April 26, 2026

ଗଜପତି : ପ୍ରବଳ ସ୍ରୋତରେ କାର ସହ ଭାସି ଯାଇଥିବା ବ୍ୟବସାୟୀଙ୍କ ଶବ ଦୁଇ ଦିନ ପରେ ଉଦ୍ଧାର  

IMG-20251005-WA0033
Share

 

 

ପାରଳାଖେମୁଣ୍ଡି:୫/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତିରେ ପ୍ରବଳ ବର୍ଷା ଆଉ ଏକ ଜୀବନ ନେଇଛି। ଆର. ଉଦୟଗିରି ଗ୍ରାମର ଯୁବ ବ୍ୟବସାୟୀ ପ୍ରତାପ ପଣ୍ଡା କାର ସହ ପାଣିର ପ୍ରଖର ସ୍ରୋତରେ ଭାସି ଦୁଇଦିନ ହେଲା ନିଖୋଜ ହୋଇଯାଇଥିଲେ। ଗତକାଲି କାଳିଆ ତୋଟା ଝରଣାରୁ କାର୍ ସହ ତାଙ୍କ ଶବକୁ ଉଦ୍ଧାର କରାଯାଇଛି। ପ୍ରତାପ ଗତ ୨ ତାରିଖରେ କାର୍‌ରେ ଘୋଡ଼ାକୋଣ ଗ୍ରାମରୁ ଆର. ଉଦୟଗିରି ଫେରୁଥିଲେ। ନିକଟସ୍ଥ ପୋଲରେ ୩ ରୁ ୪ ଫୁଟ ଉପରେ ପାଣି ଚାଲୁଥିଲା। ଏହାକୁ ଅତିକ୍ରମ କରୁଥିବା ବେଳେ ପ୍ରତାପ ଭାରସାମ୍ୟ ହରାଇ ଭାସି ଯାଇଥିଲେ । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, କାର୍‌ଟିକୁ ୨ କିଲୋମିଟର ପର୍ଯ୍ୟନ୍ତ ଭସାଇ ନେଇଥିଲା। ୨ ତାରିଖ ଅପରାହ୍ଣ ସାଢ଼େ ଗୋଟାଏରେ ପ୍ରତାପଙ୍କ ମୋବାଇଲ୍ ସ୍ବିଚ୍ ଅଫ୍ ହୋଇଯାଇଥିବା ବେଳେ ବ୍ୟସ୍ତବିବ୍ରତ ପରିବାରବର୍ଗ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ଗତକାଲି ଆର.ଉଦୟଗିରି ଥାନାରେ ପତ୍ନୀ ରୀନା ପଣ୍ଡା ନିଖୋଜ ଏତଲା ଦେଇଥିଲେ | କାଳିଆତୋଟା ଝରଣାରେ ଭୀଷ୍ମ ପାଇକ ନାମକ ଜଣେ ବ୍ୟକ୍ତି ଗାଧୋଇବା ବେଳେ ତାଙ୍କ ଗୋଡ଼ରେ କାରର କିଛି ଅଂଶ ବାଜିଥିଲା। ଏହାପରେ ପାଣି ଭିତରେ ବୁଡ଼ି ଖୋଜାଖୋଜି କରିବା ବେଳେ କାର୍ ଭିତରୁ ଶବ ଠାବ କରିଥିଲେ। ଦମକଳ ବାହିନୀ ପହଞ୍ଚି ପ୍ରତାପଙ୍କ ଶବକୁ ଉଦ୍ଧାର କରି ପରିବାରବର୍ଗ ଚିହ୍ନଟ କରିଥିଲେ। ଏନେଇ ଆର.ଉଦୟଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଆଜି ତାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଅନ୍ତିମ ସଂସ୍କାର ହୋଇଥିବା ସୂଚନା ମିଳିଛି.