ଟୀକା ତାଳରେ ଔଷଧୀୟ ଚାରା ରୋପଣ ଓ କର୍ମଶାଳା

ବୋଲଗଡ(ଉପାନ୍ତ ଖବର) ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହାୟତାରେ ଓ ଟୀକାତାଳ ସ୍ଥିତ ମା’ ଶାରଦା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଏକ ଦିବସୀୟ ଔଷଧୀୟ ଚାରା ରୋପଣ ଓ କର୍ମଶାଳା ଶୁକ୍ରବାର ଦିନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି I ଏହି କର୍ମଶଳାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ନିହାରିକା ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସ୍ଥିତ ଜଙ୍ଗଲ ଓ ପରିବେଶ ବିଭାଗର ପରିବେଶ ଶିକ୍ଷଣ ପଠନ କେନ୍ଦ୍ରର କ୍ଷେତ୍ର ଅଧିକାରୀ ଭରତ ଚନ୍ଦ୍ର ଜେନା,ମୁଖ୍ୟ ବକ୍ତାଭାବେ ଡାକ୍ତର ବିଜୟ କୁମାର ଖୁଣ୍ଟିଆ ଓ ସମ୍ମାନିତ ଅତିଥିଭାବେ ରେଣୁବାଳା ନର୍ସିଙ୍ଗ ମହା ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତ୍ରୀମୟୀ ମିଶ୍ର,ପ୍ରାକ୍ତନ ଅଧ୍ୟକ୍ଷା ନଳିନୀ ସାହୁ,ବରିଷ୍ଠ ସାମ୍ବାଦିକ ପାଣ୍ଡବ ସାହୁ ପ୍ରମୁଖ ଯୋଗଦେଇ ମା’ ଶାରଦା ଓ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ଧୂପ,ଦୀପ ପୁଷ୍ପ ମାଲ୍ୟ ଅର୍ପଣ କରି ଏହାକୁ ଶୁଭ ଉଦଘାଟନ କରିଥିଲେ।କର୍ମଶାଳାର ପ୍ରାରମ୍ଭରେ ଅଧ୍ୟାପିକା ସସ୍ମିତା ମଞ୍ଜରୀ ପଣ୍ଡା ବେଦ ପାଠ କରିଥିବା ବେଳେ ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଅଧ୍ୟକ୍ଷା ନିହାରିକା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଶୁଭେନ ଦାଶ ଅତିଥିମାନଙ୍କର ପରିଚୟ ପ୍ରଦାନ କରି ଔଷଧୀୟ ବୃକ୍ଷ କର୍ମଶାଳା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ I ମୁଖ୍ୟ ଅତିଥି ଭରତ ଚନ୍ଦ୍ର ଜେନା ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ଗୁଡ଼ିକୁ ଛାତ୍ରୀ, ଅଭିଭାବକ,ଅଭିଭାବିକା ମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରି ତାର ଉପକାରିତା ସମ୍ପର୍କରେ ବୁଝାଇ ଥିଲେ I ମୁଖ୍ୟ ବକ୍ତା ଡାକ୍ତର ବିଜୟ କୁମାର ଖୁଣ୍ଟିଆ ଆୟୁର୍ବେଦିକ ଔଷଧ ଦ୍ୱାରା କିପରି ବିଭିନ୍ନ ପ୍ରକାରର ରୋଗ ଭଲ ହୋଇଥାଏ ତାହା ଛାତ୍ରୀ,ଅଭିଭାବକ ଓ ଅଭିଭାବିକା ମାନଙ୍କୁ ପରାମର୍ଶ ଦେଇଥିଲେ I ଗଛ ଟିଏ ଜୀବନ ଟିଏ ହୋଇଥିବାରୁ ଓ ପ୍ରତ୍ୟେକ ବୃକ୍ଷ ମନ୍ୟୁଷ୍ୟର ନୀରୋଗ ଜୀବନ ଯାପନ ପାଇଁ ଶୁଦ୍ଧ ଅମ୍ଳଜାନ ଯୋଗାଉଥିବାରୁ ପ୍ରତ୍ୟେକ ଛାତ୍ରୀ ଓ ଅଭିଭାବକମାନେ ବାଡ଼ି ବଗିଚାରେ ଗଛଟିଏ ଲଗାଇବାକୁ ସମ୍ମାନିତ ଅତିଥି ସାମ୍ବାଦିକ ପାଣ୍ଡଵ ସାହୁ ଅନୁରୋଧ କରିଥିଲେ I ସମସ୍ତ ନିମନ୍ତ୍ରିତ ଅତିଥି ମାନେ ମିଳିତ ଭାବେ ଔଷଧୀୟ ନର୍ସରୀ ବଗିଚାକୁ ଉଦଘାଟନ କରିଥିଲେ ଓ ସମସ୍ତ ଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ପାଇଁ ଗୋଟିଏ ଗୋଟିଏ ଲେମ୍ବୁ ଗଛ ବଣ୍ଟନ କରିଥିଲେ ଏବଂ କୃତୀ ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ମା’ ଶାରଦା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହକାରୀ ଗ୍ରନ୍ଥାଗାରିକ ବାବାଜୀ ବେହେରା ସହଯୋଗ କରି ପରିଚାଳନା କରିଥିଲେ I ପରିଶେଷରେ ଅଧ୍ୟାପିକା ସରସ୍ବତୀ ଦେବତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
