November 22, 2024

ପଦ୍ମ ବେଶରେ ଦର୍ଶନ ଦେବେ ଭାବ ବିନୋଦିଆ। ପଦ୍ମରେ ଝଟକିବ ଶ୍ରୀମୁଖ। ରତ୍ନ ସିଂହାସନରେ ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ପଦ୍ମମୁଖ ବେଶ..

Share

ପଦ୍ମ ବେଶରେ ଦର୍ଶନ ଦେବେ ଭାବ ବିନୋଦିଆ। ପଦ୍ମରେ ଝଟକିବ ଶ୍ରୀମୁଖ। ରତ୍ନ ସିଂହାସନରେ ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ପଦ୍ମମୁଖ ବେଶ। ବେଶର ମହତ୍ତ୍ବ ହେଉଛି, ସମ୍ପୂର୍ଣ୍ଣ ବେଶ କାର୍ଯ୍ୟ ପାଣି ସୋଲରେ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ପଦ୍ମ ଫୁଲଠୁ ନେଇ ପଦ୍ମ ପାଖୁଡ଼ା, ପଦ୍ମ କେଶର, ଆମ୍ବକଷି, ଡାଳି, ୭ଟି ଗଛ, ୭ଟି ସିଂହାସନ, ୩ଟି ଶ୍ରୀମୁଖ ପଦ୍ମ ସବୁକିଛି ସୋଲ ଓ ଜରିରେ ପ୍ରସ୍ତୁତ ହେଉଛି। ଏହାବ୍ୟତୀତ ୩ଟି ବଡ଼ ଚୂଳ ମଧ୍ୟ ପ୍ରସ୍ତୁତ କରାଯାଉଛି। ସୋଲକୁ କାଗଜ ଭଳି କାଟି ପ୍ରସ୍ତୁତ କରିବା ପରେ ଏହାକୁ ପଦ୍ମର ରୂପ ଦିଆଯାଉଛି। ଏହାବ୍ୟତୀତ ସନ୍ତରାରେ ବଳା ତିଆରି କରାଯାଇଛି। ବେଶ ପ୍ରସ୍ତୁତ କରୁଥିବା ଶିଳ୍ପୀ ବସନ୍ତ କୁମାର ରଣାଙ୍କ କହିବା ଅନୁଯାୟୀ, ଶ୍ରୀମୁଖରେ ତୁଳସୀକୁ ବଳା ସଦୃଶ ପ୍ରସ୍ତୁତ କରି ସଜ୍ଜାଯାଏ। ପରେ ବେଶ ବନ୍ଧା ଯାଇଥାଏ। ତାଙ୍କ ସହ ସତ୍ୟନାରାୟଣ ବେହେରା, ସନ୍ତୋଷ କୁମାର ମିଶ୍ର, ବାମଦେବ ମହାପାତ୍ର, ଜିତେନ୍ଦ୍ର ମହାରଣା ବେଶ ପ୍ରସ୍ତୁତ କରୁଛନ୍ତି ବୋଲି ସେ କହିଛନ୍ତି। ବଡ଼ଛତା ମଠ ପକ୍ଷରୁ ବେଶର ସମସ୍ତ ଖର୍ଚ୍ଚ ବହନ କରାଯାଏ। ବେଶ ପାଇଁ ଆବଶ୍ୟକ ସୋଲ, ଜରି, କଇଁଥ ଅଠା, କନା, ବେତ, ବାଉଁଶ, ସନ୍ତରା ଆଦି ମଠ ତରଫରୁ ଯୋଗାଇ ଦିଆଯାଇଥାଏ। ପଣ୍ଡୁ ପୂର୍ଣ୍ଣିମାଠାରୁ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଏ। ଠାକୁରଙ୍କୁ ପରମ ଭକ୍ତମାନେ ଯେଉଁ ବେଶରେ ଦେଖିବାକୁ ଚାହିଁଛନ୍ତି ସେ ସେଇ ବେଶରେ ଦର୍ଶନ ଦେଇଛନ୍ତି। କଥିତ ଅଛି, ସପ୍ତଦଶ ଶତାବ୍ଦୀରୁ ବଡ଼ଛତା ମଠର ସନ୍ଥ ରଘୁବର ଦାସ ଏହି ବେଶ ଆରମ୍ଭ କରିଥିଲେ। ସେବେଠୁ ନିରବଚ୍ଛିନ୍ନ ଭାବେ ଏହି ବେଶ କରାଯାଉଛି। ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତ ସରି ରାତିରେ ଚନ୍ଦନଲାଗି ଓ ବଡ଼ସିଂହାର ବେଶ ସମୟରେ ଏହି ବେଶ ଅନୁଷ୍ଠିତ ହୁଏ। ବେଶ ପରେ ଶ୍ରୀଜିଉଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖିରି ଓ ଅମାଲୁ ଭୋଗ ଲାଗି ହୁଏ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ