ବ୍ଲକ ସ୍ତରୀୟ ଗୁରୁ ଦିବସ ସମାରୋହ

ତା,୫/୯ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ସ୍ଥାନୀୟ ସାଗରଗୁଡ଼ା ଶିକ୍ଷକ ଭବନ ଠାରେ କୁନ୍ଦୁରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ସ୍ତରୀୟ ଗୁରୁ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ଏସ୍ ଏସ୍ ଡି ଉଚ୍ଚ ବିଦ୍ୟାଳୟ କାଉଡ଼ିଆଗୁଡ଼ା ଏବଂ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ କୁନ୍ଦୁରାର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ l ସଭାପତି ତ୍ରିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ରୁପୂ ଭତରା ଏବଂ ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ ଯୋଗଦେଇ ବହୁ ପୂର୍ବ କାଳରୁ ଚାଲି ଆସିଥିବା ଗୁରୁ ଦିବସକୁ କେବଳ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଉଛି କିନ୍ତୁ ପ୍ରକୃତ ପକ୍ଷେ ଯିଏ ଅନ୍ଧାରରୁ ଆଲୋକକୁ ଆଣିବାରେ ବାଟ ଦେଖାଇଥାନ୍ତି ସେ ହେଉଛନ୍ତି ଗୁରୁ l ତେଣୁ ଆଜି ହେଉଛି ସମସ୍ତ ଗୁରୁଙ୍କ ପାଇଁ ପବିତ୍ର ଦିନଟିଏ l ଆଜି ସମାଜରେ ପ୍ରତିଷ୍ଠିତ ଯେତେ ବଡ଼ ବ୍ୟକ୍ତି ବିଶେଷ ହୁଅନ୍ତୁ ନା କାହିଁକି ସେମାନେ ଗୁରୁଙ୍କୁ ଠାରୁ ହିଁ ଶିକ୍ଷା ଲାଭ କରି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି l ତେଣୁ ଗୁରୁ ସଦାବେଳେ ପୂଜ୍ୟ, ଗୁରୁଙ୍କ ସ୍ଥାନ ଅନ୍ୟ କେହି ନେଇ ପାରିବେ ନାହିଁ l ଶିକ୍ଷାର ବିକାଶରେ ସମାଜର ବିକାଶ ହୋଇ ପାରିବ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ l ପାଣ୍ଠି ଅଭାବରୁ ଶିକ୍ଷକ ଭବନ ସମ୍ପୂର୍ଣ୍ଣ ନିର୍ମାଣ ହୋଇ ପାରୁନାହିଁ ଏଣୁ ଶିକ୍ଷକ ସାମାଜ ଓ ବ୍ଲକବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶିକ୍ଷକ ଭବନ ନିମନ୍ତେ ପାଣ୍ଠି ଯୋଗାଇ ଦେବାକୁ ସଂଘ ପକ୍ଷରୁ ବିଧାୟକଙ୍କୁ ଅନୁରୋଧ କରାଯାଇଥିଲା l ବ୍ଲକରେ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିର ବିକାଶ, ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ, ନୂତନ ଛାତ୍ର ଓ ଛାତ୍ରୀ ହଷ୍ଟେଲ ସ୍ଥାପନ,ସ୍ନାତକ ମହାବିଦ୍ୟାଳୟ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ର ଏବଂ ଛାତ୍ରୀ ହଷ୍ଟେଲ ସ୍ଥାପନ ନିମନ୍ତେ ପଦକ୍ଷେପ ନିଆଯିବ I ଶିକ୍ଷକ ଭବନ ସମ୍ପୂର୍ଣ୍ଣ ନିର୍ମାଣ ନିମନ୍ତେ ପାଣ୍ଠି ଯୋଗାଇ ଦେବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ l ସମ୍ମାନିତ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ ରଘୁନାଥ ପାଙ୍ଗି, ବ୍ଲକ ଉପାଧ୍ୟକ୍ଷ ତରୁଣୀ ସେନ ବିଶୋୟୀ, ଏ ବି ଇ ଓ ପପେୟା ବେହେରା, କୁନ୍ଦୁରା ସରପଞ୍ଚ ଲବ ପରଜା,ସମିତି ସଭ୍ୟ ଦାମୋଦର ଗଣ୍ଡା, ଲୋକ ସଭା କ୍ଷେତ୍ର ସ୍ତରୀୟ ସଂଯୋଜକ ରାମେଶ୍ଵର ଜେନା, ଜିଲ୍ଲା ସ୍ତରୀୟ ବିଧାୟକ ପ୍ରତିନିଧି ବିନାୟକ ଆଚାର୍ଯ୍ୟ, ସଂଘ ସମ୍ପାଦକ କେ କ୍ରିଷ୍ଣା ମୋହନ ରାଓ ପ୍ରମୁଖ ମଞ୍ଚାସୀନ ଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷକ ନିମାଇଁ ଚରଣ ବେହେରା, ହରିଶ୍ଚନ୍ଦ୍ର ହୋତା, ନକୁଳ ଚନ୍ଦ୍ର ପ୍ରଧାନ ଏବଂ ଶିକ୍ଷୟିତ୍ରୀ ସୁଲଭ ସୁବାସିନି ମଣିପାତ୍ରଙ୍କୁ ସଂଘ ପକ୍ଷରୁ ସମ୍ମାନ ପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ବଦ୍ରି ନାରାୟଣ ଆଚାର୍ଯ୍ୟ, ପୂର୍ବରୁ ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ, ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ହୃଦୟ ରଞ୍ଜନ ପଣ୍ଡା,ସ୍ଥାନୀୟ ବୁଦ୍ଧିଜିବୀ ବୃନ୍ଦାବନ ପାତ୍ରଙ୍କ ସମେତ ଚାରିଶହରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ l ବରିଷ୍ଠ ଶିକ୍ଷକ ସୁରେଶ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ l ବରିଷ୍ଠ ଶିକ୍ଷକ ଅଶୋକ କୁମାର ମହାରଣା ମଞ୍ଚ ପରିଚାଳନା କରିଥିଲେ l ସେହିଭଳି ଭାବେ ବ୍ଲକର ସମସ୍ତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ଓ ସ୍ନାତକ ମହାବିଦ୍ୟାଳୟ ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l
