ଚିଥିବା ବେଳେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀଙ୍କ ତରଫରୁ ପାରମ୍ପରିକ ରୀତିନୀତି ପ୍ରକାରେ ମା’ଙ୍କ ପୂଜାର୍ଚ୍ଚନା ଏବଂ ଘଟ ପରିକ୍ରମା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ବିଧି ପୂର୍ବକ ପଞ୍ଚ ପୁରୋହିତ ମା’ଙ୍କ ପୂଜାର୍ଚ୍ଚନା ସମ୍ପାଦନ କରିଥିବା ବେଳେ କେ.ନୀଳମାଧବ ଆଚାରୀ ସସ୍ତ୍ରୀକ ହୋମକର୍ତ୍ତା ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଏଥି ସହ ସନ୍ଧ୍ୟାରେ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା । ପଞ୍ଚ ମାନସିକଧାରୀ ମହିଳା କେ.ଅନ୍ନପୂର୍ଣ୍ଣା ବୈଠାରୁ , କେ.ସନ୍ଧ୍ଯାରାଣୀ ସୁବୁଦ୍ଧି , ବୈଜୟନ୍ତୀ ସ୍ବାଇଁ , ଟି.ସସ୍ମିତା ସାମନ୍ତରା , ଏସ୍.ମୋନାଲିସା ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ଶ୍ରଦ୍ଧାଳୁଙ୍କ ଗହଣରେ ଗିରି ଗୋବର୍ଦ୍ଧନ ଗଳି , କୁମ୍ଭାର ସାହି , ପଥୁରିଆ ସାହି , ଖଦାଳ ସାହି , ଥାନା ରୋଡ , ହାଇସ୍କୁଲ ଛକ , ନୂଆଁ ବସଷ୍ଟାଣ୍ଡ , ମୁଖ୍ୟ ସଡକ , ବୁଦ୍ଧଖୋଲ ଗେଟ୍ ଛକ ଆଦି ପରିକ୍ରମା କରି ସ୍ବଆସ୍ଥାନକୁ ଫେରିଥିଲେ । ମା’ଙ୍କ ଭ୍ରମଣି ଯାତ୍ରା କାଳରେ ଘଣ୍ଟତାଳ, ଢୋଲ ବାଦ୍ୟ ଏବଂ ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା ବେଳେ ସପ୍ତ ନାଗିନୀ ପଟୁଆର , ଦଶ ଅବତାର ବେଶ , ବାଘ ବୃଷଭ ନୃତ୍ୟ ଲୋକଙ୍କୁ ଆନନ୍ଦ ଦେଇଥିଲା । ଏଥି ସହ ଟିଭି ଧାରାବାହିକ ଅଭିନେତ୍ରୀ ପ୍ରିୟା , ସୁହାନି, ସୁରମା ପ୍ରମୁଖଙ୍କ ଉପସ୍ଥିତି ଲୋକଙ୍କ ଭିଡ ସୃଷ୍ଟି କରିଥିଲା । ଅନ୍ୟପକ୍ଷରେ ଆଜି ନୂଆସାହିର “ଅନନ୍ତ ଶୟନ” ମେଢ ଓ ପଥୁରିଆ ସାହିର “ନୀଳମାଧବ” ମେଢ ଲୋକାର୍ପିତ ହୋଇ ଲୋକଙ୍କ ଭିଡ ସାଉଁଟି ଥିବାବେଳେ ବୁଗୁଡ଼ା ବଡ଼ଦାଣ୍ଡରେ ପ୍ରଜ୍ଞା ସଙ୍ଗୀତ ଓ ନୃତ୍ୟାୟନ କେନ୍ଦ୍ର ପକ୍ଷରୁ “ନୃତ୍ୟ ବିଚିତ୍ରା” କାର୍ଯ୍ୟକ୍ରମକୁ ଦର୍ଶକଙ୍କୁ ଆକର୍ଷିତ କରିବା ସହ ବେଶ୍ ପ୍ରଶଂସିତ ହୋଇଥିଲା । ଯାତ୍ରା ଗହଳିକୁ ନିୟନ୍ତ୍ରଣ ପାଇଁ ବିଭିନ୍ନ ଛକରେ ପୋଲିସ ନିୟୋଜିତ ଥିଲେ ।