ବିଶ୍ୱନାଥପୁରରେ ସବରେଜିଷ୍ଟ୍ରାର ଉଦ୍ଘାଟନକୁ ବିରୋଧ କରି ଲାଞ୍ଜିଗଡ଼ ଅଞ୍ଚଳବାସୀଙ୍କ ଆନ୍ଦୋଳନ

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା )
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ଗ୍ରାମ ସବୁବେଳେ ସରକାରଙ୍କ ଅବହେଳାର ଶିକାର ହୋଇ ରହିଆସିଛି l ଲାଞ୍ଜିଗଡ଼ ନାମରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଲାଞ୍ଜିଗଡ଼ ଠାରୁ 16 କିଲୋମିଟର ଦୂରରେ ଥିବା ବିଶ୍ୱନାଥପୁର ଠାରେ
ସ୍ଥାପନ କରାଯାଇଛି l ଏହାକୁ ନେଇ ଲାଞ୍ଜିଗଡ଼ବାସୀ ଦୀର୍ଘ ଦିନରୁ ଆପତ୍ତି କରିଆସୁଛନ୍ତି l
ପ୍ରକାଶ ଥାଉ କି, ଲାଞ୍ଜିଗଡ଼ ବ୍ଲକ କାର୍ଯ୍ୟାଳୟଟି ଲାଞ୍ଜିଗଡ଼ରେ ସ୍ଥାପନ କରା ନ ଯାଇ 1962 ସାଲରେ ବିଶ୍ୱନାଥ ପୁରରେ ଉଦ୍ଘାଟନ କରାଯାଇଥିଲା l ସେଇଭଳି ଲାଞ୍ଜିଗଡ଼ ତହସିଲ କାର୍ଯ୍ୟାଳୟ ଲାଞ୍ଜିଗଡ଼ ଠାରୁ ପ୍ରାୟ 80 କିଲୋମିଟର ଦୂର ମ. ରାମପୁରରେ ଲାଞ୍ଜିଗଡ଼ ନାମରେ ସ୍ଥାପନ କରାଯାଇଥିଲା l ଦୀର୍ଘଦିନର ଆନ୍ଦୋଳନ ପରେ ତା. 30.04.1994 ରିଖରେ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଲାଞ୍ଜିଗଡରେ ସ୍ଥାପନ କରାଗଲା l ଏହା ଲାଞ୍ଜିଗଡ଼ରେ ଦୁଇବର୍ଷ ଚାଲିଲା ପରେ ଏହି ଅତିରିକ୍ତ ତହସିଲ କାର୍ଯ୍ୟାଳୟଟି ପୁଣି ବିଶ୍ୱାନାଥପୁରକୁ ସ୍ଥାନାନ୍ତର କରିଦିଆଗଲା l ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ଯାହାକି ଲାଞ୍ଜିଗଡ଼ରେ ସ୍ଥାପନ ହେବା କଥା, ତାହା ମଧ୍ୟ ବିଶ୍ୱାନଥପୁର ନିକଟସ୍ଥ ଧଅଁରl ଭଟାରେ ପ୍ରତିଷ୍ଠା କରାଗଲା l କ୍ଷୁଦ୍ର ଜଜସେଚନ ଅନୁବିଭାଗ ଲାଞ୍ଜିଗଡ଼ର କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ବିଶ୍ୱନାଥ ନାଥପୁରରେ ପ୍ରତିଷ୍ଠା କରାଗଲା l ଏହା ବ୍ୟତୀତ ଏମ୍ପଲୟମେଣ୍ଟ ଏକ୍ସଚେଞ୍ଜ, ହର୍ଟିକଲଚର, ମୃତ୍ତିକା ସଂରକ୍ଷଣ ବିଭାଗ ଏବଂ ଏକସାଇଜ କାର୍ଯ୍ୟାଳୟ ପ୍ରଭୃତି ମଧ୍ୟ ଲାଞ୍ଜିଗଡ଼ରୁ ଉଠାଇ ନିଆଗଲା l
ଲାଞ୍ଜିଗଡ଼ଠାରେ ତା. 02.02.2026 ରିଖରେ ଏକ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦ୍ଘାଟନ ନେଇ ଏକ ନିର୍ଦ୍ଦେଶନାମା ଜାରିହୋଇଥିଲା l କିନ୍ତୁ ଯେତେବେଳେ ଶୁଣାଗଲା ଯେ ତାହା ପୁଣି ବିଶ୍ୱନାଥପୁରରେ ଉଦ୍ଘାଟନ ହେବ, ଲାଞ୍ଜିଗଡ଼ ଅଞ୍ଚଳବାସୀ ସେହି ଦିନ ବିଶ୍ୱନାଥ ପୁର ଯାଇ ତାର ବିରୋଧ କରିଥିଲେ l କିନ୍ତୁ ଆମ ଜିଲ୍ଲା ପ୍ରଶାସନ ତରଫରୁ ସଙ୍ଗେ ସଙ୍ଗେ ଘୋଷଣା କରି ଦିଆଗଲା ଯେ, ବିଶ୍ୱନାଥ ପୁରରେ ତାହା ଉଦ୍ଘାଟନ ହେବା ପାଇଁ ସରକାରୀ ନିର୍ଦ୍ଦେଶ ଅଛି ଏବଂ ତାହା ତା. 05.02.2026 ଦିନ ଉଦ୍ଘାଟନ କରାଯିବ l ଏହା ଶୁଣି ଉପସ୍ଥିତ ଥିବା ହଜାର ହଜାର ଲାଞ୍ଜିଗଡ଼ ଅଞ୍ଚଳବାସୀ ଉତ୍ତେଜିତ ହୋଇଥିଲେ l ଏହାପରେ ଆଜି ଲାଞ୍ଜିଗଡ଼ ଅଞ୍ଚଳର ହଜାର ହଜାର ଲୋକ ସକାଳୁ ବିଶ୍ୱନାଥ ପୁର ଯାଇ ବିରୋଧ ପ୍ରଦର୍ଶନ କରିବା ସହିତ ତହସିଲ କାର୍ଯ୍ୟାଳୟର ଫାଟକରେ ତାଲା ପକାଇଥିଲେ ଏବଂ ଲାଞ୍ଜିଗଡ଼ରେ ସକାଳ ଛ’ ଟାରୁ ସନ୍ଧ୍ୟା ଛ’ ଟା ଯାଏଁ ସମସ୍ତ ଦୋକାନ ବଜାର, ସରକାରୀ ଅଫିସ ଓ ସ୍କୁଲ କଲେଜ ବନ୍ଦ ରହିଥିଲା l ଲୋକେ ବିଭିନ୍ନ ସ୍ଲୋଗାନ ଦେଇ ପ୍ରଶାସନର ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଏବଂ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ଲାଞ୍ଜିଗଡ଼ ପ୍ରତି ବୈମାତୃକ ମନୋଭାବର ସମାଲୋଚନା କରି ବିରୋଧ ପ୍ରଦର୍ଶନ କରିଥିଲେ l କିନ୍ତୁ ଜିଲ୍ଲା ପ୍ରଶାସନ କୌଣସି କଥା ଶୁଣିବାକୁ ରାଜି ନ ଥିଲେ l ଦିନ ଘ.12.30 ମିନିଟ ସମୟରେ ତହସିଲଦାର ସେଠାରେ ଉପସ୍ଥିତ ଜନତାଙ୍କ ସମ୍ମୁଖରେ ଆସି ଘୋଷଣା କଲେ ଯେ ବିଶ୍ୱାନାଥପୁରରେ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି l ଏହା ଶୁଣି ସେଠାରେ ଉପସ୍ଥିତ ଥିବା ଲାଞ୍ଜିଗଡ଼ ଅଞ୍ଚଳବାସୀ ସରକାର ତଥା ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ବିରୁଦ୍ଧରେ ଏବଂ ଲାଞ୍ଜିଗଡ଼ ନାମରେ ଅନ୍ୟ ସ୍ଥାନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ପୁଣି ଥରେ ଲାଞ୍ଜିଗଡ଼ରେ ଅବସ୍ଥାପନ କରିବା ପାଇଁ ସଂଗ୍ରାମ ଜାରି ରଖିବେ ଶପଥ ନେଇଥିଲେ l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର
