November 23, 2024

ବୁଗୁଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା , ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ….

Share


ବୁଗୁଡ଼ା : ତା ୦୬/୦୪/୨୪ : ସଂପ୍ରତି ବୁଗୁଡ଼ା ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ଫଳରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି । ଅନ୍ୟପକ୍ଷରେ ଅଞ୍ଚଳରେ ପ୍ରସିଦ୍ଧ ଦଣ୍ଡଯାତ୍ରା ଚାଲିଥିବାରୁ ଗାଁଠାରୁ ସହର ଉତ୍ସବ ମୁଖର ହୋଇ ଉଠିଛି । ଘରେ ଘରେ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କ ଭିଡ଼ଲାଗି ରହିଛି । ଏଭଳି ସ୍ଥିତିରେ ଦିନରେ ପ୍ରଚଣ୍ଡ ରୌଦ୍ରତାପ ଓ ରାତିରେ ତାତି ବଢ଼ିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବୁଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ଜଣାପଡ଼ିଛି । ଲୋକମାନେ ବାଧ୍ୟହୋଇ ନିଜର ଜରୁରୀ କାମରେ ଘରୁ ବାହାରକୁ ବାହାରୁଛନ୍ତି । ଦିନ ୧୨ଟା ବେଳକୁ ରାସ୍ତାଘାଟରେ ଯାନବାହନ ଓ ଲୋକଙ୍କ ଚଳାଚଳ ବହୁତ ପ୍ରଭାବିତ ହେଉଛି । ବାହାରେ କି ଘରେ ଗରମ ଯୋଗୁଁ ରହିବା ମୁସ୍କିଲ ହୋଇ ପଡ଼ିଛି । ରାତିରେ ମଧ୍ୟ ଘରର କାନ୍ଥବାଡ ଓ ଚଟାଣ ଗରମ ହୋଇ ରହୁଥ‌ିବାରୁ ଶୋଇବା କଷ୍ଟକର ହୋଇ ପଡୁଥିବା ବେଳେ ବିଦ୍ୟୁତର ଲୁଚକାଳି ଖେଳ ଲୋକଙ୍କ ପାଇଁ କାଳ ସାଜିଛି । ଦିନରେ ସମସ୍ତେ ଛତା,ଟୋପି, ଗାମୁଛା ଓ କଳା ଚଷମା ବ୍ୟବହାର ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । କୌଣସି କାମରେ ବାହାରକୁ ବାହାରିଲେ ପ୍ରଚଣ୍ଡ ଗରମ ଯୋଗୁଁ ତଣ୍ଟି ଶୁଖିଯାଉଥିବାରୁ ଜୁସ, ଲସି, ସରବତ, ଆଖୁ ରସ, ମୃଦୁପାନୀୟ ଓ ପାଣି ବୋତଲ ଦୋକାନରେ ମଧ୍ୟ ଲୋକଙ୍କ ଭିଡ଼ ଲାଗି ରହୁଛି । ପଙ୍ଖା, କୁଲର ଓ ଏସିର ଚାହିଦା ମଧ୍ୟ ବଢ଼ିଛି। ଏହି ଗରମରୁ ସାମାନ୍ୟ ଆସ୍ୱସ୍ତି ପାଇବା ପାଇଁ ଛୋଟପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ପବନ ଟିକେ ପାଇବା ପାଇଁ ସନ୍ଧ୍ୟା ହେଲେ ବାହାରେ ଖୋଲା ଜାଗାରେ ବୁଲୁଥିବା ଦେଖିବାକୁ ମିଳୁଛି ।